କାରଲାପାଟରେ ଅଭୟାରଣ୍ୟରେ ପୁଣି ହାତୀ ମୃତ୍ୟୁ

ଭବାନୀପାଟଣା ୭/୩: କଳାହାଣ୍ଡି ଦକ୍ଷିଣ ବନଖଣ୍ଡ ଅଧୀନ କରଲାପାଟ ଅଭୟାରଣ୍ୟ ଘୁଷୁରିଗୁଡିରୁ ଏକ ଦନ୍ତା ହାତୀର ମୃତଦେହ ଠାବ କରାଯାଇଛି। ମୃତ ହାତୀର ବୟସ ପ୍ରାୟ ୨୦ ବର୍ଷ ହେବ ବୋଲି ଆକଳନ କରାଯାଉଛି। ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଡିଏଫ୍ଓ ଦୟାନନ୍ଦ ଗଜାନନ୍ଦ ଲାଡେ ମଙ୍ଗଳବାର ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଦୁଇଟି ଦନ୍ତା ମଧ୍ୟରେ ଲଢେଇରେ ହାତୀଟିର ମୃତ୍ୟୁ ଘଟିଛି ବୋଲି ଅନୁମାନ କରାଯାଉଛି। ତେବେ ଆଜି ଶବ ବ୍ୟବଚ୍ଛେଦ ପରେ ହାତୀକୁ ସୁରକ୍ଷିତ ପୋତା ଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁ କାରଣ ସ୍ପଷ୍ଟ ହେବ ବୋଲି ସୂଚନା ଦେଇଛନ୍ତି।
ସୂଚନା ମୁତାବକ, ଦକ୍ଷିଣ ବନଖଣ୍ଡ କରଲାପାଟ ଅଭୟାରଣ୍ୟ ଅଞ୍ଚଳସ୍ଥିତ ଘୁଷୁରୀଗୁଡି ନିକଟରେ କିଛି ଦିନରୁ ହାତୀ ପଲ ବୁଲୁଥିବା ଦେଖାଯାଇଥିଲା। ତେବେ ଚାରି ଦିନ ତଳେ ହାତୀର ମୃତ୍ୟୁ ହୋଇଥିବା ସ୍ଥାନୀୟ ଲୋକଙ୍କ ଠାରୁ ଜଣାପଡିଛି। ଆଜି ସକାଳେ ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ବନ ବିଭାଗ ଅଧିକାରୀମାନେ ତଦନ୍ତ ଆରମ୍ଭ କରିଥିଲେ। ବ୍ୟବଚ୍ଛେଦ ପରେ ହାତୀଟିକୁ ଘଟଣାସ୍ଥଳରେ ପୋତି ଦିଆଯାଇଛି। ପ୍ରାଣୀ ଚିକିତ୍ସକଙ୍କ ଟିମ ପହଂଚି ହାତୀର ଶବ ବ୍ୟବଚ୍ଛେଦ କରିଥିଲେ। ହାତୀ ଶବରେ ଅନେକ କ୍ଷତ ଚିହ୍ନ ଥିବା ଜଣାପଡିଛି।