ଜନ ବସତି ମୁହାଁ ୫ ଟିକିଆ ହାତୀପଲ, ଫାର୍ମ ହାଉସରେ ପଶି ଦଳି ଦେଲେ ୧୦ ରୁ ଉର୍ଦ୍ଧ୍ଵ ଗଛ

ସାନଖେମୁଣ୍ଡି, ୨୬/୦୧ : ଜନ ବସତି ମୁହାଁ ୫ ଟିକିଆ ହାତୀପଲ। ବୁଧବାର ରାତିରେ ଦିଗପହଣ୍ଡି ରେଞ୍ଜ ପାଟପୁର ସେକ୍ସନ ଉତ୍ତମା ନିକଟରେ ୫ ଟିକିଆ ହାତୀପଲ ଉପଦ୍ରବ କରିଛନ୍ତି। ଖାଦ୍ୟ ପାନୀୟ ସନ୍ଧାନରେ ଏସ୍ ଗୋପାଳପୁର ଜିତେନ୍ଦ୍ର ବିଶ୍ୱାଳଙ୍କ ଫାର୍ମ ହାଉସରେ ପଶି ୧୦ ରୁ ଉର୍ଦ୍ଧ୍ଵ ଗଛ ନଷ୍ଟ କରିଛନ୍ତି।
ସୂଚନାନୁଯାୟୀ, ରତନେଇ ପାହାଡ଼ ଜଙ୍ଗଲ ଅଞ୍ଚଳରେ ଏକ ୫ ଟିକିଆ ହାତୀପଲ ବହୁ ଦିନ ଧରି ବସବାସ କରି ଆସୁଥିଲେ। ଅନେକ ସମୟରେ ଖାଦ୍ୟ ପାନୀୟ ଅନୁସନ୍ଧାନରେ ଜନ ବସତି ମୁହାଁ ହୋଇ ନିକଟରେ ଥିବା ଜଳାଶୟ ପୋଖରୀରେ ଗାଧେଇବା ସହ ପାଣି ପିଇ ରାସ୍ତା ଅତିକ୍ରମ କରି ଗାଁ ମୁହାଁ ହେଉଛନ୍ତି। ସେହିଭଳି ଆଜି ଏହି ହାତୀ ପଲ ଏସ୍ ଗୋପାଳପୁର ଜିତେନ୍ଦ୍ର ବିଶ୍ୱାଳଙ୍କ ଫାର୍ମ ହାଉସରେ ପଶି ୧୦ ରୁ ଉର୍ଦ୍ଧ୍ଵ ଗଛ ନଷ୍ଟ କରିଛନ୍ତି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି। ଜିତେନ୍ଦ୍ର ବିଶ୍ୱାଳ କହିଛନ୍ତି ଯେ, ଅନେକ ଥର ଅଭିଯୋଗ କଲେ ସୁଦ୍ଧା କୌଣସି ସୁଫଳ ମିଳି ନାହିଁ। ଅନ୍ୟପଟେ ପାଟପୁର ସେକ୍ସନ ଅଧିକାରୀ ଅରୁଣ ଦାସ କହିଛନ୍ତି ଯେ, ଘଟଣାସ୍ଥଳକୁ ଯାଇ ଜମି ଚିହ୍ନଟ କରାଯାଇ ତାହା ନିଜସ୍ଵ ନା ବନ ବିଭାଗର ତାହା ତଦନ୍ତ କରାଯିବ। ସରକାରୀ ଯୋଜନା ଅନୁଯାୟୀ, କ୍ଷତିପୂରଣ ଦିଆଯିବ।