ନିମବାହାଳି,୨୦/୧୧ : ହାତୀ ଦେଖୁ ଥିବାବେଳେ ଅଘଟଣ । ଯୁବକଙ୍କୁ ଦଳି ଦେଲା ଦନ୍ତା। ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ହୋଇଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ବନଖଣ୍ଡ ହିନ୍ଦୋଳ ବନାଞ୍ଚଳ ହିନ୍ଦୋଳ ସେକ୍ସସନ କର୍ଣ୍ଣପୁର ବିଟ୍ ଅଧିନ ଝାଡୁବେରେଣୀ ଗାଁ ନିକଟରେ। ହାତୀ ଦେଖିବାକୁ ଯାଇ ଚର୍ଚ୍ଚିତ ଦନ୍ତାହାତୀ 'ଡ୍ୟାନି' ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ବାଲିମି ଥାନା ଅନ୍ତର୍ଗତ ପାଟଲା ଗାଁ କରଙ୍ଗା ସାହିର ଚିନ୍ମୟ ଦେହୁରୀ(୨୫) ବୋଲି ଜଣାପଡ଼ିଛି ।
ସୂଚନା ଅନୁସାରେ, ଚିନ୍ମୟ ହାତୀ ଦେଖିବାକୁ ଯାଇ ଝାଡୁବେରେଣୀ ଗାଁ ନିକଟ ଶାଳବଣିରେ ଦନ୍ତାହାତୀ ଆକ୍ରମଣର ଶିକାର ହୋଇଥିଲେ । ଦନ୍ତାହାତୀ 'ଡ୍ୟାନି' ତାଙ୍କୁ ଗୋଡ଼େଇ ଗୋଡ଼େଇ ଆକ୍ରମଣ କରିଥିଲା । ଏହି ସମୟରେ ସେ ତଳେ ପଡ଼ିଯିବା ପରେ ତାଙ୍କୁ ପାଦରେ ଦଳି ଦେଇଥିଲା । ହାତୀଟି ଘଟଣାସ୍ଥଳରୁ ଚାଲି ଯିବା ପରେ ସ୍ଥାନୀୟ ଗ୍ରାମବାସୀ ଓ ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହିନ୍ଦୋଳ ମେଡ଼ିକାଲରେ ଭର୍ତ୍ତି କରିଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ।
ଉକ୍ତ ଅଞ୍ଚଳରେ ଶତାଧିକ ହାତୀ ଚଳପ୍ରଚଳ କରି ଉପଦ୍ରବ କରୁଛନ୍ତି । ସ୍ଥାନୀୟ ଲୋକେ ହାତୀ ଦେଖିବାକୁ ଯାଇ ହାତୀପଲଙ୍କ ନିକଟତର ହୋଇ ଟେକା ପଥର ମାରି ହାତୀପଲଙ୍କୁ ଚିଡ଼ଚିଡା କରୁଥିବାରୁ ଏଭଳି କାଣ୍ଡ ହୋଇଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି । ଖବରପାଇ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ ଚଳାଇଛନ୍ତି ।