ନୂଆଦିଲ୍ଲୀ, ୨।୩: ଇରାନର ସର୍ବୋଚ୍ଚ ନେତା ଆୟାତୁଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁ ପରେ ସାରା ବିଶ୍ୱରେ ଚାଞ୍ଚଲ୍ୟ । ଆମେରିକା ଓ ଇସ୍ରାଏଲର ମିସାଇଲ୍ ମାଡ଼ରେ ଖାମେନେଇଙ୍କ ମୃତ୍ୟ ଖବର ପ୍ରସାରିତ ହେବା ପରେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ନିଆଁ ଜଳୁଛି । ଏସବୁ ଭିତରେ ଭାରତୀୟ ସିନେମାରେ କାମ କରୁଥିବା ଇରାନୀ ଅଭିନେତ୍ରୀ ଏଲନାଜ୍ ନୋରୌଜି ଖାମେନିଙ୍କ ମୃତ୍ୟୁକୁ ନେଇ ଖୁସି ବ୍ୟକ୍ତ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ।
୪୭ ବର୍ଷର ଅପେକ୍ଷା ସରିଲା: ଏଲନାଜ୍
ଲୋକପ୍ରିୟ ଓ୍ୱେବ୍ ସିରିଜ୍ ‘ସେକ୍ରେଡ୍ ଗେମ୍ସ’ ଫେମ୍ ଏଲନାଜ୍ ନୋରୌଜି ଇନଷ୍ଟାଗ୍ରାମରେ ଖାମେନେଇଙ୍କ ମୃତ୍ୟୁ ଖବରକୁ ସେୟାର କରି ଲେଖିଛନ୍ତି, "ଏହା ଆମ ପାଇଁ ସବୁଠାରୁ ବଡ଼ ଖବର । ଗତ ୪୭ ବର୍ଷ ହେବ ଆମେ ଏହି ଖବରକୁ ଅପେକ୍ଷା କରିଥିଲୁ । ଶେଷରେ ଖାମେନେଇଙ୍କ ମୃତ୍ୟୁ ହୋଇଛି, ସତରେ ଭଗବାନ ସର୍ବଶ୍ରେଷ୍ଠ ।" କେବଳ ଏତିକି ନୁହେଁ, ଅନ୍ୟ ଏକ ପୋଷ୍ଟରେ ସେ ସେଲିବ୍ରେସନ୍ ଇମୋଜି ସହ ‘ଧନ୍ୟବାଦ’ ମଧ୍ୟ ଲେଖିଛନ୍ତି । ଏଲନାଜ୍ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଖାମେନେଇଙ୍କ ଶାସନ କାଳରେ ଇରାନରେ ହେଉଥିବା ମାନବାଧିକାର ଉଲ୍ଲଂଘନର ଅନେକ ଭିଡିଓ ଓ ତଥ୍ୟ ସେୟାର କରିଛନ୍ତି । ଏକ ଭିଡିଓରେ ସେ ନାଚୁଥିବାର ମଧ୍ୟ ଦେଖିବାକୁ ମିଳିଛି । ତାଙ୍କ ମତରେ, ଖାମେନେଇଙ୍କ ଶେଷ ହେବା ‘ଫ୍ରି ଇରାନ’ ପାଇଁ ଫାଷ୍ଟ ଷ୍ଟେପ୍ ।
ଏହା ବି ପଢ଼ନ୍ତୁ... ଖାମେନେଇଙ୍କୁ ହରାଇ ଶୋକରେ ବୁଡିଛି କର୍ଣ୍ଣାଟକ ଆଲିଗଡ ଗାଁ, ଜାଣନ୍ତୁ ୧୯୮୬ରେ କାହିଁକି ଆସିଥିଲେ ଇରାନ ସୁପ୍ରିମ ଲିଡର
କିଏ ଏହି ଏଲନାଜ୍ ନୋରୌଜି ?
ଇରାନର ତେହେରାନରେ ଏଲନାଜଙ୍କ ଜନ୍ମ । ଜନ୍ମ ପରେ ସେ ଜର୍ମାନୀ ଚାଲିଯାଇଥିଲେ । ମଡେଲିଂରୁ କ୍ୟାରିୟର ଆରମ୍ଭ କରିଥିବା ଏଲନାଜ୍ ‘ସେକ୍ରେଡ୍ ଗେମ୍ସ’ରୁ ଭାରତରେ ସେ ଘରେ ଘରେ ପରିଚିତ ହୋଇଥିଲେ । ‘ଅଭୟ’, ‘ମେଡ୍ ଇନ୍ ହେଭେନ୍’, ‘ଜୁଗ୍ଜୁଗ୍ ଜିଓ’ ପରି ଫିଲ୍ମ ଓ ସିରିଜ୍ରେ ସେ କାମ କରିଛନ୍ତି । ୨୦୨୩ରେ ସେ ଜେରାର୍ଡ ବଟଲରଙ୍କ ସହ ‘କାନ୍ଦାହାର’ ଫିଲ୍ମ ଜରିଆରେ ହଲିଉଡ୍ରେ ଡେବ୍ୟୁ କରିଥିଲେ । ସେ ବର୍ତ୍ତମାନ ଅକ୍ଷୟ କୁମାରଙ୍କ ସହ ‘ହ୍ୱିଲ୍ ଅଫ୍ ଫର୍ଚ୍ୟୁନ୍’ ଶୋ’ରେ କୋ-ହୋଷ୍ଟ ଭାବେ ନଜର ଆସୁଛନ୍ତି । କହିରଖୁଛୁ ଯେ, ୧୯୮୯ରୁ ଇରାନର ସର୍ବୋଚ୍ଚ ନେତା ଭାବେ ରହିଥିବା ଆୟାତୁଲ୍ଲା ଅଲ୍ଲି ଖାମେନେଇଙ୍କ ମୃତ୍ୟୁ ଶନିବାର ଆମେରିକା-ଇସ୍ରାଏଲ ମିସାଇଲ୍ ମାଡ଼ରେ ହୋଇଥିଲା । ଏହାର ପ୍ରତିଶୋଧ ନେବା ପାଇଁ ଇରାନ ଏବେ ୟୁଏଇ (UAE) ଏବଂ କତାରରେ ଥିବା ଆମେରିକା ସେନା ଘାଟି ଉପରେ ରକେଟ୍ ଓ ଡ୍ରୋନ୍ ମାଡ଼ କରୁଛି । ସାରା ମଧ୍ୟପ୍ରାଚ୍ୟ ଏବେ ଯୁଦ୍ଧ ଭୟରେ ଥରୁଛି ।