ନୂଆଦିଲ୍ଲୀ,୦୯/୦୧: ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କ ୧୪ ସନ୍ତାନଙ୍କ ପିତା । ତାଙ୍କର ସମସ୍ତ ସନ୍ତାନଙ୍କ ନାଁ ବେଶ୍ ନିଆରା, ତନ୍ମଧ୍ୟରେ ଏକ୍ସ ଏ-ଏକ୍ସଆଇଆଇ ମସ୍କ ଅନ୍ୟତମ । କିନ୍ତୁ ସମସ୍ତଙ୍କ ମଧ୍ୟରେ ଜଣଙ୍କ ନାଁ ଭାରତ ସହ ଜଡ଼ିତ । ଷ୍ଟ୍ରାଇଡର୍ ଶେଖର । ତାଙ୍କର ସଦ୍ୟତମ ଫଟୋ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଛି । ମସ୍କଙ୍କ ଅନୁସାରେ, ଭାରତୀୟ ବୈଜ୍ଞାନିକ ସୁବ୍ରମନ୍ୟନ୍ ଚନ୍ଦ୍ରଶେଖରଙ୍କ ନାମ ଅନୁସାରେ ସେ ପୁଅର ନାଁ ରଖିଛନ୍ତି । ସୋସିଆଲ ମିଡିଆରେ ସେୟାର ଫଟୋରେ ମସ୍କ ନିଜର ଦୁଇ ସନ୍ତାନ ଷ୍ଟ୍ରାଇଡର ଓ କମେଟ୍ଙ୍କ ସହିତ ପୋଜ୍ ଦେଇଛନ୍ତି ।
କ୍ୟାପ୍ସନ ଲେଖିଛନ୍ତି ‘ମୁଁ ମୋ ପୁଅ ଷ୍ଟ୍ରାଇଡର୍ ଶେଖର (ଆରାଗ୍ରନ୍ ଓ ମହାନ ଭାରତୀୟ ପଦାର୍ଥବିଜ୍ଞାନୀ ଚନ୍ଦ୍ରଶେଖରଙ୍କ ନାମ ଅନୁସାରେ ନାମିତ) ଓ କମେଟ୍ ଆଜ୍ୟୋର ସହିତ । କ୍ୟାପ୍ସନରେ ମସ୍କ ସ୍ପଷ୍ଟ କରିଛନ୍ତି ‘ଶେଖର’ ନାଁ ସୁବ୍ରମନ୍ୟନ୍ ଚନ୍ଦ୍ରଶେଖରଙ୍କୁ ଶ୍ରଦ୍ଧାଞ୍ଜଳି । ନକ୍ଷତ୍ରଙ୍କ ବିକାଶ, ବିଲୟ ଏବଂ ପରବର୍ତ୍ତୀ ସମୟରେ ବ୍ଲାକ୍ହୋଲ ଓ ନିଷ୍କ୍ରିୟ କ୍ଷୁଦ୍ର ନକ୍ଷତ୍ରରେ ରୂପାନ୍ତରିତ ହେବା କ୍ଷେତ୍ରରେ ନିଜର ଯୁଗାନ୍ତକାରୀ କାର୍ଯ୍ୟ ଲାଗି ୧୯୮୩ରେ ତାଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।’ ଭାରତ ସହ ଶେଖରଙ୍କ ସମ୍ପର୍କ ଏତିକିରେ ଶେଷ ହୋଇନାହିଁ । ତାଙ୍କ ମା’ ଶିବନ୍ ଜିଲିସ୍ଙ୍କର ଭାରତ ସହ ପୁରୁଣା ସମ୍ପର୍କ ରହିଛି ।
ଶିବନ୍ଙ୍କ ମା’ ଶାରଦା ଜିଲିସ୍ ପଞ୍ଜାବର ମୂଳ ବାସିନ୍ଦା ଥିଲେ, ଯିଏକି କାନାଡ଼ା ନାଗରିକ ରିଚାର୍ଡ ଜିଲିସ୍ଙ୍କୁ ବିବାହ କରିଥିଲେ । ଶିବନ୍ ଓଣ୍ଟାରିଓ, ମର୍ଖାମ୍ରେ ଜନ୍ମଗ୍ରହଣ କରିଥିଲେ । ୨୦୧୭ରୁ ୨୦୧୯ ପର୍ଯ୍ୟନ୍ତ ସେ ଟେସ୍ଲାରେ ଅଟୋପାଇଲଟ୍ ଉତ୍ପାଦ ଓ ଚିପ୍ ଡିଜାଇନ୍ ଟିମ୍ର ପ୍ରୋଜେକ୍ଟ ଡାଇରେକ୍ଟର ଭାବେ କାମ କରିଥିଲେ । ଓପନ୍ଏଆଇ ଜରିଆରେ ମଧ୍ୟ ମସ୍କ-ଶିବନ୍ ଏକାଠି କାମ କରିଥିଲେ । ୨୦୨୨ରେ ଜିଲିସ୍ ଓ ମସ୍କଙ୍କ ସମ୍ପର୍କ ଲୋକଲୋଚନକୁ ଆସିଲା । ନଭେମ୍ବର, ୨୦୨୧ରେ ଆଇଭିଏଫ୍ ଜରିଆରେ ଉଭୟ ଗୋଟିଏ ପୁଅ ଓ ଝିଅର ମାତାପିତା ହୋଇଥିଲେ । ରିପୋର୍ଟ ଅନୁସାରେ, ଉଭୟଙ୍କର ୪ ସନ୍ତାନ ଅଛନ୍ତି।