ମୁମ୍ବାଇ ୦୭/୦୧: ଦୀର୍ଘ ଦିନର ଅପେକ୍ଷା ପରେ ଆସନ୍ତା ୧୭ ତାରିଖରେ ମୁକ୍ତିଲାଭ କରିବାକୁ ଯାଉଛି କଙ୍ଗନା ରଣାୱତଙ୍କ ନିର୍ଦ୍ଦେଶିତ-ଅଭିନୀତ ଫିଲ୍ମ ‘ଏମର୍ଜେନ୍ସି’ । ୧୯୭୫ ମସିହାରେ ଭାରତରେ ଘୋଷିତ ଆପାତକାର ୫୦ତମ ବର୍ଷ ପୂରଣ ହୋଇଛି । ଏହି ଘଟଣା ଉପରେ ଆଧାରିତ ଫିଲ୍ମ ‘ଏମର୍ଜେନ୍ସି’ ଗତ ସେପ୍ଟେମ୍ବରରେ ମୁକ୍ତିଲାଭ ପାଇଁ ସ୍ଥିର ହୋଇଥିଲା । କିନ୍ତୁ ଫିଲ୍ମରେ ଅନେକ ବିବାଦୀୟ ସିନ୍‌ ଉପରେ ଆପତ୍ତି ଉଠାଇ ସେନ୍ସର ବୋର୍ଡ ସେଗୁଡ଼ିକୁ କାଟିବାକୁ ପ୍ରସ୍ତାବ ଦେଇଥିଲା । କଙ୍ଗନା ଏହା ବିରୋଧରେ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ତେଣୁ ଫିଲ୍ମ ରିଲିଜ୍‌ରେ ବିଳମ୍ବ ହେଲା । ଏବେ ଫିଲ୍ମର ୨ୟ ଟ୍ରେଲର୍‌ ରିଲିଜ୍‌ ହୋଇଛି । 

ସୋସିଆଲ ମିଡିଆ ୟୁଜର୍‌ ଟ୍ରେଲର୍‌କୁ ନେଇ ସକାରାତ୍ମକ ପ୍ରତିକ୍ରିୟା ଦେଉଛନ୍ତି । ଅନେକ ଫିଲ୍ମର ଆବେଗପୂର୍ଣ୍ଣ ଗଭୀରତା ଓ କାହାଣୀର ଗାମ୍ଭୀର୍ଯ୍ୟକୁ ପ୍ରଶଂସା କରିଛନ୍ତି । ମୋଟାମୋଟି ୟୁଜର୍‌ ଏହାକୁ ‘ପାୱାରଫୁଲ୍‌’ ଭାବେ ବର୍ଣ୍ଣନା କରିଛନ୍ତି ଏବଂ ଏହାର ପ୍ରଭାବଶାଳୀ ଡାଇଲଗ୍‌ ଓ କଳାକାରଙ୍କ ଦମ୍‌ଦାର ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି । ଟ୍ରେଲର୍‌ ଦେଖି କଙ୍ଗନାଙ୍କ ନିଖୁଣ ଅଭିନୟକୁ ଫ୍ୟାନ୍‌ ପ୍ରଶଂସା କରୁଛନ୍ତି । ସେହିପରି ଶ୍ରେୟସ ତଲପଡ଼େ ଓ ଅନୁପମ ଖେରଙ୍କ ଅଭିନୟକୁ ମଧ୍ୟ ଖୁବ୍‌ ପସନ୍ଦ କରିଛନ୍ତି । ଟ୍ରେଲର୍‌କୁ ଚମତ୍କାର କହିବା ସହିତ ଫିଲ୍ମ ବ୍ଲକ୍‌ବଷ୍ଟର୍‌ ହେଉ ବୋଲି କାମନା କରିଛନ୍ତି । 

ଅନେକ ୟୁଜର୍‌ ଟ୍ରେଲର୍‌କୁ ନିଜ ନିଜ ଇନ୍‌ଷ୍ଟା ହ୍ୟାଣ୍ଡେଲ୍‌ରେ ପୋଷ୍ଟ୍‌ କରି ଫିଲ୍ମଟି ପରବର୍ତ୍ତୀ ଜାତୀୟ ପୁରସ୍କାର ଦାବିଦାର ହେବ ବୋଲି ଉଲ୍ଲେଖ କରିଛନ୍ତି । କଙ୍ଗନା ଦିବଂଗତ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକା ନିର୍ବାହ କରିଛନ୍ତି । ଜୟପ୍ରକାଶ ନାରାୟଣ ଭୂମିକାରେ ଅଭିନୟ କରିଚନ୍ତି ଅନୁପମ ଖେର । ଶ୍ରେୟସ ତଲପଡ଼େ ଅଟଳ ବିହାରୀ ବାଜପେୟ ଏବଂ ସାମ୍‌ ମାନେକଶ ଭୂମିକାରେ ଅଛନ୍ତି ମିଲିନ୍ଦ ସୋମନ ।