PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ସିନ୍ଧିଆଙ୍କୁ ନେଇ ରାହୁଲ କହିଲେ- ‘ସେ ମୋର ଏକମାତ୍ର ବନ୍ଧୁ ଯିଏକି କେବେ ବି ମୋ ଘରକୁ ଆସିପାରିଥାନ୍ତେ’

ନୂଆଦିଲ୍ଲୀ,୧୧।୩: କଂଗ୍ରେସ ଛାଡି ଜ୍ୟୋତିରାଦିତ୍ୟ ସିନ୍ଧିଆ ଆଜି ବିଜେପିରେ ସାମିଲ ହୋଇଛନ୍ତି। ପୂର୍ବରୁ ଏଭଳି ଏକ ସମୟ ଥିଲା ଯେବେ ସିନ୍ଧିଆଙ୍କୁ କଂଗ୍ରେସରେ ସବୁଠାରୁ ଲମ୍ବା ରେସର ଘୋଡା ବୋଲି କୁହାଯାଉଥିଲା। ସେ ରାହୁଲ ଗାନ୍ଧିଙ୍କ ନିକଟତମ ନେତାଙ୍କ ଭିତରେ ଥିଲେ ଅନ୍ୟତମ। ସେ ଦଳ ଛାଡିବା ପରେ କଂଗ୍ରେସ ପକ୍ଷରୁ ଇମୋସନାଲ ଟ୍ବିଟ୍ ପରେ ନେତାଙ୍କର ଭିନ୍ନ ଭିନ୍ନ ପ୍ରକାର ମନ୍ତବ୍ୟ ଶୁଣିବାକୁ ମିଳୁଛି। କିନ୍ତୁ ଏହା ଭିତରେ ରାହୁଲ ଗାନ୍ଧି ଦେଇଛନ୍ତି ଏକ ବଡ ମନ୍ତବ୍ୟ। ସେ କହିଛନ୍ତି, ସିନ୍ଧିଆଙ୍କ ପାଇଁ ତାଙ୍କ ଘରର ଦ୍ବାର ସବୁବେଳ ପାଇଁ ଖୋଲା ରହିଛି।

ରାହୁଲଙ୍କୁ ଯେତେବେଳେ ଆଜି ସାମ୍ବାଦିକମାନେ ପ୍ରଶ୍ନ ପଚାରିଥିଲେ, ସିନ୍ଧିଆ ଓ ତାଙ୍କ ଗୋଷ୍ଠୀର ଅଭିଯୋଗ ଯେ, ଆପଣଙ୍କୁ ସେମାନେ ଦେଖା କରିବାକୁ ଚାହୁଁଥିଲେ କିନ୍ତୁ ସାକ୍ଷାତ ହୋଇ ପାରୁନଥିଲା। ଏହାର ଉତ୍ତର ଦେଇ ରାହୁଲ କହିଛନ୍ତି, ଜ୍ୟୋତିରାଦିତ୍ୟ ଓ ମୁଁ ଦୁହେଁ ଏକାଠି ପଢିଛୁ। ସେ ମୋର ଏଭଳି ଏକମାତ୍ର ବନ୍ଧୁ, ଯିଏକି କେବେ ବି ମୋର ଘରକୁ ଆସିପାରନ୍ତି।  ସିନ୍ଧିଆଙ୍କୁ ସାକ୍ଷାତ ନକରିବା ନେଇ ସମୟ ନଦେବା କଥା ଭୁଲ। ସେ ମୋତେ ଯେ କୌଣସି ସମୟରେ ମଧ୍ୟ ଦେଖା କରିପାରିଥାନ୍ତେ ବୋଲି ରାହୁଲ କହିଛନ୍ତି। ଉଲ୍ଲେଖନୀୟ ଯେ, ରାହୁଲ ଓ ସିନ୍ଧିଆଙ୍କ ମଧ୍ୟରେ ରାଜନୈତିକ ବ୍ୟତୀତ ବ୍ୟକ୍ତିଗତ ଜୀବନରେ ଖୁବ୍ ଭଲ ବନ୍ଧୁତ୍ବ ରହିଛି। ଦୁହେଁ ସହପାଠୀ ମଧ୍ୟ ଥିଲେ।

ଉଲ୍ଲେଖନୀୟ ଯେ, ଗତ କିଛି ଦିନ ଧରି ମଧ୍ୟପ୍ରଦେଶରେ ଶାସକ ଦଳ ଭିତରେ ଅସନ୍ତୋଷ ଜାରି ରହିଥିଲା। ଯାହାର ଅବସାନ ଆଜି ଘଟିଥିବା ବେଳେ ସିନ୍ଧିଆ ବିଜେପିରେ ଯୋଗ ଦେଇଛନ୍ତି। ବିଜେପିରେ ଯୋଗ ଦେବା ପରେ ସେ କଂଗ୍ରେସକୁ ଟାର୍ଗେଟ କରିଥିଲେ। ସିନ୍ଧିଆ କହିଥିଲେ, କଂଗ୍ରେସ ଏବେ ଆଉ ପୂର୍ବଭଳି ଦଳ ନାହିଁ। ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା କରି ସିନ୍ଧିଆ କହିଥିଲେ, ଦେଶର ଇତିହାସରେ ଏଭଳି କାହାକୁ ଜନାଦେଶ ମିଳିନାହିଁ, ଯେତିକି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଥରେ ନୁହେଁ ଦୁଇଥର ମିଳିଛି।’