୧୯୬୦ ଦଶକରୁ ଆମ ଦେଶରେ ଗାଁ ଲୋକଙ୍କୁ କାମ ମାଧ୍ୟମରେ ରୋଜଗାର ଦେବାପାଇଁ ଭିନ୍ନ ଭିନ୍ନ ନାମରେ ଯୋଜନାମାନ କାର୍ଯ୍ୟକାରୀ କରାଯାଇଛି । ଯେଉଁ ଲୋକଙ୍କର କାମ ଓ ରୋଜଗାର ଦରକାର ସେମାନଙ୍କ ମଧ୍ୟରୁ ଅଧିକାଂଶ ଭୂମିହୀନ କୃଷିଶ୍ରମିକ ବା ଅତିକ୍ଷୁଦ୍ର ଓ ନାମମାତ୍ର କୃଷକ ଶ୍ରେଣୀର । ଏମାନେ ସାଧାରଣତଃ ରୋଜଗାର ପାଇଁ କୃଷିକାର୍ଯ୍ୟ ଉପରେ ନିର୍ଭର କରିଥାନ୍ତି । କିନ୍ତୁ ବର୍ଷତମାମ କୃଷିକ୍ଷେତ୍ରରେ କାମ ନଥାଏ । ଏହାଛଡ଼ା ଧୋଇ ମରୁଡ଼ି ହେଲେ କୃଷିକାର୍ଯ୍ୟ ବ୍ୟାହତ ହୁଏ ଏବଂ ସେଥିରେ ଶ୍ରମ ବିନିଯୋଗ ମଧ୍ୟ କମିଯାଏ । ଏହି କାରଣରୁ କୃଷିଶ୍ରମିକମାନଙ୍କୁ ବର୍ଷତମାମ ରୋଜଗାର ମିଳିବା ସମ୍ଭବ ହୁଏନାହିଁ, କେତେକଙ୍କ ପାଇଁ ଦୁଇଓଳି ଖାଦ୍ୟ ସଂସ୍ଥାନ ମଧ୍ୟ କଷ୍ଟକର ହୋଇପଡ଼େ ।
୧୯୬୦ ଦଶକରେ ପ୍ରଥମଥର ପାଇଁ ଶ୍ରମଭିତ୍ତିକ ନିଯୁକ୍ତି ଯୋଜନା କାର୍ଯ୍ୟକାରୀ ହୋଇଥିଲା । ବେଳେବେଳେ ଅର୍ଥ ବ୍ୟତୀତ ଖାଦ୍ୟଶସ୍ୟ ମଧ୍ୟ ମଜୁରି ଭାବରେ ଦିଆଯାଉଥିଲା । ୧୯୮୦ ଦଶକରେ ଗାଁରେ ନିଯୁକ୍ତି ସୃଷ୍ଟି କରିବା ପାଇଁ ଦୁଇପ୍ରକାର ଯୋଜନା ଭାରତ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଲା- ଆତ୍ମନିଯୁକ୍ତି ଯୋଜନା ଓ ଶ୍ରମଭିତ୍ତିକ ମଜୁରି ଯୋଜନା । ଏହି ଦୁଇପ୍ରକାର ଯୋଜନା ବିଭିନ୍ନ ନାମରେ ଓ ରୂପରେ ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇଆସୁଛି । କାର୍ଯ୍ୟକ୍ରମଗୁଡ଼ିକର ରୂପରେଖ ମୁଖ୍ୟତଃ କେନ୍ଦ୍ର ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ହୋଇଥାଏ, କିନ୍ତୁ କାର୍ଯ୍ୟକାରୀ ହୋଇଥାଏ ରାଜ୍ୟ ସରକାରଙ୍କ ମାଧ୍ୟମରେ । ୧୦୦ ଟଙ୍କାରୁ କେତେ ଟଙ୍କା କେନ୍ଦ୍ର ସରକାର ଦେବେ ଓ କେତେ ରାଜ୍ୟ ସରକାର ଦେବେ ତାହା ଯୋଜନାରେ ନିର୍ଦ୍ଦିଷ୍ଟ କରାଯାଇଥାଏ । ଏହି ପ୍ରବନ୍ଧ ଆତ୍ମନିଯୁକ୍ତି ସଂପର୍କରେ ନୁହେଁ, ଏହା ହେଉଛି ଶ୍ରମଭିତ୍ତିକ ମଜୁରି ଯୋଜନା ସଂପର୍କରେ । ଏ ପ୍ରକାର ନିଯୁକ୍ତି ଯୋଜନା ସମାଜର ସବୁଠାରୁ ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଇଁ ଆବଶ୍ୟକ ହୋଇଥାଏ, ଯେଉଁମାନେ ଶାରୀରିକ ଶ୍ରମ କରିବା ପାଇଁ ପ୍ରସ୍ତୁତ ।
ପ୍ରଥମଥର ପାଇଁ ଗାଁ ଲୋକଙ୍କୁ ନିଶ୍ଚିତ କର୍ମଯୋଗାଣ ବା ରୋଜଗାରର ଗ୍ୟାରେଣ୍ଟି ଦିଆଗଲା ୨୦୦୫ ମସିହାରେ ଏକ କେନ୍ଦ୍ରୀୟ ଆଇନ ମାଧ୍ୟମରେ । ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏନ୍.ଆର.ଇ.ଜି.ଏ) ଭାବରେ ନାମିତ ହୋଇଥିବା ଯୋଜନାରେ ୨୦୦୯ରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ନାମ ଯୋଡ଼ାଗଲା । ରୋଜଗାର ଗ୍ୟାରେଣ୍ଟିର ଅର୍ଥ ଥିଲା ଯଦି ସରକାର କାମ ଯୋଗାଇବାରେ ବିଫଳ ହୁଅନ୍ତି, ଶ୍ରମଜୀବୀଙ୍କୁ ବେକାରୀ ଭତ୍ତା ଦିଆଯିବ । ଏହି ଦୃଷ୍ଟିରୁ ଯୋଜନାଟି ଚାହିଦା-ଭିତ୍ତିକ ଥିଲା । ରୋଜଗାର ଗ୍ୟାରେଣ୍ଟି ଫଳରେ ନିମ୍ନ ଆୟବର୍ଗର ଲୋକଙ୍କୁ ଯେଉଁସବୁ ଲାଭ ମିଳିଲା ସେଥିରେ ମୁଖ୍ୟ ଥିଲା ଶ୍ରମଜୀବୀମାନଙ୍କ ମଜୁରିରେ ସ୍ଥିରତା । ଯୋଜନାରେ ସର୍ବନିମ୍ନ ମଜୁରି ସ୍ଥିର କରି ଦିଆଯାଇଥିବାରୁ ଗାଁ-ଗଣ୍ଡାରେ ଅନ୍ୟ କାମ ପାଇଁ ମଧ୍ୟ ସେମାନେ ଅନ୍ତତଃ ସେତିକି ମଜୁରି ପାଇବେ ଏହା ଆଶା କରିବା କଥା । ଅନ୍ୟ ଭାବରେ ଦେଖିଲେ ଶ୍ରମଜୀବୀମାନଙ୍କର ମଜୁରି ମୂଲଚାଲ କରିବାର ସାମର୍ଥ୍ୟ ବଢ଼ିଲା । ଯୋଜନାଟି କୌଣସି ନିର୍ଦ୍ଦିଷ୍ଟ ବର୍ଗ ପାଇଁ ଉଦ୍ଦିଷ୍ଟ ନଥିଲା, ବରଂ ଏହା ଥିଲା ସମସ୍ତଙ୍କ ପାଇଁ ଶହେଦିନ କାମର ଗ୍ୟାରେଣ୍ଟି । ବିଶେଷ ପରିସ୍ଥିତିରେ କର୍ମ ଦିବସର ସଂଖ୍ୟା ବଢ଼ାଇବାର ସୁଯୋଗ ଥିଲା ।
କାର୍ଯ୍ୟକ୍ରମର ସମୀକ୍ଷାରୁ ଜଣାପଡ଼ିଥିଲା ଯେ, ଏହି ଯୋଜନାରେ ଅଧିକ ମହିଳାଙ୍କୁ କାମ ମିଳିଥିଲା ଏବଂ ଜାତିଗତ ବୈଷମ୍ୟ ଦୂର ପାଇଁ ଏହା ଥିଲା ଏକ ସମୁଚିତ ପଦକ୍ଷେପ । ଦେଶର ଜନସଂଖ୍ୟାରେ ୮.୬ ପ୍ରତିଶତ ଆଦିବାସୀ ହୋଇଥିଲେ ମଧ୍ୟ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଯୋଜନାରେ ସେମାନଙ୍କର ଯୋଗଦାନ ଥିଲା ୧୮ ପ୍ରତିଶତ । ଯୋଜନାରେ କାମ ପାଉଥିବା ସମୁଦାୟ ଶ୍ରମଜୀବୀଙ୍କ ମଧ୍ୟରୁ ଦଳିତ ଓ ଆଦିବାସୀମାନଙ୍କ ସଂଖ୍ୟା ଥିଲା ୩୭% । କାର୍ଯ୍ୟକ୍ରମ ଅଧୀନରେ କେଉଁପ୍ରକାର କାମ ହୋଇପାରିବ ତା’ପାଇଁ ସରକାରଙ୍କର ମାର୍ଗଦର୍ଶିକା ଥିଲା ସତ, କିନ୍ତୁ କେଉଁ ଗାଁରେ କେଉଁ ନିର୍ଦ୍ଦିଷ୍ଟ କାମ ହେବ ତାହା ଗ୍ରାମସଭା ସ୍ଥିର କରିବ ବୋଲି ବ୍ୟବସ୍ଥା ଥିଲା । ଏହାଦ୍ୱାରା ଶ୍ରମଭିତ୍ତିକ କାର୍ଯ୍ୟଦ୍ୱାରା କେଉଁ ପ୍ରକଳ୍ପ ଲୋକଙ୍କର ବେଶି କାମରେ ଲାଗିବ ସେହି ଅନୁସାରେ ଗାଁ ଲୋକେ ଏକାଠି ବସି ନିଷ୍ପତ୍ତି ନେଇପାରୁଥିଲେ ବୋଲି କୁହାଯାଇପାରିବ । ପ୍ରକଳ୍ପ ତାଲିକା କୌଣସି କେନ୍ଦ୍ରୀୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ସ୍ଥିର ହେଉନଥିଲା, ବରଂ ବିକେନ୍ଦ୍ରିତ ବ୍ୟବସ୍ଥା ମାଧ୍ୟମରେ ସ୍ଥିର ହେଉଥିଲା ।
ଏହିସବୁ କାରଣରୁ ଆଶା କରାଯାଉଥିଲା, ସବୁଠାରୁ ନିମ୍ନ ଆୟବର୍ଗର ଲୋକେ ଯୋଜନାରୁ ସବୁଠାରୁ ବେଶି ଲାଭ ପାଇବେ । ପ୍ରକୃତରେ ଆଇନ୍ ଓ ମାର୍ଗଦର୍ଶିକା ଅନୁସାରେ ଯେ ସବୁଠି ଯୋଜନାଟି କାର୍ଯ୍ୟକାରୀ ହେଉଥିଲା ତାହା ନୁହେଁ । ଅନେକ କ୍ଷେତ୍ରରେ ଶ୍ରମଜୀବୀମାନେ ମଜୁରି ପାଇବାରେ ଅନେକ ବିଳମ୍ବ ହେବାର ଦୃଷ୍ଟାନ୍ତ ଥିଲା । କମ୍ପ୍ୟୁଟର ଓ ଇଣ୍ଟରନେଟ୍ର ବ୍ୟବହାର, ସମସ୍ତଙ୍କ ପାଇଁ ଆଧାରକାର୍ଡ଼ର ଆବଶ୍ୟକତା ଇତ୍ୟାଦି କାରଣରୁ ଅନେକ କାମ ପାଇବା ପାଇଁ ଯୋଗ୍ୟ ଲୋକ ଅଯୋଗ୍ୟ ବିବେଚିତ ହେଉଥିଲେ । ବିଭିନ୍ନ ଅଞ୍ଚଳରୁ ମିଳୁଥିବା ତଥ୍ୟରୁ ଜଣାପଡୁଥିଲା କାର୍ଯ୍ୟଗୁଡ଼ିକରେ ଅଧିକ ପରିମାଣରେ ଯନ୍ତ୍ରପାତି ବ୍ୟବହାର ହେଉଥିଲା ଏବଂ ଅନେକ କ୍ଷେତ୍ରରେ ଠିକାଦାରମାନେ ଜବ୍ କାର୍ଡ଼ଗୁଡ଼ିକୁ ନିଜ ପାଖରେ ରଖି ମେସିନ୍ ସାହାଯ୍ୟରେ କାମ କରୁଥିଲେ ଓ ନକଲି ମାଷ୍ଟରରୋଲ ତିଆରି କରୁଥିଲେ ଶ୍ରମଜୀବୀଙ୍କ ନାମରେ ।
ସର୍ବଭାରତୀୟ ସ୍ତରରେ ଅପେକ୍ଷାକୃତ ପଛୁଆ ରାଜ୍ୟଗୁଡ଼ିକ ନିଯୁକ୍ତି ଗ୍ୟାରେଣ୍ଟି ଯୋଜନାରୁ ଅଧିକ ଲାଭବାନ ହୋଇଥିବେ ବୋଲି ଆଶା କରିବା କଥା । କିନ୍ତୁ ପ୍ରକୃତରେ ତାମିଲନାଡୁ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଓ କେରଳ ପରି ଆଗୁଆ ରାଜ୍ୟରେ ଏହି ଯୋଜନାରେ ବ୍ୟୟ ପରିମାଣ ସର୍ବାଧିକ ଥିଲା । ବିହାର ଓ ଉତ୍ତରପ୍ରଦେଶ ପରି ଅପେକ୍ଷାକୃତ ଅନଗ୍ରସର ରାଜ୍ୟରେ ଏହି ଯୋଜନାରେ ଅଧିକ ବ୍ୟୟ ହେବ ବୋଲି ଆଶା କରିବା କଥା । କିନ୍ତୁ କାର୍ଯ୍ୟତଃ ତାହା ହେଉନଥିଲା । ଯୋଜନାଟିର ଅନ୍ୟ ଏକ ଲକ୍ଷ୍ୟ ଥିଲା ଗ୍ରାମାଞ୍ଚଳରେ ଏପରି ଭିତ୍ତିଭୂମି ନିର୍ମାଣ କରିବା ଯାହା ଦୀର୍ଘସ୍ଥାୟୀ ହେବ, ଏବଂ ଭବିଷ୍ୟତରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ, ଯେପରି ପୁଷ୍କରିଣୀ ଖନନ ବା ସେଗୁଡିକର ପୁନଃନିର୍ମାଣ, ରାସ୍ତା ନିର୍ମାଣ, ଆର୍ଥିକ ଦୁର୍ଗତି ଭୋଗୁଥିବା ଲୋକଙ୍କର ଗୃହ ନିର୍ମାଣ, ଚାଷଜମି ଆବାଦ ଇତ୍ୟାଦି ।
ସେହିପରି ପରିବେଶର ଉନ୍ନତିକରଣ ପାଇଁ ଚାରାରୋପଣ, ମୃତ୍ତିକା ସଂରକ୍ଷଣ ଇତ୍ୟାଦି କାର୍ଯ୍ୟ ମଧ୍ୟ ଯୋଜନାରେ ପ୍ରାଥମିକତା ପାଇବା କଥା ଥିଲା । ଏକଥା ସତ ଯେ ଅନେକ କ୍ଷେତ୍ରରେ ଏଥିରେ ବ୍ୟତିକ୍ରମ ଦେଖାଯାଉଥିଲା । ଅନୁଭୂତିରୁ ଦେଖାଯାଉଥିଲା ଯେ ପଞ୍ଚାୟତିରାଜ ବିଭାଗ ବ୍ୟତୀତ ଜଙ୍ଗଲ, ଜଳସଂପଦ, ଗ୍ରାମ ଉନ୍ନୟନ ଇତ୍ୟାଦି ଅନ୍ୟ ସରକାରୀ ବିଭାଗଗୁଡ଼ିକ ନିଯୁକ୍ତି ଗ୍ୟାରେଣ୍ଟି ଯୋଜନାରୁ ପାଣ୍ଠି ନେଇ ନିଜ ବିଭାଗର କିଛି ପ୍ରକଳ୍ପ କାର୍ଯ୍ୟରେ ବ୍ୟବହାର କରିପାରିଥାନ୍ତେ, କିନ୍ତୁ ସେମାନେ ଏଥିପାଇଁ ଆଗ୍ରହ ପ୍ରକାଶ କରୁନଥିଲେ । ବ୍ୟତିକ୍ରମ ସତ୍ତେ୍ୱ ଗ୍ରାମାଞ୍ଚଳ ନିଯୁକ୍ତି ଗ୍ୟାରେଣ୍ଟି ଯୋଜନାର ଯେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରାସଙ୍ଗିକତା ଥିଲା ଏଥିରେ ସନ୍ଦେହ ନାହିଁ । ବର୍ଷାଭାବ ଯୋଗୁଁ ଚାଷକାମ ବ୍ୟାହତ ହେଲେ ଶ୍ରମଜୀବୀମାନଙ୍କ ପାଇଁ ଏକ ବିକଳ୍ପପନ୍ଥା ଭାବରେ ଯୋଜନାଟି ଫଳପ୍ରଦ ହେଉଥିଲା । କୋଭିଡ-୧୯ ସମୟରେ କାମପାଇଁ ସହରରେ ରହୁଥିବା ବହୁସଂଖ୍ୟାର ଲୋକ ନିଜ ଗାଁକୁ ଫେରିବାକୁ ବାଧ୍ୟ ହୋଇଥିଲେ । ଗାଁରେ କିଛି କାମ ନମିଳିଥିଲେ ସେମାନଙ୍କର ଅବସ୍ଥା ଅଧିକ ଶୋଚନୀୟ ହୋଇଥାନ୍ତା । ଏହିପରି ଲୋକଙ୍କୁ ନିଯୁକ୍ତି ଗ୍ୟାରେଣ୍ଟି ଯୋଜନାରେ କାମ ଯୋଗାଇ ଦିଆଯାଇପାରିଲା ।
ନିଯୁକ୍ତି ଗ୍ୟାରେଣ୍ଟି ଯୋଜନାକୁ ଅଧିକ ଫଳପ୍ରଦ ଭାବରେ କାର୍ଯ୍ୟକାରୀ କରିବା ସମ୍ଭବ ଥିଲେ ମଧ୍ୟ ଏଥିପାଇଁ ଯେତିକି ଧ୍ୟାନଦେବା କଥା ତାହା ଦିଆଯାଉନଥିଲା । ଦୁର୍ନୀତିର ପ୍ରତିକାର ପାଇଁ ଯେଉଁ ସାମାଜିକ ଅଡିଟ ବା ସମୀକ୍ଷାର ବ୍ୟବସ୍ଥା ଥିଲା ସେ ଦିଗଟି ଉପରେ ଓଡ଼ିଶା ସମେତ ଅନେକ ରାଜ୍ୟରେ ଆଦୌ ଗୁରୁତ୍ୱ ଦିଆଯାଉନଥିଲା । ଯେତେବେଳେ ଯେଉଁ ସମସ୍ୟା ଉପୁଜୁଥିଲା ତାହାର ସମାଧାନ କରିଥିଲେ ଗାଁ ଲୋକଙ୍କ ପାଇଁ ନିଶ୍ଚିତ କର୍ମନିଯୁକ୍ତି ଯୋଜନାର ଫଳାଫଳ ଉନ୍ନତମାନର ହୋଇପାରିଥାନ୍ତା । ନିଯୁକ୍ତି ଗ୍ୟାରେଣ୍ଟି ଯୋଜନାକୁ ବିଭିନ୍ନ ନୂଆ କ୍ଷେତ୍ରକୁ ପ୍ରସାରିତ କରାଯାଇପାରିଥାନ୍ତା, ଯେପରି ବୟସ୍କ ଲୋକମାନଙ୍କର ଯତ୍ନ, ଗାଁ ପାଠାଗାର ପରିଚାଳନା ଇତ୍ୟାଦି ପାଇଁ ଯେଉଁ ମାନବ ସମ୍ବଳର ଆବଶ୍ୟକତା ଅଛି ତାହାକୁ ପୂରଣ କରାଯାଇପାରିଥାନ୍ତା । ଏସବୁ ଦିଗ ପ୍ରତି ଦୃଷ୍ଟି ନଦେଇ ନିକଟରେ ଯୋଜନାର ରୂପରେଖ ସଂପୂର୍ଣ୍ଣ ବଦଳାଇ ଦିଆଗଲା । ଫଳତଃ ଯୋଜନାଟିକୁ ଦୁର୍ବଳ କରିଦିଆଗଲା ବୋଲି କୁହାଯାଇପାରେ ।
ନୂଆ ଯୋଜନାରେ ରାଜ୍ୟ ସରକାରଙ୍କର ଅଂଶଧନ ୧୦%ରୁ ୪୦%କୁ ବଢ଼ାଇବା ଦ୍ୱାରା ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ରାଜ୍ୟଗୁଡ଼ିକ ଏଥିପାଇଁ ବ୍ୟୟବରାଦ କରିବା ସହଜ ହେବନାହିଁ । ପୂର୍ବ ଯୋଜନାରେ ବର୍ଷରେ ୧୦୦ଦିନ କାମ ମିଳୁଥିବାବେଳେ ଏବେ ୧୨୫ଦିନର କାମ ମିଳିବ ବୋଲି ବ୍ୟବସ୍ଥା ହୋଇଛି ସତ, କିନ୍ତୁ ବାସ୍ତବରେ ଅଧିକାଂଶ ସ୍ଥାନରେ ୧୦୦ଦିନ ପାଇଁ ମଧ୍ୟ କାମ ଯୋଗାଇ ଦିଆଯାଉନଥିଲା । ପରିବର୍ତ୍ତିତ ଯୋଜନାରେ ରାଜ୍ୟ ସରକାରମାନେ ଅଧିକ ବ୍ୟୟବରାଦ କରି ୧୨୫ଦିନ ପାଇଁ କାମ ଯୋଗାଇବେ ଏହା ଆଶା କରିବା ଅବାସ୍ତବ ହେବ । ହୁଏତ ଆଗୁଆ ରାଜ୍ୟଗୁଡିକ ଏଥିରୁ ଅଧିକ ଲାଭ ପାଇବେ ଏବଂ ଯେଉଁଠାରେ କର୍ମନିଯୁକ୍ତି ଯୋଜନାର ଆବଶ୍ୟକତା ବେଶି ସେସବୁ ରାଜ୍ୟଗୁଡ଼ିକ ଅଧିକ କେନ୍ଦ୍ରୀୟ ସହାୟତା ପାଇବାରୁ ବଞ୍ଚିତ ହେବେ ।
ଯୋଜନାର ନାମ ବଦଳାଇବାକୁ ନେଇ ଅନେକ ବିତର୍କ ଓ ସମାଲୋଚନା ହୋଇସାରିଛି । ପ୍ରକୃତରେ ନିଯୁକ୍ତି ଯୋଜନାକୁ କେଉଁ ନାମ ଦିଆଗଲା ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ । ପ୍ରକୃତରେ ଗୁରୁତ୍ୱପୂର୍ଣ୍ଣ ହେଉଛି ଗାଁ ଲୋକଙ୍କୁ ତାଙ୍କର ଆବଶ୍ୟକତା ଅନୁସାରେ ଶ୍ରମଭିତ୍ତିକ କାର୍ଯ୍ୟ ଯୋଗାଇବା । ଯଦି ସେପରି କାର୍ଯ୍ୟ ମାଧ୍ୟମରେ କିଛି ଦୀର୍ଘସ୍ଥାୟୀ ପ୍ରକଳ୍ପ କରାଯାଇ ଭବିଷ୍ୟତରେ ଅଧିକ ନିଯୁକ୍ତିର ସୁଯୋଗ ମିଳିଥାନ୍ତା, ତାହା ହିଁ ହୋଇଥାନ୍ତା ଯୋଜନାରୁ ମିଳୁଥିବା ପ୍ରକୃତ ଅତିରିକ୍ତ ଲାଭ । ବର୍ତ୍ତମାନର କେନ୍ଦ୍ର ସରକାର ନିଯୁକ୍ତି ଗ୍ୟାରେଣ୍ଟି ଯୋଜନାକୁ ପ୍ରାଥମିକତା ନଦେବାର କାରଣ ବୋଧହୁଏ ଥିଲା ପୂର୍ବ ସରକାରଙ୍କ ସମୟରେ ଆରମ୍ଭ କରାଯାଇବା ଏହି ଯୋଜନା ରୂପାୟନରେ ଥିବା ତ୍ରୁଟି ବିଚ୍ୟୁତି ।
ପ୍ରକୃତରେ ଗତ କେତେବର୍ଷ ହେଲା ଏହି ଯୋଜନା ପାଇଁ ବ୍ୟୟବରାଦ କ୍ରମେ କମିଯାଉଥିଲା । ନୂଆ ଯୋଜନା ଏହି ତ୍ରୁଟିଗୁଡ଼ିକୁ ଦୂର କରିବା ପାଇଁ ଅଧିକ ଧ୍ୟାନ ଦେଇଥିଲେ ଭଲ ହୋଇଥାନ୍ତା । ବାସ୍ତବରେ ଦେଶ ଅର୍ଥନୈତିକ ପ୍ରଗତି ରାସ୍ତାରେ ଆଗେଇବାବେଳେ ଓ ଉଚ୍ଚମାନର ନିଯୁକ୍ତି ସୃଷ୍ଟି ହେଉଥିଲେ ଶ୍ରମଭିତ୍ତିକ ନିଯୁକ୍ତି ଗ୍ୟାରେଣ୍ଟି ଯୋଜନାର ପ୍ରାସଙ୍ଗିକତା ଓ ଗୁରୁତ୍ୱ କ୍ରମେ କମିବା କଥା । କିନ୍ତୁ ଆମ ଅର୍ଥନୈତିକ ବ୍ୟବସ୍ଥା ଯଥେଷ୍ଟ ନିଯୁକ୍ତି ସୁଯୋଗ ସୃଷ୍ଟି କରୁନଥିବାରୁ କୃଷିଶ୍ରମିକମାନଙ୍କୁ କାମ ଯୋଗାଇଦେବାର ଦାୟିତ୍ୱ ସରକାରଙ୍କୁ ନେବାକୁ ପଡୁଛି । ଏହା ହିଁ ନିଯୁକ୍ତି ଗ୍ୟାରେଣ୍ଟି ଯୋଜନା ପାଇଁ ମୌଳିକ ଯୁକ୍ତି । ଗାଁମାନଙ୍କରେ ଏବେ ମଧ୍ୟ ବିଭିନ୍ନ ପ୍ରକାର ସାମୂହିକ ଭିତ୍ତିଭୂମି କାର୍ଯ୍ୟର ଆବଶ୍ୟକତା ଅଛି । ଏଗୁଡ଼ିକୁ ଠିକ୍ଭାବରେ ସମ୍ପାଦନ କରିପାରିଲେ ଭବିଷ୍ୟତରେ ଉତ୍ପାଦନ କ୍ଷମତା ବଢ଼ିପାରିବ । ଏହାକୁ ହୁଏତ କେତେକାଂଶରେ ମେସିନ୍ ସାହାଯ୍ୟରେ କରିହେବ, କିନ୍ତୁ କାମକୁ ସଂପୂର୍ଣ୍ଣ ଓ ସୁନ୍ଦର କରିବା ପାଇଁ ଶାରୀରିକ ଶ୍ରମର ମଧ୍ୟ ଆବଶ୍ୟକତା ଥାଏ । ଯୋଜନାର ନିୟମାବଳୀକୁ ବାସ୍ତବବାଦୀ ଢଙ୍ଗରେ ତିଆରି କରିପାରିଲେ ଅଧିକ ଲୋକଙ୍କର ମଙ୍ଗଳ ହୁଅନ୍ତା ।