କଟକ,୧୯/୦୩: ରାସ୍ତା ପ୍ରଶସ୍ତିକରଣ ପ୍ରକଳ୍ପରେ ଜବରଦଖଲକାରୀମାନେ ବାଧା ସୃଷ୍ଟି କରିପାରିବେ ନାହିଁ । ଜବରଦଖଲ କୌଣସି ଦୃଷ୍ଟିରୁ ଗ୍ରହଣୀୟ ନୁହେଁ । ସାଧାରଣ ଜନତାଙ୍କ ସୁରକ୍ଷା ଏବଂ ବିକାଶମୂଳକ କାର୍ଯ୍ୟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । କେବଳ କିଛି ବ୍ୟକ୍ତିଙ୍କ ସ୍ୱାର୍ଥ ପାଇଁ ସମ୍ପ୍ରସାରଣ କାର୍ଯ୍ୟକୁ ଅଟକାଯାଇପାରିବ ନାହିଁ ବୋଲି ହାଇକୋର୍ଟ ମତ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ହାଇକୋର୍ଟ ପ୍ରକୃତ ତଥ୍ୟ ଲୁଚାଇଥିବା ଆବେଦନକାରୀଙ୍କୁ କଡ଼ା ସମାଲୋଚନା କରିବା ସହ ଆବେଦନକୁ ଖାରଜ କରିଦେଇଛନ୍ତି ।

ଖୋର୍ଦ୍ଧା ଜିଲ୍ଲା ଅନ୍ଧାରୁଆ ପଞ୍ଚାୟତ ଚୁନୁକାଲି ଗ୍ରାମର କିଛି ବାସିନ୍ଦାଙ୍କ ପକ୍ଷରୁ ଆଗତ ରିଟ୍ ପିଟିସନ୍‌କୁ  ଖାରଜ କରିବା ଅବସରରେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ ଏବଂ ଜଷ୍ଟିସ୍ ଏମ୍.ଏସ୍. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଆଦେଶ ଦେଇଛନ୍ତି । ଆବେଦନକାରୀମାନେ ଅଭିଯୋଗ କରିଥିଲେ ଯେ, ସେମାନଙ୍କ ଗାଁ ବାଟଦେଇ ଏକ ସଡ଼କ ନିର୍ମାଣ ପାଇଁ ଡିପିଆର ପ୍ରସ୍ତୁତ କରାଯାଇଥିଲା । କିନ୍ତୁ ଏହି ଡିପିଆରକୁ ପରେ ବଦଳାଯାଇ ରାସ୍ତାର ଦିଗ ପରିବର୍ତ୍ତନ କରାଗଲା । ଯେଉଁ ଜମି ଦେଇ ରାସ୍ତା ତିଆରି କରାଯିବ ତା’ ଦ୍ୱାରା ସେମାନଙ୍କ ଘରକୁ ଭଙ୍ଗାଯିବ । ସେମାନେ ଅନୁସୂଚିତ ଜନଜାତି ବର୍ଗର । ତେଣୁ ସେମାନଙ୍କର ସ୍ୱାର୍ଥରକ୍ଷା କରାଯିବା ଆବଶ୍ୟକ । ତେଣୁ ନୂତନ ଡିପିଆର ଆଧାରରେ ରାସ୍ତା ନିର୍ମାଣ ପାଇଁ ଅନୁମତି ଦେବାକୁ ପ୍ରାର୍ଥନା କରାଯାଇଥିଲା ।

ଅଦାଲତ କହିଛନ୍ତି ଯେ ଆବେଦନକାରୀମାନେ ପୂର୍ବରୁ ସିଭିଲ୍ କୋର୍ଟରେ ହାରିସାରିଥିବା ଏବଂ ସେମାନଙ୍କୁ ଜମି ଖାଲି କରିବା ପାଇଁ ଆଦେଶ ଦିଆଯାଇଥିବା କଥା ହାଇକୋର୍ଟଙ୍କୁ ଜଣାଇନଥିଲେ । ଅଦାଲତ ଏହାକୁ ଅଦାଲତଙ୍କ ପ୍ରକ୍ରିୟାର ଅପବ୍ୟବହାର ବୋଲି କହିଛନ୍ତି । ସରକାରୀ ଜମି ଜବରଦଖଲ କରିଥିବା ବ୍ୟକ୍ତିମାନେ କୌଣସି ପ୍ରକାର ଆଇନଗତ ସୁରକ୍ଷା ପାଇବାକୁ ଯୋଗ୍ୟ ନୁହଁନ୍ତି । ଅଦାଲତ କହିଛନ୍ତି ଯେ ରାସ୍ତା କାମ ପାଇଁ ଜବରଦଖଲ ହଟାଇବା ଜରୁରି ଏବଂ ଏଥିପାଇଁ କଠୋର ପଦକ୍ଷେପ ନିଆଯିବ । ଗାଡ଼ି ଚଳାଚଳର ସୁବିଧା ଏବଂ ଦୁର୍ଘଟଣା ରୋକିବା ପାଇଁ ବୈଷୟିକ ବିଶେଷଜ୍ଞଙ୍କ ଦ୍ୱାରା ପ୍ରସ୍ତୁତ ନୂତନ ରାସ୍ତା ପ୍ଲାନ ଅନୁଯାୟୀ ରାସ୍ତା ସଂପ୍ରସାରଣ କାମ ଜାରି ରଖିବାକୁ ଅଦାଲତ ଅନୁମତି ଦେଇଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଏଜିଏ ଦେବାଶିଷ ତ୍ରିପାଠୀ ଏହି ମାମଲା ପରିଚାଳନା କରୁଥିଲେ ।

ଅଧିକ ପଢ଼ନ୍ତୁ :- ବେପାରୀଙ୍କ ଜୁଲମ୍, ଅଭାବୀ ବିକ୍ରିର ଚାଷୀ ଶିକାର: ଶୀତଳଭଣ୍ଡାର ନାହିଁ, ଝାଳବୁହା ଚାଷର ମିଳୁନି ଉଚିତ ମୂଲ୍ୟ