ଅସ୍ତରଙ୍ଗ,୧୯/୦୩: ପୁରୀ ଜିଲ୍ଲା ଅସ୍ତରଙ୍ଗ ବଜାରରେ ଟମାଟୋ ଦର କେଜି ପିଛା ୨୦ ଟଙ୍କା । ହେଲେ ବଜାରଠାରୁ ୪ କିଲୋମିଟର ଦୂର ଖଣ୍ଡାସାହି, ବେଗୁନିଆବସ୍ତ ଅଞ୍ଚଳ ଚାଷୀଙ୍କ ବିଲ ମୁଣ୍ଡରେ କେଜି ପିଛା ମାତ୍ର ୨ ଟଙ୍କା । ଅମଳ ସମୟରେ ସଂରକ୍ଷଣ ବ୍ୟବସ୍ଥା ନଥିବାରୁ ଦର କମୁଛି । ବେପାରୀଙ୍କ ଜୁଲମ୍ ଆଗରେ ଚାଷୀ ଅଭାବୀ ବିକ୍ରିର ଶିକାର ହେଉଛି । ଚାଷ ଖର୍ଚ୍ଚ ଦୂରର କଥା ତୋଳିବା ମୂଲ ଉଠୁନି । ସରକାର ଏଥିପ୍ରତି ଦୃଷ୍ଟି ଦେଉ ନଥିବାରୁ ଅଞ୍ଚଳର ଶତାଧିକ ଚାଷୀ ଅଭାବୀ ବିକ୍ରିର ଶିକାର ହେଉଛନ୍ତି ।
ଅସ୍ତରଙ୍ଗ ଅଞ୍ଚଳରେ ଧାନ ଅମଳ ପରେ ଚାଷୀ ବିଭିନ୍ନ ଫସଲ କରିଥାନ୍ତି । ବାଇଗଣ, କୋବି, ଟମାଟୋ, ବିନ୍ସ ଆଦି ଚାଷ ହୁଏ । ବେଗୁନିଆବସ୍ତ, ଖଣ୍ଡାସାହି, ଓସ୍ତପୁର, ଝାରିଆ, ଓସିଆ ନଦୀ ପଠାରେ ବହୁଳ ଭାବେ ପନିପରିବା ଫସଲ ହୋଇଥାଏ । ଅଦିନିଆ ବର୍ଷାରେ ଧାନ ନଷ୍ଟ ସହ ଏଫଏକ୍ୟୁ ମାନକୁ ଡରି ଅନେକ ଚାଷୀ ଦଲାଲ ହାତରେ ଧାନ ଟେକି ଦେଇଥିଲେ । ଆଶା ଥିଲା ପରବର୍ତ୍ତୀ ଫସଲରେ ଦୁଇ ପଇସା ପାଇଲେ ପରିବାର ଚଳିବ । ଅମଳ ବେଳକୁ କିନ୍ତୁ ଅଭାବୀ ବିକ୍ରି ଚାଷୀର ମେରୁଦଣ୍ଡ ଭାଙ୍ଗି ଦେଇଛି ।
ବେଗୁନିଆବସ୍ତ ଅଞ୍ଚଳର ଚାଷୀ ପଦ୍ମଚରଣ ସ୍ୱାଇଁ, ପ୍ରଶାନ୍ତ ସ୍ୱାଇଁ ପ୍ରମୁଖ କହିଛନ୍ତି, ଟମାଟୋ ଚାଷ ପାଇଁ ଏକର ପିଛା ୨୫ରୁ ୩୦ ହଜାର ଟଙ୍କା ଖର୍ଚ୍ଚ ହେଉଛି । ଏବେ ଅମଳ ବେଳକୁ ଦର ୨ ଟଙ୍କା ହୋଇଯିବାରୁ ଚିନ୍ତାରେ ପଡ଼ିଛୁ । ଅନ୍ୟ ଫସଲ ଭଳି ଏହା ଅଧିକ ଦିନ ରହିପାରିବ ନାହିଁ । ପଚିଯିବା ପୂର୍ବରୁ ବାଧ୍ୟ ହୋଇ ୨ ଟଙ୍କାରେ ବିଲ ପାଖରେ ବେପାରୀଙ୍କୁ ବିକୁଛୁ । ବେପାରୀ ୨୫ କେଜି ଟ୍ରେ ପିଛା ଶହେରୁ ୧୨୦ ପର୍ଯ୍ୟନ୍ତ ଦେଉଛନ୍ତି । ତୋଳିବା ମଜୁରୀ ବି ଉଠୁନି । ଚାଷୀ ଆଉ ତୋଳୁ ନଥିବାରୁ ଟମାଟୋ ବିଲରେ ପଚୁଛି । ଏବେ ପ୍ରଚୁର ଅମଳ ହେଉଥିବା ବେଳେ ଦର ୨ ଟଙ୍କା ହୋଇଥିବାରୁ ଖୁବ୍ ବାଧୁଛି ବୋଲି ଚାଷୀ ପୀତବାସ ସ୍ୱାଇଁ କହିଛନ୍ତି । ଶୀତଳଭଣ୍ଡାର ନଥିବାରୁ ଚାଷୀ ନିରୁପାୟ ହୋଇପଡୁଛି । ବେପାରୀ ମାତ୍ର ୨ ଟଙ୍କାରେ କିଣି ବଜାରରେ ଅଧିକ ଦରରେ ବିକ୍ରି କରୁଛନ୍ତି ।
ଅପରପକ୍ଷରେ ବଜାରରେ ଦର ପୂର୍ବ ଅପେକ୍ଷା କମିଥିଲେ ବି ଏବେ ଟମାଟୋ କେଜି ପିଛା ୧୫ରୁ ୨୦ ଟଙ୍କା ରହିଛି । ଅସ୍ତରଙ୍ଗ ପରିବା ହାଟରେ କେଉଁଠି କେଜି ୨୦ ଟଙ୍କା ରହିଥିବା ବେଳେ କେଉଁଠି ଦେଢ଼ କେଜିକୁ ୨୦ ଟଙ୍କାରେ ବିକ୍ରି ହେଉଛି । ପରିବା ବେପାରୀଙ୍କ କହିବା କଥା, ଚାଷୀଙ୍କ ପାଖରୁ ଛୋଟ, ବଡ଼, ଫଟା ଆଦି ମିଶା ଟମାଟୋ ଆସୁଛି । ଦିନକ ପରେ ବହୁ ପରିମାଣର ପଚା ବାହାରୁଛି । ଗାଡ଼ି ଖର୍ଚ୍ଚ ଆଦି ସବୁକୁ ଦେଖିଲେ ଦର ଠିକ୍ ରହିଛି ବୋଲି ଜଣେ ବ୍ୟବସାୟୀ କହିଛନ୍ତି । ଯୋଗାଣ ବିଭାଗ ଓ ନିୟନ୍ତ୍ରିତ ବଜାର କମିଟିର ଅବହେଳା ଯୋଗୁଁ ଚାଷୀ ଅଭାବୀ ବିକ୍ରିର ଶିକାର ହେଉଥିବା ଅଭିଯୋଗ ହେଉଛି । ଅସ୍ତରଙ୍ଗ ବ୍ଲକ ଅଞ୍ଚଳରେ ଏକ ଶୀତଳଭଣ୍ଡାର ହେଲେ ଚାଷୀ ଉପକୃତ ହୋଇପାରିବେ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।
ଅଧିକ ପଢ଼ନ୍ତୁ :- ମାଛକୁଣ୍ଡ ବଜାରରେ ବୁଲୁଛି ଭାଲୁ, ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ