PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେସିଙ୍ଗା : କେସିଙ୍ଗାରେ ବୃଦ୍ଧି ପାଇବାରେ ଲାଗିଛି ସଟ୍ଟା ଖେଳ ସହିତ ବେଆଇନ ମଦ ବିକ୍ରି, ୩ ଗିରଫ
  • ||
  • କଣ୍ଟାବାଞ୍ଜି : ରାଜ୍ୟ ବାହାରେ ଓଡ଼ିଆ ପରିବାରକୁ ନିର୍ମମ ହତ୍ୟା, ସ୍ଵାମୀ-ସ୍ତ୍ରୀ ସମେତ ଦୁଇ ଛୁଆ ମୃତ
  • ||
  • କଟକ : ବଢିବ ହାଇସିକ୍ୟୁରିଟି ନମ୍ଵର ପ୍ଲେଟ ଅବଧି, ମାସେ ସମୟସୀମା ବୃଦ୍ଧିକଲେ ସରକାର
  • ||

୪୪ ବର୍ଷର ସ୍ୱପ୍ନ ସଫଳ ଲକ୍ଷ୍ୟରେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ

ଲଣ୍ଡନ୍‌,୧୩ା୭(ଏଜେନ୍ସି): ୪୪ଦିନର ରୋମାଞ୍ଚ ଓ ସଂଘର୍ଷ ଶେଷ ହୋଇଛି । ଆସନ୍ତାକାଲି ଟାଇଟଲ ଟକ୍କର । ଆୟୋଜକ ଇଂଲଣ୍ଡ ଓ ଶୃଙ୍ଖଳିତ ନ୍ୟୁଜିଲାଣ୍ଡ ଟାଇଟଲ ଲଢେଇ ପାଇଁ ପ୍ରସ୍ତୁତ । ଐତିହାସିକ ଲର୍ଡ୍ସ କ୍ରିକେଟ୍‌ ଗ୍ରାଉଣ୍ଡ ଆସନ୍ତାକାଲି ନୂଆ ଚାମ୍ପିଅନ୍‌ଙ୍କୁ ସ୍ୱର୍ଣ୍ଣିମ ବିଶ୍ୱକପ୍‌ ଟ୍ରଫି ସହ ବିଦାୟ ଦେବ । ୨୦ ବର୍ଷ ପରେ ପୁଣି ଥରେ ଦୀର୍ଘ ଦିନର ପରମ୍ପରାର ପୁନାରାବୃତ୍ତି ହେବ । ଇୟନ ମୋର୍ଗାନ କିମ୍ବା କେନ ୱିଲାମସନ ଲର୍ଡ୍ସ ଡ୍ରେସିଂ ରୁମ୍‌ର ସେହି ପୁରାତନ ବାଲ୍‌କୋନୀରେ ସାଥୀ ଖେଳାଳିଙ୍କ ସହ ଟ୍ରଫି ଉଠାଇ ଆଗାମୀ ୪ ବର୍ଷ ପାଇଁ ବିଶ୍ୱ ବିଜେତା ଭାବେ ନୂଆ ପରିଚୟ ପାଇବେ ।

ବିଶ୍ୱକପ୍‌ ଇତିହାସରେ ଏଥର ସମଗ୍ର ବିଶ୍ୱ ନୂଆ ଚାମ୍ପିଅନ୍‌ଙ୍କୁ ଦେଖିବ । ଉଭୟ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ପୂର୍ବରୁ ବିଶ୍ୱକପ୍‌ ଫାଇନାଲ୍‌ ଖେଳି ସାରିଛନ୍ତି । ହେଲେ ବିଶ୍ୱକପ୍‌ ଟ୍ରଫି ଧରିବାର ସୁଯୋଗ କେବେ ପାଇ ନାହାନ୍ତି । ଇଂଲଣ୍ଡ ୧୯୭୯, ୧୯୮୭ ଓ ୧୯୯୨ରେ ଫାଇନାଲ୍‌ ଖେଳିଥିଲା । ଦୀର୍ଘ ୨୭ ବର୍ଷ ପରେ ଇଂଲଣ୍ଡ ଫାଇନାଲ୍‌ ଖେଳିବାକୁ ଯାଉଛି । ନ୍ୟୁଜିଲାଣ୍ଡ ପ୍ରଥମ ପାଇଁ ୨୦୧୫ ବିଶ୍ୱକପ୍‌ ଫାଇନାଲ ଖେଳିଥିଲେ ହେଁ ଅଷ୍ଟ୍ରେଲିଆଠୁ ହାରି ଚାମ୍ପିଅନ ହେବାର ସୁଯୋଗ ହରାଇଥିଲା ।

ଫାଇନାଲ୍‌ ମୁକାବିଲାକୁ ନେଇ ପୂର୍ବାନୁମାନ କରିବା କଷ୍ଟକର । ଲିଗ୍‌ ମୁକାବିଲାର ଫଳାଫଳକୁ ଦେଖିଲେ ଇଂଲଣ୍ଡର ପଲା ଭାରି ରହିବ । ଇଂଲଣ୍ଡ ଲିଗ୍‌ ମୁକାବିଲାରେ ନ୍ୟୁଜିଲାଣ୍ଡକୁ ୧୧୯ ରନ୍‌ରେ ପରାସ୍ତ କରିଥିଲା । ଘରୋଇ ଗ୍ରାଉଣ୍ଡ ଓ ସମର୍ଥକଙ୍କ ଗହଣରେ ଖେଳୁଥିବା ଇଂଲଣ୍ଡର ବ୍ୟାଟିଂ ବିଭାଗ ବେଶ୍‌ ଶକ୍ତିଶାଳୀ । ଦଳର ପ୍ରାରମ୍ଭିକ ୩ ବ୍ୟାଟ୍ସମ୍ୟାନ୍‌ ଜାସନ ରୟ, ଜନି ବେୟାରଷ୍ଟୋ ଓ ଜୋ ରୁଟ୍‌ ଏଥର ବିଶ୍ୱକପ୍‌ରେ ମୋଟ୍‌ ୧୪୭୧ ରନ୍‌ ସଂଗ୍ରହ କରିସାରିଛନ୍ତି । ଏମାନଙ୍କ ବ୍ୟତୀତ ଅଧିନାୟକ ମୋର୍ଗାନ ଓ ବେନ୍‌ ଷ୍ଟୋକ୍ସ ମଧ୍ୟ ଶ୍ରେଷ୍ଠ ଫର୍ମରେ ରହିଛନ୍ତି । ଦଳକୁ ବିପର୍ଯ୍ୟୟରୁ ଉଦ୍ଧାର କରି ଏକୁଟିଆ ମ୍ୟାଚ୍‌ ଜିତାଇବାର କ୍ଷମତା ଏମାନଙ୍କ ମଧ୍ୟରେ ରହିଛି ।

ଦଳର ବୋଲିଂ ବିଭାଗ ମଧ୍ୟ ସନ୍ତୁଳିତ । ଜୋଫ୍ରା ଆର୍ଚରଙ୍କ ଘାତକ ଫାଷ୍ଟ ବୋଲିଂ ସାଙ୍ଗକୁ କ୍ରିସ୍‌ ୱକ୍ସଙ୍କ ଶୃଙ୍ଖଳିତ ଲାଇନ୍‌ ଓ ଲେଙ୍ଗଥ୍‌ ଏବଂ ଶେଷରେ ଷ୍ଟୋକ୍ସଙ୍କ ଚତୁର କୌଶଳ ଯେକୌଣସି ବ୍ୟାଟିଂ ବିଭାଗ ଧ୍ୱଂସ କରିବାର କ୍ଷମତା ରଖିଛି । ଆଦିଲ ରସଦଙ୍କ ଯାଦକୁରୀ ସ୍ପିନ ମଧ୍ୟ ଦଳର ବିଜୟରେ ସହାୟକ ହୋଇଛି ।
ୱିଲାମସନଙ୍କ ନ୍ୟୁଜିଲାଣ୍ଡ ଦଳ ଘାତକ ବୋଲିଂ ଓ ଅବିଶ୍ୱସନୀୟ ଫିଲ୍ଡିଂ ବଳରେ ଇଂଲଣ୍ଡକୁ ହରାଇବାକୁ ପ୍ରସ୍ତୁତ । ଦଳର ବ୍ୟାଟିଂ ବିଭାଗ ଏପର୍ଯ୍ୟନ୍ତ ଦକ୍ଷତା ମୁତାବକ ପ୍ରଦର୍ଶନ କରିବାରେ ବିଫଳ ହୋଇଛି । ଓପନର ମାର୍ଟିନ ଗୁପତିଲ, କଲିନ୍‌ ମନ୍‌ରୋ ଓ ହେନରୀ ନିକୋଲ୍ସଙ୍କ ପ୍ରଦର୍ଶନକୁ ନେଇ ଦଳ ଏବେବି ଚିନ୍ତାରେ ରହିଛି । କେବଳ ୱିଲାମସନ ଓ ରସ ଟେଲରଙ୍କ ପ୍ରଦର୍ଶନ ବଳରେ ନ୍ୟୁଜିଲାଣ୍ଡ ଫାଇନାଲ୍‌ରେ ପହଞ୍ଚି ପାରିଛି । ସେମିରେ ଭାରତକୁ ହରାଇବା ପରଠୁ ଦଳର ମନୋବଳ ଦ୍ୱିଗୁଣିତ ହୋଇ ଯାଇଛି ।

ନ୍ୟୁଜିଲାଣ୍ଡର ବୋଲିଂ ବିଭାଗ ବେଶ୍‌ ଶକ୍ତିଶାଳୀ । ଲୋକି ଫର୍ଗୁସନ୍‌ଙ୍କ ପେସ୍‌, ଟ୍ରେଣ୍ଟ ବୋଲ୍ଟଙ୍କ ସୁଇଂ ଓ ମାଟ୍‌ ହେନରୀଙ୍କ ଲାଇନ୍‌ ପ୍ରତିପକ୍ଷ ବ୍ୟାଟ୍ସମ୍ୟାନଙ୍କ ପାଇଁ ଚିନ୍ତାର କାରଣ ହେବା ସ୍ୱାଭାବିକ୍‌ । ଏମାନଙ୍କ ବ୍ୟତୀତ ଆବଶ୍ୟକ ସ୍ଥଳେ ଜିମ୍ମି ନୀଶମ ଓ ମିଚେଲ ସାଣ୍ଟନର ଯୋଡି ଭାଙ୍ଗିବାର କ୍ଷମତା ରଖିଛନ୍ତି ।

ଆସନ୍ତାକାଲି ସମସ୍ତଙ୍କ ନଜର ୱିଲାମସନଙ୍କ ରଣ କୌଶଳ ଉପରେ ରହିବ । ଶକ୍ତିଶାଳୀ ଭାରତ ବିପକ୍ଷ ସେମି ଫାଇନାଲ୍‌ରେ ୱିଲାମସନଙ୍କ ଉନ୍ନତ ରଣନୀତି ଓ ଫିଲ୍ଡିଂ ସଜ୍ଜା ବଳରେ ନ୍ୟୁଜିଲାଣ୍ଡ ବିଜୟ ହାସଲ କରିଥିଲା । ଅଭିଜ୍ଞ ଓପନ ମାର୍ଟିନ ଗୁପ୍‌ତିଲଙ୍କ ବ୍ୟାଟ୍‌ରୁ ଆସନ୍ତାକାଲି ଏକ ବଡ଼ ଇନିଂସ ଆଶା କରାଯାଉଛି ।

ଟସ୍‌ ଜିତିଲେ ବ୍ୟାଟିଂ: ଆସନ୍ତା କାଲି ପାଗ ଶୁଖିଲା ରହିବ । ଅପରାହ୍ଣରେ ଖରା ହେବ । ଲର୍ଡ୍ସଶୁସ୍କ ପିଚ୍‌ ବ୍ୟାଟ୍ସମ୍ୟାନଙ୍କୁ ସହାୟତା କରିବା ନିଶ୍ଚିତ । ବର୍ଷାର ସମ୍ଭାବନା ମଧ୍ୟ ନଥିବାରୁ ଟସ୍‌ ବିଜୟୀ ଦଳ ବ୍ୟାଟିଂ ନିଷ୍ପତ୍ତି ନେବା ଆଶା କରାଯାଉଛି ।

ସମ୍ଭାବ୍ୟ ଦଳ
ଇଂଲଣ୍ଡ
: ଜାସନ ରୟ, ଜନି ବେୟାରଷ୍ଟୋ, ଜୋ ରୁଟ୍‌, ଇୟନ ମୋର୍ଗାନ(ଅଧିନାୟକ), ବେନ ଷ୍ଟୋକ୍ସ, ଜୋସ ବଟଲର, ମୋଇନ ଅଲି, କ୍ରସ୍‌ ୱକ୍ସ, ଜୋଫ୍ରା ଆର୍ଚର, ମାର୍କ ଉଡ/ଲାଏମ ପ୍ଲଙ୍କେଟ୍‌, ଆଦିଲ ରସିଦ ।

ନ୍ୟୁଜିଲାଣ୍ଡ: ମାର୍ଟିନ ଗୁପତିଲ, ହେନରୀ ନିକୋଲ୍ସ/କଲିନ୍‌ ମନ୍‌ରୋ, କେନ ୱିଲାମସନ(ଅଧିନାୟକ), ରସ ଟେଲର, ଟମ୍‌ ଲାଥମ, ଜିମ୍ମି ନୀଶମ, କଲିନ ଡି ଗ୍ରାଣ୍ଡହୋମ୍‌, ମିଚେଲ ସାଣ୍ଟନର, ଟ୍ରେଣ୍ଟ ବୋଲ୍ଟ, ମାଟ୍‌ ହେନରୀ, ଲୋକି ଫର୍ଗୁସନ ।