ନୂଆଦିଲ୍ଲୀ, ୧୬/୨ : ଦମଦାର ପ୍ରଦର୍ଶନ ସହ ସୁପର-୮ରେ ପହଞ୍ଚିଲା ଦୁଇଥର ଟି-୨୦ ବିଶ୍ବକପ ଜିତିଥିବା ଇଂଲଣ୍ଡ । ସୋମବାର କୋଲକାତାର ଇଡେନ୍ ଗାଡେନରେ ଖେଳାଯାଇଥିବା ଇଟାଲୀ ବିପକ୍ଷ ମ୍ୟାଚରେ ୨୪ ରନରେ ବିଜୟୀ ହୋଇ ଚତୁର୍ଥ ଦଳ ଭାବେ ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି । ପୂର୍ବରୁ ଓ୍ବେଷ୍ଟଇଣ୍ଡିଜ୍, ଭାରତ ଏବଂ ଦକ୍ଷିଣଆଫ୍ରିକା ନିଜର ସ୍ଥାନ ପକ୍କା କରିଛନ୍ତି । ଏବେ ଇଂଲଣ୍ଡ ପହଞ୍ଚିଥିବାବେଳେ ବାକି ୪ ଦଳକୁ ଅପେକ୍ଷା ରହିଛି ।
ଇଟାଲୀ ବିପକ୍ଷ ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ । ଦମଦାର ବ୍ୟାଟିଂ କରିବା ସହ ଇଂଲଣ୍ଡ ୭ ଓ୍ବିକେଟ ହରାଇ ୨୦୨ ରନ୍ କରିଥିଲା । ଓ୍ବିଲ୍ ଜ୍ୟାକ୍ସ ଏହି ମ୍ୟାଚରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ସେ ୨୨ ବଲରେ ୫୩ ରନର ପାଳି ଖେଳିଥିଲେ । ଯେଉଁଥିରେ ୩ ଚୌକା ଏବଂ ୪ ଛକା ରହିଛି । ଦଳ ପକ୍ଷରୁ ସେ ସର୍ବାଧିକ ସ୍କୋର କରିଥିବାବେଳେ ଦଳ ଏକ ବିଶାଳ ସ୍କୋର କରିଥିଲା । ୨୦୩ ରନର ବିଜୟ ଲକ୍ଷ୍ୟ ରହିଥିବାବେଳେ ଇଟାଲୀ ୧୭୮ ରନରେ ଅଲଆଉଟ୍ କରିଥିଲା ଇଂଲଣ୍ଡ ।
ଇଂଲଣ୍ଡ ପକ୍ଷରୁ ସାମ କରାନ ଏବଂ ଜେମି ଓଭରଟନ୍ ୩ଟି ଲେଖାଏଁ ଓ୍ବିକେଟ୍ ଅକ୍ତିଆର କରିଥିଲେ । ଜୋଫ୍ରା ଆଚର ୨ଟି ଓ୍ବିକେଟ୍ ଅକ୍ତିଆର କରିଥିବାବେଳେ ମ୍ୟାଚରେ ଶ୍ରେଷ୍ଟ ପ୍ରଦର୍ଶନ ପାଇଁ ଓ୍ବିଲ୍ ଜ୍ୟାକ୍ସ ମ୍ୟାନ ଅଫ୍ ଦ ମ୍ୟାଚ ବିବେଚିତ ହୋଇଥିଲେ । ଓ୍ବିଲ ଜ୍ୟାକ୍ସ ୫୩ ରନର ପାଳି ସହ ଗୋଟିଏ ଓ୍ବିକେଟ୍ ମଧ୍ୟ ଅକ୍ତିଆର କରିଥିଲେ । ସେପଟେ ଇଟାଲୀ ମଧ୍ୟ ଦମଦାର ପ୍ରଦର୍ଶନ କରିଥିଲା । ମାତ୍ର ଦଳର ୫ ଜଣ ଖେଳାଳି ଜିରୋରେ ଆଉଟ୍ ହେବା ଦଳ ପାଇଁ କାଳ ହୋଇଥିଲା ।
ଏହାସହ ପଢ଼ନ୍ତୁ : ‘ସଲମାନ ଡରୁଆ ଅଧିନାୟକ, ମୁଁ ପୂର୍ବରୁ ଜାଣିଥିଲି ପାକିସ୍ତାନ ହାରିବ ବୋଲି’....