ମୁମ୍ବାଇ, ୧୬/୨ : ଭାରତ ବିପକ୍ଷ ମ୍ୟାଚରେ ପାକିସ୍ତାନର ପରାଜୟ ଏବେ ସବୁଠି ଚର୍ଚ୍ଚାର ବିଷୟ । ପରାଜୟ ପରେ ପାକିସ୍ତାନର ଖେଳାଳିଙ୍କୁ ହେବାକୁ ପଡ଼ୁଛି ସମାଲୋଚନାର ଶିକାର । ଅଧିନାୟକ ସଲମାନ ଅଲ୍ଲି ଆଗାଙ୍କୁ ଅଜ୍ଞ, ମୁର୍ଖ ଏବଂ କାପୁରୁଷ ଭଳି ଶବ୍ଦ ମଧ୍ୟ ଶୁଣିବାକୁ ପଡ଼ୁଛି । ନିଜ ଦେଶର ପୂର୍ବତନ ଅଧିନାୟକଙ୍କଠାରୁ ଆରମ୍ଭ କରି ନିଜ ଦେଶର ଫ୍ୟାନ୍ସ ମଧ୍ୟ ସମାଲୋଚନା କରିଛନ୍ତି । ପୂର୍ବତନ ପାକିସ୍ତାନୀ କ୍ରିକେଟର ବାସିତ ଅଲ୍ଲୀ କହିଛନ୍ତି କି, ସଲମାନଙ୍କ ରଣନୀତି ଯୋଗୁଁ ଦଳ ପରାଜୟ ବରଣ କରିଛି । ଏହାସହ ବାବର ଆଜମଙ୍କୁ ମଧ୍ୟ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ।
ପାକିସ୍ତାନ ପାଇଁ ୨୭ ଶତକ ହାସଲ କରିଥିବା ଏହି ପାକିସ୍ତାନୀ ପୂର୍ବତନ କ୍ରିକେଟର ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ ନିଜ ଦେଶର ଦଳକୁ ସମାଲୋଚନା କରିଛନ୍ତି । ସେ କହିଥିଲେ, "ମୁଁ ଯଦି କିଛି ଶବ୍ଦ କହିଥାଏ ତେବେ ମୋତେ କ୍ଷମା କରିବେ। ସେହି ଅଜ୍ଞ ଲୋକମାନେ ଜାଣନ୍ତି ନାହିଁ ଯେ ଏହି ମ୍ୟାଚ୍ ଯେଉଁଠାରେ ଖେଳାଯାଇଛି, ସେଠାରେ ପ୍ରଥମେ ବ୍ୟାଟିଂ କରୁଥିବା ଦଳ ତିନୋଟି ଜିତିଛି । ଏହାସହ ଆମର ବୋଲିଂ ଭଲ ଅଛି । ଏଣୁ ପ୍ରଥମେ ବ୍ୟାଟିଂ କରି ପଛରେ ବୋଲିଂ ଆକ୍ରମଣ କରାଯିବା କଥା । ଭାରତ ଭଳି ଶକ୍ତିଶାଳି ଦଳ ଆଗରେ ଏଭଳି ଭୁଲ୍ ନିଷ୍ପତ୍ତି ପାକିସ୍ତାନ ପରାଜୟର ପ୍ରଥମ କାରଣ ।
ଏହାସହ ସେ କହିଥିଲେ କି, ସଲମାନ ଅଲ୍ଲି ଆଗାଙ୍କ ବଲରେ ଅଭିଶେକ ଶର୍ମାଙ୍କ ଭଳି ବ୍ୟାଟ୍ସମ୍ୟାନ ପ୍ରଥମ ଓଭରରେ ଆଉଟ୍ ହେଉଛନ୍ତି । ଏହାସହ ଅଧିନାୟକ ନିଜେ ବୋଲିଂ କରି ଦୁଇ ଓଭରରେ ୧୦ ରନ୍ ଦେଉଛନ୍ତି । ଏହାପରେ ଆଗକୁ ବଢ଼ିବା ବଦଳରେ ପଛକୁ ଫେରିବା ଭଳି ମନେ ହେଉଥିଲା । ଉସମାନ ତାରିକଙ୍କ ବ୍ୟବହାର ଠିକ୍ ସମୟରେ ହୋଇନଥିଲା । ଯାହା ଭାରତ ପାଇଁ ମଧ୍ୟ ଲାଭଦାୟକ ହୋଇଥିଲା । ଆମେ ପ୍ରଥମରୁ ଜାଣିଥିଲୁ ଏହି କାପୁରୁଷ ଅଧିନାୟକଙ୍କ ପାଇଁ ପାକିସ୍ତାନ ପରାଜୟ ବରଣ କରିବ । ତେବେ ବର୍ଷା ହୋଇଥିଲେ ଭଲ ହୋଇଥାନ୍ତା । ପଏଣ୍ଟ ଭାଗବଣ୍ଟା ହୋଇଥାନ୍ତା ବୋଲି ମଧ୍ୟ ସମାଲୋଚନା କରି କହିଛନ୍ତି । ଏହାସହ ବାବରଙ୍କ ସମ୍ପର୍କରେ କହିଥିଲେ କି, ତାଙ୍କୁ ବ୍ୟାଟିଂ ଜଣାନାହିଁ । ଅଯଥାରେ ଦଳରେ ଖେଳାଯାଉଛି ।
ଏହାସହ ପଢ଼ନ୍ତୁ : ସାମ୍ନାକୁ ଆସିଲା କାର୍ଡ, ଜଣାପଡ଼ିଲା ରଶ୍ମିକା-ବିଜୟଙ୍କ ବିବାହ ତାରିଖ