୫ମ ଟେଷ୍ଟ: ଜୋ ରୁଟ୍ ଏବଂ ଜନି ବୈୟାରିଷ୍ଟୋଙ୍କ ଶତକୀୟ ଇନିଂସ, ଭାରତକୁ ୭ ଓ୍ବିକେଟରେ ହରାଇ ସିରିଜ ବରାବର୍ କଲା ଇଂଲଣ୍ଡ

ବର୍ମିହାମ୍ ୦୫/ ୦୭ : ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ବର୍ମିହାମର ଏଜବେଷ୍ଟନ୍ କ୍ରିକେଟ୍ ଗ୍ରାଉଣ୍ଡରେ ଜାରି ରହିଥିବା ୫ମ ତଥା ଅନ୍ତିମ ଟେଷ୍ଟ ମ୍ୟାଚରେ ସହଜ ବିଜୟ ହାସଲ କରିଛି ଘରୋଇ ଦଳ । ଦ୍ବିତୀୟ ଇନିଂସରେ ବିଜୟ ପାଇଁ ୩୭୮ ରନ ଆବଶ୍ୟକ ଥିବା ବେଳେ ଇଂଲଣ୍ଡ ମାତ୍ର ୩ଟି ଓ୍ବିକେଟ ହରାଇ ଲକ୍ଷ୍ୟ ହାସଲ କରିନେଇଛି । ହାତରେ ୭ ଓ୍ବିକେଟ ଥାଇ ବିଜୟୀ ହୋଇଛି ବେନ୍ ଷ୍ଟୋକସ୍ଙ୍କ ଇଂଲିସ୍ ଟିମ୍ । ଫଳରେ ୫ ଟିକିଆ ଟେଷ୍ଟ ୨-୨ରେ ବରାବର୍ ହୋଇଛି ।
ଦ୍ବିତୀୟ ଇନିଂସରେ ବିଜୟ ପାଇଁ ୩୭୮ ରନ ଆବଶ୍ୟକ ଥିବା ବେଳେ ଘରୋଇ ଇଂଲଣ୍ଡ ୭ ଓ୍ବିକେଟ ବାକିଥାଇ ମ୍ୟାଚ୍ କବଜା କରିନେଇଛି । ଦୁଇ ପ୍ରମୁଖ ବ୍ୟାଟର୍ ଜୋ ରୁଟ୍ ଏବଂ ଜନି ବୈୟାରିଷ୍ଟୋଙ୍କ ଅପରାଜିତ ଶତକ ବଳରେ ଦଳ ସହଜ ବିଜୟ ହାସଲ କରିଛି । ଚତୁର୍ଥ ଦିନ ଲଞ୍ଚ ପରେ ପରେ ଭାରତ ଲଗାତାର ୩ଟି ଓ୍ବିକେଟ ନେଇ ଇଂଲଣ୍ଡର ମୁଣ୍ଡ ବିନ୍ଧାର କାରଣ ପାଲଟିଥିଲା। କିନ୍ତୁ ରୁଟ୍ ଏବଂ ବୈୟାରିଷ୍ଟୋ ଯୋଡି ପଡିଆ ମଧ୍ୟରେ ଜମି ରହିଥିଲେ । ଭାରତୀୟ ବୋଲରଙ୍କୁ କୌଣସି ସୁଯୋଗ ମଧ୍ୟ ଦେଇନଥିଲେ ଦୁଇ ଭେଟେରାନ୍ ବ୍ୟାଟର୍ । ରୁଟ୍ ବ୍ୟକ୍ତିଗତ ଭାବେ ୧୯ ଚୌକା ଏବଂ ଗୋଟିଏ ଛକା ସହାୟତାରେ ୧୪୨ ରନ କରି ଅପରାଜିତ ଥିବା ବେଳେ ଜନି ବୈୟାରିଷ୍ଟୋ ୧୫ ଚୌକା ଏବଂ ଗୋଟିଏ ଛକା ସହ ୧୧୪ ରନ କରି ନଟଆଉଟ୍ ଅଛନ୍ତି । ଚତୁର୍ଥ ଦିନ ଇଂଲଣ୍ଡ ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇଥିବା ବେଳେ ବଲ ଆରମ୍ଭ କରିଥିଲା ଦୁଇ ବ୍ୟାଟର୍ ଆଲେକ୍ସ ଲିସ୍ ଅର୍ଦ୍ଧଶତକ (୫୬ରନ) ଏବଂ ଜ୍ୟାକ୍ କ୍ରୋଲି ୪୬ ରନ କରି ଦଳକୁ ଭଲ ଷ୍ଟାର୍ଟ ଦେଇଥିଲେ । କିନ୍ତୁ ମାତ୍ର ୩ ରନ ମଧ୍ୟରେ ଦଳ ୩ଟି ଓ୍ବିକେଟ ହରାଇ ବ୍ୟାକ୍ ଫୁଟକୁ ଚାଲିଆସିଥିଲା । ଓଲି ପୋପ୍ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିଲେ । ପରେ ଜୋ ରୁଟ୍ ଏବଂ ଜନି ବୈୟାରିଷ୍ଟୋ ଯୋଡି ୪ର୍ଥ ଦିନରେ ପଡିଆ ମଧ୍ୟରେ ଜମି ରହିଥିଲେ । ଭାରତ ପକ୍ଷରୁ ଯଶପ୍ରୀତ ବୁମରାହ ଏକମାତ୍ର ବୋଲର ଭାବେ ଦୁଇଟି ଓ୍ବିକେଟ ନେବାକୁ ସକ୍ଷମ ହୋଇଥିଲେ ସୁଦ୍ଧା ଅନ୍ୟ କୌଣସି ବୋଲର ଓ୍ବିକେଟ ନେବାରେ ସକ୍ଷମ ହୋଇନାହାନ୍ତି ।
ମ୍ୟାଚ୍ ସାରାଂଶ:
ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ । ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଋଷଭ ପନ୍ତଙ୍କ ୧୪୬ରନର ଚିତ୍ତାକର୍ଷକ ଇନିଂସ ଏବଂ ରବୀନ୍ଦ୍ର ଜାଡେଜାଙ୍କ ଧମାକାଦାର ୧୦୪ ରନ ବଳରେ ୪୧୬ ରନ କରିବାକୁ ସକ୍ଷମ ହୋଇଥିଲା । ଇଂଲଣ୍ଡ ପକ୍ଷରୁ ଜେମସ ଆଣ୍ଡରସନ ସର୍ବାଧିକ ୫ଟି ଓ୍ବିକେଟ ନେଇଥିଲେ । ଜବାବଦରେ ପ୍ରଥମ ଇନିଂସରେ ଇଂଲଣ୍ଡ ୨୮୪ ରନରେ ହିଁ ସୀମିତ ରହିଥିଲା । ଦଳ ପକ୍ଷରୁ ଜନି ବୈୟାରିଷ୍ଟୋ ଏକମାତ୍ର ବ୍ୟାଟର୍ ଭାବେ ଶତକ (୧୦୬ରନ) କରିଥିଲେ । ଫଳରେ ଭାରତ ୧୩୨ ରନରେ ଆଗୁଆ ରହିଥିଲା । ପ୍ରଥମ ଇନିଂସରେ ଭାରତ ପକ୍ଷରୁ ଅଧିନାୟକ ଯଶପ୍ରୀତ ବୁମରାହ ୩ଟି ଏବଂ ମହମ୍ମଦ ସାମୀ ୨ଟି ଓ୍ବିକେଟ ନେଇଥିଲେ । ଦ୍ବିତୀୟ ଇନିଂସ ବ୍ୟାଟିଂ ଆରମ୍ଭ କରିଥିବା ଭାରତ ୨୪୫ ରନ କରିବାକୁ ସକ୍ଷମ ହୋଇଥିଲା । ଚେତେଶ୍ବର ପୁଜାରାଙ୍କ ୬୬ରନ ଏବଂ ପ୍ରଥମ ଇନିଂସ ହିରୋ ପନ୍ତଙ୍କ ୫୭ ରନ ବଳରେ ଇଂଲଣ୍ଡକୁ ୩୭୮ରନର ଟାର୍ଗେଟ୍ ଦେଇଥିଲା ଭାରତ । ଜବାବରେ ଇଂଲଣ୍ଡ ୩ ଓ୍ବିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେବା ସହ ୫ଟିକିଆ ସିରିଜକୁ ୨-୨ରେ ବରାବର୍ କରିବାକୁ ସକ୍ଷମ ହୋଇଛି । ଫଳରେ ଭାରତରେ ଐତିହାସିକ ଟେଷ୍ଟ ସିରିଜ ବିଜୟ ଆଶା ଧୂଳିଶାତ ହୋଇଯାଇଛି ।