ଦରଦାମ ବୃଦ୍ଧିରେ ଲାଗୁନି ରୋକ୍, ଏପ୍ରିଲ ପହିଲାରୁ ୧୨% ବଢିବ ଜରୁରୀ ମେଡିସିନ୍ ଦାମ

ନୂଆଦିଲ୍ଲୀ ୨୮/ ୦୩: ଦେଶରେ ଦରଦାମ ବୃଦ୍ଧି ସାଧାରଣ ଜନତାଙ୍କ ବ୍ୟତିବ୍ୟସ୍ତ କରିପକାଉଛି । ପ୍ରାୟ ସମସ୍ତ ସାମଗ୍ରୀ ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଗତ କିଛି ବର୍ଷ ହେଲା ଦରଦାମ ବୃଦ୍ଧି ଯେମିତି ଦେହ ସୁହା ହୋଇଗଲାଣି । ଏବେ ଖାଉଟିଙ୍କ ପାଇଁ ଆଉ ଏକ ଦୁଃସମ୍ବାଦ ଆସିଛି । ଅତି ଦରକାରୀ ଔଷଧଗୁଡିକର ମୂଲ୍ୟ ବୃଦ୍ଧି ପାଇବାକୁ ଯାଉଛି । ଆସନ୍ତା ଏପ୍ରିଲ ପହିଲାରୁ ଔଷଧ ମୂଲ୍ୟ ୧୨ ପ୍ରତିଶତ ବଢିବା ନେଇ ସୂଚନା ମିଳିଛି ।
ଏପ୍ରିଲ ପହିଲାରୁ ବୃଦ୍ଧି ପାଇବାକୁ ଥିବା ମେଡିସିନ୍ ମଧ୍ୟରେ ରହିଛି ପେନ୍କିଲର୍, ଆଣ୍ଟି-ବାୟୋଟିକ୍ସ, ଆଣ୍ଟି-ଇନଫେକ୍ଟିଭ ଏବଂ କାଡିଆକ୍ ସମେତ ଆଉ କିଛି ଔଷଧ । ଗତ ବର୍ଷ ଜାତୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ ପ୍ରାଧିକରଣ (NPPA), ହୋଲସେଲ୍ ମେଡିସିନ୍ ମୂଲ୍ୟରେ ୧୦.୭% ବୃଦ୍ଧି ଘଟାଇଥିଲେ । ପ୍ରତି ବର୍ଷ NPPA ପକ୍ଷରୁ ହୋଲସେଲ୍ ମୂଲ୍ୟ ତଥାରଖ କରାଯାଇ ମୂଲ୍ୟ ନିର୍ଦ୍ଧାରଣ କରାଯାଇଥାଏ । ୨୦୧୩ ଡ୍ରଗ୍ସ (ମୂଲ୍ୟ ଆୟତ) ଅର୍ଡର ଅନୁଯାୟୀ ହୋଲସେଲ୍ ପ୍ରାଇସ୍ ଇଣ୍ଡେକ୍ସ (WPI) କାର୍ଯ୍ୟାନ୍ବୟନ କରାଯାଇଥାଏ ।

ଆସନ୍ତା ଏପ୍ରିଲ୍ ୧ ତାରିଖରୁ ଦେଶରେ ବ୍ୟବହୃତ ହେଉଥିବା ପ୍ରାୟ ୮୦୦ ଔଷଧ ମୂଲ୍ୟ ବଦଳିବ । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପରେ WPIରେ ବାର୍ଷିକ ପରିବର୍ତ୍ତନ କରାଯାଇଛି । ଯେଉଁଥିରେ ମୂଲ୍ୟ ପରିବର୍ତ୍ତନ ପାଇଁ ନିର୍ଦ୍ଦେଶନାମା ରହିଛି । ମୋଟ ୨୭ଟି ରୋଗ ପାଇଁ ବ୍ୟବହୃତ ହେଉଥିବା ଔଷଧ ମୂଲ୍ୟ ବର୍ତ୍ତମାନ ଠାରୁ ୧୨% ବଢିବ ।
ଔଷଧ ମୂଲ୍ୟ ବୃଦ୍ଧି ପାଇବାର ପ୍ରମୁଖ କାରଣ ହେଉଛି କଞ୍ଚା ମାଲ୍ ଦାମ ବୃଦ୍ଧି । ଔଷଧ ପ୍ରସ୍ତୁତି ପାଇଁ ବିଦେଶରୁ ଆମଦାନୀ କରାଯାଉଥିବା କଞ୍ଚା ମାଲ୍ ମୂଲ୍ୟ ଅହେତୁକ ବୃଦ୍ଧି ପାଇଛି । ଏହା ସହିତ ପରିବହନ ତଥା ଅନ୍ୟାନ୍ୟ ଖର୍ଚ୍ଚ ମଧ୍ୟ ବଢିଛି । କେବଳ ସେତିକି ନୁହେଁ ମେଡିସିନ୍ ପ୍ୟାକେଜ୍ କରିବା ଖର୍ଚ୍ଚ ବି ବଢିଛି । ତଣୁ ମେଡିସିନ୍ ଦାମରେ ବୃଦ୍ଧି କରିବା ଛଡା ଅନ୍ୟ କୌଣସି ଉପାୟ ନାହିଁ ।

କେଉଁ ମସିହାରେ ବଢିଥିଲା କେତେ?
୨୦୨୧ ମସିହାରେ-୦.୫୩%
୨୦୨୦ ମସିହାରେ-୧.୮୮%
୨୦୧୯ ମସିହାରେ-୪.୨୬%
୨୦୧୮ ମସିହାରେ-୩.୪୩%