ନୂଆଦିଲ୍ଲୀ, ୨୩/୦୪ : ବିମାନ ଚଳାଚଳ କ୍ଷେତ୍ରରେ ପ୍ରଦୁଷଣ କମ୍ କରିବା ତଥା ଅଶୋଧିତ ତୈଳ ଆମଦାନି ହ୍ରାସ ନିମନ୍ତେ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର । ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ବିମାନ ଇନ୍ଧନ ବା ଏଟିଏଫ୍ରେ ଇଥାନଲ ମିଶ୍ରଣକୁ ମଞ୍ଜୁରି ଦେଇଛି । ଏଥିପାଇଁ ସରକାର ଏକ ବିଜ୍ଞପ୍ତି ଜାରି କରି ଏଟିଏଫ୍ ନିୟମରେ ପରିବର୍ତ୍ତନ କରିଛନ୍ତି । ଏହି ନିଷ୍ପତ୍ତି ଦ୍ୱାରା କେବଳ ବିମାନ ଯାତ୍ରା ସ୍ୱଚ୍ଛ ହେବ ନାହିଁ ବରଂ ବିଦେଶୀ ତେଲ ଉପରେ ଭାରତର ନିର୍ଭରତା ବି କମିବ ।
ମନ୍ତ୍ରାଳୟର ବିଜ୍ଞପ୍ତି ଅନୁସାରେ, ଏବେ ଆଭିଏସନ୍ ଟର୍ବାଇନ୍ ଫୁଏଲ୍ର ପରିଭାଷାକୁ ଅପ୍ଡେଟ୍ କରାଯାଇଛି । ଏବେ ଏଟିଏଫ୍ରେ ହାଇଡ୍ରୋକାର୍ବନ ସହ ସିନ୍ଥେସାଇଜ୍ଡ କମ୍ପୋନେଣ୍ଟ(ଇଥାନଲ ଭଳି)କୁ ଅନ୍ତର୍ଭୁକ୍ତ କରାଯାଇପାରିବ । ଏହା ଭାରତୀୟ ମାନକଗୁଡ଼ିକର ଅନୁରୂପ ହେବ । ସରକାରଙ୍କ ଏହି ପରିବର୍ତ୍ତନ ଅନ୍ତର୍ଜାତୀୟ ସ୍ତରରେ ବଢୁଥିବା ସଷ୍ଟେନେବଲ ଆଭିଏସନ୍ ଫୁଏଲ୍(ଏସ୍ଏଏଫ୍)ର ପ୍ରଚଳନକୁ ଧ୍ୟାନରେ ରଖି କରାଯାଇଛି । ସଷ୍ଟେନେବଲ ଆଭିଏସନ ଫୁଏଲ୍ ହେଉଛି ଏଭଳି ଏକ ବୈକଳ୍ପିକ ଇନ୍ଧନ, ଯାହାକୁ ଖାଇବା ତେଲ, କୃଷି ଅବଶେଷ ଏବଂ ଅଳିଆରୁ ପ୍ରସ୍ତୁତ କରାଯାଇଥାଏ । ଏଥିରେ ଇଥାନଲ୍ର ମିଶ୍ରଣ ବି ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଏହାର ସବୁଠୁ ବଡ଼ ବିଶେଷତ୍ୱ ହେଉଛି, ଏହାର ବ୍ୟବହାର ପାଇଁ ବିମାନ ଇଞ୍ଜିନ ଅବା ଫୁଏଲ୍ ସପ୍ଳାଏ ସିଷ୍ଟମ୍ରେ ବଡ଼ ପରିବର୍ତ୍ତନର ଆବଶ୍ୟକତା ପଡ଼ି ନ ଥାଏ । ଏହା ପାରମ୍ପରିକ ଜେଟ୍ ଇନ୍ଧନ ତୁଳନାରେ ଅଙ୍ଗାରକାମ୍ଳ ନିର୍ଗମନରେ ଅନେକ ମାତ୍ରାରେ ସହାୟକ ହୋଇଥାଏ । ଭାରତ ଏହାର ଆବଶ୍ୟକତାର ପାଖାପାଖି ୮୭% ଅଶୋଧିତ ତୈଳ ବାହାରୁ ଆମଦାନି କରିଥାଏ ।
ମଧ୍ୟପ୍ରାଚ୍ୟରେ ବଢୁଥିବା ଅଶାନ୍ତି କାରଣରୁ ତେଲ ଦରରେ ଉତ୍ଥାନ ପତନ ଲାଗିରହିଛି, ଯାହାର ସିଧାସଳଖ ପ୍ରଭାବ ଦେଶର ଅର୍ଥବ୍ୟବସ୍ଥା ଉପରେ ପଡ଼ିଥାଏ । ବିମାନ ଇନ୍ଧନରେ ଇଥାନଲ ମିଶ୍ରଣ ଦ୍ୱାରା ଅଶୋଧିତ ତୈଳ ଖର୍ଚ୍ଚ କମିବ, ଯାହାଦ୍ୱାରା ସରକାର ଅନେକ ମାତ୍ରାରେ ବିଦେଶୀ ମୁଦ୍ରା ସଞ୍ଚୟ କରିବେ । କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀ ଏହି ନିଷ୍ପତ୍ତିକୁ ସ୍ୱାଗତ କରି କହିଛନ୍ତି ଯେ, ଦେଶକୁ ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭର କରିବାକୁ ପଡ଼ିବ । ଆଗାମୀ ସମୟରେ ଭାରତକୁ ୧୦୦% ଇଥାନଲ ମିଶ୍ରଣ ଲକ୍ଷ୍ୟ ରଖିବା ଦରକାର ବୋଲି ସେ କହିଛନ୍ତି । ଗଡ଼କରୀ ଆହୁରି କହିଛନ୍ତି ଯେ, ଜୀବାଶ୍ମ ଇନ୍ଧନ ଉପରେ ନିର୍ଭରତା ସମ୍ପୂର୍ଣ୍ଣ ରୂପେ ସମାପ୍ତ କରିବାର ଆବଶ୍ୟକତା ରହିଛି । ସେ ଲମ୍ବା ସମୟ ଧରି ଫ୍ଲେକ୍ସ-ଫୁଏଲ୍ ଏବଂ ଗ୍ରୀନ ହାଇଡ୍ରୋଜେନ ବ୍ୟବହାର ଉପରେ ଜୋର ଦେଉଛନ୍ତି । ସରକାରଙ୍କ ଧ୍ୟାନ କେବଳ ବିମାନ ପର୍ଯ୍ୟନ୍ତ ସୀମିତ ନାହିଁ ।୨୦୨୭ ଏପ୍ରିଲରୁ ଲାଗୁ ହେବାକୁ ଥିବା ‘କର୍ପୋରେଟ ଆଭରେଜ୍ ଫୁଏଲ୍ ଏଫିସିଏନ୍ସି’ ବା କ୍ୟାଫେ- ୩ ମାନଦଣ୍ଡର କୁ-ପ୍ରଭାବ ଇଲେକ୍ଟ୍ରିକ ଯାନ ଏବଂ ଫ୍ଲେକ୍ସ-ଫୁଏଲ୍ ଗାଡ଼ିଗୁଡ଼ିକ ଉପରେ ପଡ଼ିବ ନାହିଁ । ଏହାର ଅର୍ଥ ସରକାର ଭବିଷ୍ୟତରେ ପରିବେଶ ଅନୁକୂଳ ଗାଡ଼ି ଚଳାଚଳକୁ ପ୍ରୋତ୍ସାହନ ଦେବା ଜାରି ରଖିବେ । କ୍ୟାଫେ-୩ ମାନଦଣ୍ଡକୁ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ଅଣାଯାଇଛି।
ଏହି ଖବରଟିକୁ ପଢନ୍ତୁ- ସୀମାରେ ସଜାଗ ଭାରତୀୟ ସେନା: କାଶ୍ମୀରରୁ ପଞ୍ଜାବ ଯୁଦ୍ଧକାଳୀନ ଭିତ୍ତିରେ ‘ମକ୍ ଡ୍ରିଲ୍’, ଚିନ୍ତାରେ ପାକିସ୍ତାନ