ନୂଆଦିଲ୍ଲୀ,୨୧/୦୭: ଏଥାନଲ ମିଶ୍ରିତ ପେଟ୍ରୋଲ (ଇ-୨୦)କୁ ନେଇ ବିବାଦ ଏବେ ଥମିନାହିଁ । କିଛି ଲୋକଙ୍କ ଅଭିଯୋଗ ଅନୁସାରେ, ଇ-୨୦ ଦ୍ୱାରା ଗାଡ଼ି ଇଞ୍ଜିନ ଖରାପ ହେଉଛି ଏବଂ ମାଇଲେଜ ପ୍ରଭାବିତ ହେଉଛି । ଏହା ମଧ୍ୟରେ ସରକାର ଏବେ ଏଥାନଲକୁ ହାଣ୍ଡିଶାଳ ପର୍ଯ୍ୟନ୍ତ ପହଞ୍ଚାଇବାର ପ୍ରସ୍ତୁତି ଚଳାଇଛନ୍ତି । ସୂତ୍ର ଅନୁସାରେ, ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ଏଥାନଲକୁ ଖାଦ୍ୟ ପ୍ରସ୍ତୁତିର ମୁଖ୍ୟ ଇନ୍ଧନ ଭାବେ ଆଣିବା ଲାଗି ଏକ ନୀତି ଉପରେ କାର୍ଯ୍ୟ କରୁଛି । ଏହାଦ୍ୱାରା ବୃହତ୍ ମାତ୍ରାରେ ବିଦେଶୀ ମୁଦ୍ରା ସଞ୍ଚୟ ହେବ ।
ଏଥାନଲକୁ ମୁଖ୍ୟ ଇନ୍ଧନ ବନାଇବାର ନୀତି ଉପରେ ଚାଲିଛି କାର୍ଯ୍ୟ
ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଏହି ନୀତି ଏଥାନଲ ବ୍ୟବହାରକୁ ତ୍ୱରାନ୍ୱିତ କରିବା ପାଇଁ ସବ୍ସିଡି ପ୍ରଦାନ ଏବଂ ଯୋଗାଣ ଶୃଙ୍ଖଳ ପ୍ରସ୍ତୁତିର ନିୟମ ଉପରେ ବିଚାର କରିବ । ସୂତ୍ର ଅନୁସାରେ, ଇନ୍ଧନ ଯୋଗାଣକାରୀଙ୍କ ପ୍ରତିନିଧିତ୍ୱ କରୁଥିବା ଶିଳ୍ପ ସଂଗଠନଗୁଡ଼ିକ ବି ଏହି ନୀତି ଉପରେ ସରକାରଙ୍କ ସହ ଆଲୋଚନା କରୁଛନ୍ତି । ଏଥାନଲ ଏକ ସବୁଜ ଇନ୍ଧନ, ଯାହାକୁ ଚିନି ଏବଂ ଶସ୍ୟର ପ୍ରକ୍ରିୟାକରଣରୁ ପ୍ରସ୍ତୁତ କରାଯାଇଥାଏ ।
ଜଣେ ଅଧିକାରୀଙ୍କ କହିବାନୁସାରେ, ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ଏକ ବୈକଳ୍ପିକ ସ୍ୱଚ୍ଛ ଇନ୍ଧନ ନୀତି ଉପରେ କାର୍ଯ୍ୟ ଚାଲିଛି । ଏହାଦ୍ୱାରା ଘରେ ଖାଦ୍ୟ ରାନ୍ଧିବା ପାଇଁ ଇନ୍ଧନ ଭାବେ ଏଲ୍ପିଜି ସହ ଏଥାନଲକୁ ବି ବ୍ୟବହାର କରାଯିବ । ଏହି ନୀତି ଡିସେମ୍ବର ସୁଦ୍ଧା ପ୍ରସ୍ତୁତ ହୋଇପାରେ । ଏପ୍ରିଲରେ ଏକ ରିପୋର୍ଟ ଆସିଥିଲା ଯେ, ସରକାରଙ୍କ ନିର୍ଦ୍ଦେଶରେ ଏଥାନଲ-ଭିତ୍ତିକ ରନ୍ଧନ ଷ୍ଟୋଭ୍ର ପରୀକ୍ଷଣ କରାଯାଉଛି, ଯଦ୍ଦ୍ୱାରା ଘରେ ଖାଦ୍ୟ ରନ୍ଧନ ପାଇଁ ସ୍ୱଚ୍ଛ ଇନ୍ଧନର ବିକଳ୍ପ ମିଳିପାରିବ । ଖାଦ୍ୟ ପ୍ରସ୍ତୁତିର ଇନ୍ଧନ ଭାବେ ଏଥାନଲର ବ୍ୟବହାର ଦ୍ୱାରା ଏଲ୍ପିଜି ଉପରେ ନିର୍ଭରତା କମ୍ କରିବା ଏବଂ ବର୍ଦ୍ଧିତ ଇନ୍ଧନ ବିଲ୍କୁ କମାଇବାରେ ଭାରତର ଅଭିଯାନକୁ ବଳ ମିଳିବ ।
ଦେଶର ବାର୍ଷିକ ଏଥାନଲ ଉତ୍ପାଦନ କ୍ଷମତା ୨୦୦୦ କୋଟି ଲିଟରରୁ ଅଧିକ
ଶିଳ୍ପ ସହ ଜଡ଼ିତ ଜଣେ ଅଧିକାରୀଙ୍କ କହିବାନୁସାରେ, ଏଲ୍ପିଜିର ବିକଳ୍ପ ଭାବେ ଏଥାନଲକୁ ପ୍ରୋତ୍ସାହନ ଦେବା ପାଇଁ ସରକାର ସବ୍ସିଡି ସ୍କିମ୍ ବି ଆରମ୍ଭ କରିପାରନ୍ତି । ଏହି ସ୍କିମ୍ ପୁଞ୍ଜି-ଭିତ୍ତିକ ହୋଇପାରେ କିମ୍ବା କ୍ରମାଗତ ବିତ୍ତୀୟ ସହାୟତା ପ୍ରଦାନକାରୀ ସ୍କିମ୍ ହୋଇପାରେ । ଭାରତରେ ଏଥାନଲର ଯୋଗାଣ ସର୍ବାଧିକ ରହିଛି । କେୟାର୍ଏଜ୍ ରେଟିଙ୍ଗ୍ସର ଏକ ରିପୋର୍ଟ ଅନୁସାରେ ଦେଶର ବାର୍ଷିକ ଏଥାନଲ ଉତ୍ପାଦନ କ୍ଷମତା ୨୦୦୦ କୋଟି ଲିଟରରୁ ଅଧିକ ରହିଛି । ଏହାସହିତ ଚଳିତ ଆର୍ଥିକବର୍ଷରେ ଆଉ ୪୦୦ କୋଟି ଲିଟରର କ୍ଷମତା ଯୋଡ଼ାଯିବାର ଯୋଜନା ରହିଛି।
ଅଧିକ ପଢ଼ନ୍ତୁ :- ବିଶ୍ୱର ସବୁଠୁ ମୂଲ୍ୟବାନ କମ୍ପାନି ପାଲଟିଲା ଆପଲ୍, ଏନ୍ଭିଡିଆର ଷ୍ଟକ୍ ୩.୭% ହ୍ରାସ
ସରକାରଙ୍କ ଇ-୨୦ ବ୍ଲେଣ୍ଡିଂ କାର୍ଯ୍ୟକ୍ରମ ପାଇଁ ବାର୍ଷିକ ଖର୍ଚ୍ଚ ପାଖାପାଖି ୧୧୦୦ କୋଟି ଲିଟର । ମଦ ପ୍ରସ୍ତୁତକାରୀ କମ୍ପାନି, ଔଷଧ କମ୍ପାନି ଏବଂ ରସାୟନ କମ୍ପାନିଗୁଡ଼ିକର ବାର୍ଷିକ ଖର୍ଚ୍ଚ ପାଖାପାଖି ୩୦୦ରୁ ୩୫୦ କୋଟି ଲିଟର । ଏହାବାଦ ପ୍ରାୟ ୭୦୦ କୋଟି ଲିଟର କ୍ଷମତା ସଞ୍ଚୟ ହେଉଛି । ଏହାକୁ ନେପାଳ, ବାଂଲାଦେଶ ଏବଂ ଇଣ୍ଡୋନେସିଆ ଭଳି ଦେଶ ଗୁଡ଼ିକୁ ରପ୍ତାନି କରିବା ପାଇଁ ବିଚାର କରାଯାଉଛି । ଏହି ଦେଶଗୁଡ଼ିକରେ ୧୦% ଏଥାନଲ ମିଶ୍ରଣ ଲକ୍ଷ୍ୟ ରହିଛି । କିନ୍ତୁ ସେମାନଙ୍କ ପାଖରେ ପର୍ଯ୍ୟାପ୍ତ ଫିଡିଷ୍ଟକ ଏବଂ ଡିଷ୍ଟିଲିଂ କ୍ଷମତା ନାହିଁ । କୁହାଯାଉଛି ଯେ, ତୈଳ ମାର୍କେଟିଂ କମ୍ପାନିଗୁଡ଼ିକ ବି ଏଥାନଲଭିତ୍ତିକ ଷ୍ଟୋଭ୍ ଉପରେ ଗବେଷଣା ଏବଂ ବିକାଶ ଆରମ୍ଭ କରିଛନ୍ତି । ଏଥାନଲରୁ ଖାଦ୍ୟ ରାନ୍ଧିବାର ପ୍ରଯୁକ୍ତି ପାଇଁ ସହଯୋଗିତା କିମ୍ବା ଏହାକୁ କିଣିବାର ଉପାୟ ଉପରେ ବି ବିଚାର ହେଉଛି ।
୨୦୫୦ ସୁଦ୍ଧା ଏଲ୍ପିଜି ସବ୍ସିଡିରେ ସଞ୍ଚୟ ହୋଇପାରେ ୨ ଲକ୍ଷ କୋଟି
ଶିଳ୍ପ ଅଧିକାରୀମାନଙ୍କ କହିବାନୁସାରେ, ଏହି ସ୍କିମ୍କୁ ଆରମ୍ଭ କରିବା ପାଇଁ ତୈଳ ମାର୍କେଟିଂ କମ୍ପାନିଗୁଡ଼ିକୁ ଏଥାନଲ ଏଟିଏମ୍ ଲଗାଇବା ପାଇଁ କୁହାଯାଇପାରେ । ଏହି ଏଟିଏମ୍କୁ ତୈଳ କମ୍ପାନିଙ୍କ ଇନ୍ଧନ ରିଟେଲ୍ ଆଉଟ୍ଲେଟ୍ରେ ଲଗାଯାଇପାରେ । ଶିଳ୍ପ ଅଧିକାରୀଙ୍କ କହିବାନୁସାରେ, ଭାରତର ଏଲ୍ପିଜି ଯୋଗାଣ ଉପରେ ଇରାନ ଯୁଦ୍ଧର ପ୍ରଭାବ ପଡ଼ିଛି । ଏଲ୍ପିଜିର ବିକଳ୍ପ ଭାବେ ଅତିରିକ୍ତ ଏଥାନଲ କ୍ଷମତାର ବ୍ୟବହାର କରିବା ଏବଂ ଇନ୍ଧନ ଆମଦାନିକୁ କମ୍ କରିବା ଭଲ ବିକଳ୍ପ । ଭାରତ ଏହାର ଏଲ୍ପିଜି ସଂଗ୍ରହରେ ବିବଧତା ଆଣିଛି । ଏହାସତ୍ତେ୍ୱ ଆମେ ଏଲ୍ପିଜି ଆମଦାନି ପାଇଁ ବୃହତ୍ ମାତ୍ରାରେ ଗଲ୍ଫ ଉପରେ ନିର୍ଭରଶୀଳ ।
ଫେବ୍ରୁଆରୀରେ ଇଣ୍ଟର୍ନ୍ୟାସ୍ନାଲ ଇନ୍ଷ୍ଟିଚ୍ୟୁଟ୍ ଫର୍ ସଷ୍ଟେନେବଲ ଡେଭଲପ୍ମେଣ୍ଟର ଏକ ରିପୋର୍ଟରେ କୁହାଯାଇଥିଲା ଯେ, ଇ-କୁକିଂ ଏବଂ ବାୟୋଗ୍ୟାସ ଆପଣାଇବା ଦ୍ୱାରା ଭାରତ ୨୦୫୦ ସୁଦ୍ଧା ଏଲ୍ପିଜି ସବ୍ସିଡି ବାବଦ ମୋଟ ୨ ଲକ୍ଷ କୋଟି ଟଙ୍କାରୁ ଅଧିକ ସଞ୍ଚୟ କରିବ ।