ଭୁବନେଶ୍ୱର,୨୯ା୧(ବ୍ୟୁରୋ): ଆୟକର ବିଭାଗର ପୂର୍ବତନ ଅଧିକାରୀ ପୃଥ୍ୱୀରାଜ ମାଝୀଙ୍କର ଗତ ୨୬ ତାରିଖରେ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି । ରାଉରକେଲାରେ ଅବସ୍ଥାପିତ କରୁଥିବା ସ୍ୱର୍ଗତ ମାଝୀ ଅସୁସ୍ଥତା ଅନୁଭବ କରିବାରୁ ପ୍ରଥମେ ତାଙ୍କୁ ରାଉରକେଲାର ଇସ୍ପାତ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରଯାଇଥିଲା । ତା’ ପରଦିନ ପ୍ରତ୍ୟୁଷ ପୂର୍ବରୁ ହୃଦ୍ଘାତ ଯୋଗୁଁ ତାଙ୍କର ଦେହାନ୍ତ ଘଟିଥିଲା । ତାଙ୍କ ମର ଶରୀରକୁ ନିଜ ଗାଁ ନୂଆପଡ଼ା ଜିଲ୍ଲାର ଟୁକଲା ନିଆଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ସ୍କୁଲ ଶିକ୍ଷା ସମୟରୁ ସେ ଜଣେ ପ୍ରତିଭାବାନ୍ ଛାତ୍ର ଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟରୁ ସେ ଏମ୍ଏ ପାସ୍ କରିଥିଲେ । ସେ ୧୯୭୦ ବ୍ୟାଚ୍ରେ ଭାରତୀୟ ରାଜସ୍ୱ ସେବାରେ ଯୋଗ ଦେଇଥିଲେ । ସେ ଓଡ଼ିଶା, ଦିଲ୍ଲୀ, ମୁମ୍ବାଇ ଓ କୋଲକାତାରେ ଅବସ୍ଥାପିତ ହୋଇ ନିଜ କାର୍ଯ୍ୟଦକ୍ଷତାର ପରିଚୟ ଦେଇଥିଲେ । ସେ ଜଣେ ସରଳ, ଅମାୟିକ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ । ତାଙ୍କ ବିୟୋଗରେ ଟୁକଲା ତଥା ଖଡ଼ିଆଳ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ଏକଜିଟ୍ ପୋଲ୍ ପରେ ଏବେ ଏକଜାଟ୍ ରେଜଲ୍ଟ ଉପରେ ନଜର,...