ଐତିହ୍ୟର ମୁକସାକ୍ଷୀ ଅସୁରଗଡ଼ ଦୁର୍ଗରେ ଖନନ କାର୍ଯ୍ୟ ଆରମ୍ଭ

ବରଗଡ଼, ୧୨/୦୬ : ଓଡ଼ିଶା ଇତିହାସର ପ୍ରାଣକେନ୍ଦ୍ର ତଥା ଐତିହାସିକ ମାନ୍ୟତା ବହନ କରୁଥିବା ଅସୁରଗଡ଼ ଦୁର୍ଗରେ ଜିଏମ୍ ଇତିହାସ ବିଭାଗ ପକ୍ଷରୁ ଆରମ୍ଭ ହେଲା ଖନନ କାର୍ଯ୍ୟ। ବରଗଡ଼ ଜିଲ୍ଲାର ଅସୁରଗଡ଼ ଦୁର୍ଗ ଭିତରେ ସଭ୍ୟତାର ବିକାଶ ଏବଂ କେତେ ପ୍ରାଚୀନ ତାହାର ତଥ୍ୟ ଖୋଜି ବାହାର କରିବା ପାଇଁ ଖନନ କାର୍ଯ୍ୟ ଆରମ୍ଭ ହୋଇଛି।

ସୂଚନାନୁଯାୟୀ, ବରପାଲି ବ୍ଲକ ଗୋପେଇପାଲି ପଞ୍ଚାୟତ ଅନ୍ତର୍ଗତ ବରଗାଁ ଅସୁରଗଡ଼ରେ ଖନନ କାର୍ଯ୍ୟ ଚାଲିଛି । ଭାରତ ସରକାରଙ୍କ ନିର୍ଦ୍ଦେଶକ୍ରମେ ଗଙ୍ଗାଧର ମେହେର ବିଶ୍ଵ ବିଦ୍ୟାଳୟ(ଜିଏମୟୁ)ର ଇତିହାସ ବିଭାଗ ତରଫରୁ ଖନନ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ ଖନନ ନିର୍ଦ୍ଦେଶକ ଡ଼.ପ୍ରଭାସ କୁମାର ସିଂହ ଖନନ କାର୍ଯ୍ୟକୁ ତଥା ଜିଏମୟୁ ଇତିହାସ ବିଭାଗର ପ୍ରଫେସର ଡ଼.ଅତୁଲ କୁମାର ପ୍ରଧାନଙ୍କ ନେତୃତ୍ୱରେ ଏବଂ ଜିଏମୟୁ ଇତିହାସ ବିଭାଗର ୫୦ ଜଣ ଛାତ୍ରଛାତ୍ରୀଙ୍କ ସହଯୋଗରେ ବୁଧବାରରୁ ଖନନ କାର୍ଯ୍ୟ ଆରମ୍ଭ ହୋଇଥିବା ଜଣାପଡ଼ିଛି । ବରପାଲି ଅସୁରଗଡ଼କୁ ପ୍ରଥମେ ପ୍ରଖ୍ୟାତ ଇତିହାସକାର ସମ୍ବଲପୁର ବିଶ୍ଵ ବିଦ୍ୟାଳୟର ପ୍ରାକ୍ତନ ଭାଇସ ଚାନସେଲର ସ୍ଵର୍ଗତ ଡ଼.ନବୀନ କୁମାର ସାହୁ ଖୋଜି ବାହାର କରିଥିଲେ।