ନୂଆଦିଲ୍ଲୀ ୩୦/୦୧ : ବିମାନ ଯାତ୍ରା ସମୟରେ ହଠାତ୍ ବିମାନ ଦୋହଲିବା ଯାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରେ । ଛୋଟ ଚାର୍ଟର୍ଡ ବା ଘରୋଇ ବିମାନରେ ଟର୍ବୁଲେନ୍ସ ବା ଆକାଶରେ ଝଟ୍କା ଅଧିକ ତୀବ୍ର ଅନୁଭୂତ ହୁଏ । ଏହି ସ୍ଥିତିରେ ପ୍ରଶ୍ନ ଉଠେ, ଛୋଟ ବିମାନରେ ଯାତ୍ରା କେତେ ସୁରକ୍ଷିତ? ଉଡ୍ଡୟନ ବିଶେଷଜ୍ଞଙ୍କ ଅନୁସାରେ, ଟର୍ବୁଲେନ୍ସର ଅର୍ଥ ସର୍ବଦା ବିପଦ ନୁହେଁ, କିନ୍ତୁ ଛୋଟ ବିମାନରେ ଏହାର ପ୍ରଭାବ ସର୍ବଦା ଅଧିକ ଅନୁଭୂତ ହେବା ପୂରାପୂରି ବୈଜ୍ଞାନିକ କାରଣ ସହ ସଂଶ୍ଳିଷ୍ଟ । ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ତଥା ଏନ୍ସିପି ନେତା ଅଜିତ ପାୱାର ଭୟଙ୍କର ବିମାନ ଦୁର୍ଘଟଣାରେ ପ୍ରାଣ ହରାଇବା ପରେ ଚାର୍ଟର୍ଡ ବିମାନରେ ଟର୍ବୁଲେନ୍ସକୁ ନେଇ ଚର୍ଚ୍ଚା ଜୋର ଧରିଛି ।
ଟର୍ବୁଲେନ୍ସର ଅର୍ଥ, ବାୟୁ ପ୍ରବାହରେ ହଠାତ୍ ହେଉଥିବା ପରିବର୍ତ୍ତନ । ଯେତେବେଳେ ଭିନ୍ନ ଭିନ୍ନ ବେଗ ଓ ଦିଗର ବାୟୁ ପରସ୍ପର ମଧ୍ୟରେ ଧକ୍କା ହୁଏ, ବିମାନକୁ ଝଟ୍କା ଲାଗେ । ଏହାର ମୁଖ୍ୟ କାରଣ- ବାଦଲ ଓ ଝଡ଼ ପ୍ରଣାଳୀ, ପାହାଡ଼ ଉପରେ ବାୟୁ ପ୍ରବାହରେ ଧକ୍କା, ଜେଟ୍ ଷ୍ଟ୍ରିମ୍ ଓ ଥଣ୍ଡା ପବନର ମିଶ୍ରଣ । ଛୋଟ ଚାର୍ଟର୍ଡ ବିମାନରେ ଟର୍ବୁଲେନ୍ସ ଅଧିକ ଅନୁଭୂତ ହେବାର କାରଣ ବିମାନର କମ୍ ଓଜନ । ଛୋଟ ବିମାନ ବଡ଼ ଯାତ୍ରୀ ବିମାନ ତୁଳନାରେ ଖୁବ୍ ହାଲୁକା । ଏଥିପାଇଁ ଦଲକାଏ ପବନ ବି ବିମାନକୁ ଦୋହଲାଇ ପାରେ । ୨ୟ କାରଣ- ପଙ୍ଖର ଲମ୍ବା କମ୍ । ବଡ଼ ବିମାନର ଲମ୍ବା ପଙ୍ଖ ବାୟୁକୁ ଉତ୍ତମ ରୂପେ ସନ୍ତୁଳିତ କରନ୍ତି । ଛୋଟ ବିମାନର ପଙ୍ଖ ଛୋଟ ହୋଇଥିବାରୁ ବାୟୁର ମାଡ଼ ସହଜରେ ସହ୍ୟ କରିପାରନ୍ତି ନାହିଁ ।
୩ୟ କାରଣ- କମ୍ ଉଚ୍ଚତାରେ ଉଡ଼ାଣ । ଅଧିକାଂଶ ଚାର୍ଟର୍ଡ ଓ ଛୋଟ ବିମାନ ୧୦ ହଜାରରୁ ୨୫ ହଜାର ଫୁଟ ଉଚ୍ଚରେ ଉଡ଼ନ୍ତି, ଯେଉଁଠି ଜଳବାୟୁର ପ୍ରଭାବ ଅଧିକ ଥାଏ । ବାଦଲ ଓ ବାୟୁ ଅଧିକ ଅସ୍ଥିର ଥାନ୍ତି । ଅନ୍ୟପକ୍ଷେ, ବଡ଼ ଜେଟ୍ ୩୫ ହଜାର ଫୁଟ କିମ୍ବା ତା’ଠୁ ଅଧିକ ଉଚ୍ଚରେ ଉଡ଼ନ୍ତି । ଆଭିଏସନ୍ ସେଫ୍ଟି ଏକ୍ସପର୍ଟଙ୍କ ଅନୁସାରେ, ଟର୍ବୁଲେନ୍ସ ଆପଣାଛାଏଁ ବିମାନ ଦୁର୍ଘଟଣାର କାରଣ ହୋଇନଥାଏ । ସିଟ୍ ବେଲ୍ଟ ନ ବାନ୍ଧିବା ବିପଦର ଅସଲ କାରଣ । ହଠାତ୍ ଝଟ୍କା ଯୋଗୁ ଯାତ୍ରୀ ପଡ଼ିଯାଆନ୍ତି । କ୍ୟାବିନ୍ରେ ସାମଗ୍ରୀଗୁଡ଼ିକୁ ଢିଲା ଛାଡ଼ିଦେବା ବିପଦର କାରଣ ହୁଏ । ଏହା ଦ୍ୱାରା ଟର୍ବୁଲେନ୍ସ ସମୟରେ ଯାତ୍ରୀ ଆହତ ହୁଅନ୍ତି । ବିଶେଷଜ୍ଞଙ୍କ ଅନୁସାରେ, ଛୋଟ ଚାର୍ଟର୍ଡ ଜେଟ୍ ହେଉ କିମ୍ବା ହେଲିକପ୍ଟର, ପ୍ରତ୍ୟେକ ବିମାନକୁ ଅନ୍ତର୍ଜାତୀୟ ସୁରକ୍ଷା ମାନକ, ଷ୍ଟ୍ରକ୍ଚରାଲ ଷ୍ଟ୍ରେସ୍ ଟେଷ୍ଟ୍, ଅତ୍ୟଧିକ ଝଟ୍କାର ସିମୁଲେସନ୍ ଦେଇ ଗତି କରିବାକୁ ପଡ଼େ । ସାମାନ୍ୟଠୁ ଅଧିକ ଟର୍ବୁଲେନ୍ସକୁ ସହ୍ୟ କରିବା ପାଇଁ ଛୋଟ ବିମାନଗୁଡ଼ିକୁ ଡିଜାଇନ୍ କରାଯାଇଥାଏ ।
ଆହୁରି ପଢନ୍ତୁ...ଅଜିତ୍ଙ୍କ ପତ୍ନୀ ସୁନେତ୍ରା ହୋଇପାରନ୍ତି ଉପମୁଖ୍ୟମନ୍ତ୍ରୀ, ପ୍ରଫୁଲ ପଟେଲ ଦଳର ମୁଖ୍ୟ ହେବା ସମ୍ଭାବନା
ହିମାଳୟ କ୍ଷେତ୍ରରେ ଉଡୁଥିବା ଛୋଟ ବିମାନ ଓ ହେଲିକପ୍ଟର, ମୌସୁମୀ ସମୟରେ ଭାରତରେ ଚାର୍ଟର୍ଡ ବିମାନ, ଆଲାସ୍କା, ନେପାଳ ଓ ଇଣ୍ଡୋନେସିଆ ଭଳି ପାହାଡ଼ିଆ ଦେଶରେ ଟର୍ବୁଲେନ୍ସ ସାଧାରଣ କଥା । କିନ୍ତୁ ଏଥିଜନିତ ଦୁର୍ଘଟଣା ଅତ୍ୟନ୍ତ ବିରଳ । ଉଡ଼ାଣ ସମୟରେ ଯାତ୍ରୀ ଟର୍ବୁଲେନ୍ସ ଚେତାବନୀକୁ ଅଣଦେଖା କରିବା ଉଚିତ୍ ନୁହେଁ । ସୂଚନାଯୋଗ୍ୟ, ସଦ୍ୟ ଦୁର୍ଘଟଣାଗ୍ରସ୍ତ ଲିୟରଜେଟ୍ ୪୫ ବିମାନର ଇନ୍ଧନ ଦକ୍ଷତା ୨୭୨୨ କିଲୋଗ୍ରାମ୍ । ଏହାର ବେଗ ପ୍ରାୟ ୩୭୦୦ରୁ ୪୦୭୪ କିମି । ୪-୫ ଘଣ୍ଟା ଯାଏ ଏହା ଅବିରତ ଉଡ଼ିପାରେ ।