ଅବକାରୀ ବିଭାଗର ଚଢ଼ାଉ: ୮ କେଜି ଭାଙ୍ଗ ଏବଂ ୧୦୪ ଲିଟର ମଦ ଜବତ, ୩ ଗିରଫ

କୃଷ୍ଣପ୍ରସାଦ ୨୩/୫- ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଅଞ୍ଚଳରେ ଅବକାରୀ ବିଭାଗ ଚଢାଉ କରି ୩ ଜଣ ନିଶା ବେପାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ବେପାରୀମାନେ କୃଷ୍ଣପ୍ରସାଦ ଥାନା ଅଧୀନସ୍ଥ ବ୍ରାହ୍ମଣ ଦେଓ ଗ୍ରାମର ଚନ୍ଦ୍ରକାନ୍ତ ରଣସିଂହ (୫୨), ଚିଲିକା ନୂଆପଡା ଗ୍ରାମର ଶଶିକାନ୍ତ ଜେନା (୪୨) ଓ ରମ୍ଭା ଥାନା ଅନ୍ତର୍ଗତ ବୁରୁଡି ଗ୍ରାମର ମାନସ ରଂଜନ ବିଶୋଇ (୩୭) ବୋଲି ଅବକାରୀ ବିଭାଗ ଠାରୁ ସୂଚନା ମିଳିଛି । ସେମାନଙ୍କ ଠାରୁ ୮ କେଜି ଭାଙ୍ଗ ଓ ୧୦୪ ଲିଟର ହାତ ରନ୍ଧା ପାଉଜ ମଦ ଜବତ ହୋଇଥିବାବେଳେ ସେମାନଙ୍କ ବିରୁଦ୍ଧରେ ସାତପଡା ଅବକାରୀ ଥାନା କେସ ନମ୍ବର ୨୪,୨୫,୨୬/୨୩-୨ ୪ରେ କୋର୍ଟ ଚାଲାଣ କରି ଜାମିନ ନାମଞ୍ଜୁର ହେବାରୁ ପୁରୀ କାରାଗାରକୁ ପଠାଯାଇଥିବା ଆରକ୍ଷୀ ନିରୀକ୍ଷକ ଅଧିକାରିଣୀ ମାନସୀ ସାହୁଙ୍କ ଠାରୁ ସୂଚନା ମିଳିଛି । ଚଢାଉ ସମ୍ପର୍କରେ ଅବକାରୀ ଭାରପ୍ରାପ୍ତ ଅଧିକାରୀ ବିନୋଦ ବାସ୍କେଙ୍କୁ ଟେଲିଫୋନ କଲେ ସୁଦ୍ଧା ସେ କୌଣସି ପ୍ରତିକ୍ରିୟା ଦେଉନଥିବାରୁ ଅଧିକାରୀଙ୍କ ଭୂମିକାକୁ ନେଇ ସନ୍ଦେହ ଉପୁଜିଛି ।