ନୂଆଦିଲ୍ଲୀ : ଭାରତ- ଆମେରିକାର ସେନା ମଧ୍ୟରେ ଦୃଢ ଭାଗିଦାରୀ ତଥା ଭାଗିଦାରୀ ସଂକଳ୍ପକୁ ସୁଦୃଢ କରିବାର ଭାବନା ସହ ମିଳିତ ସେନା ଅଭ୍ୟାସ ‘ବଜ୍ର ପ୍ରହାର’ ଅନୁଷ୍ଠିତ ହେବାକୁ ଯାଉଛି। ଏହା ସେନା ଅଭ୍ୟାସର ୧୬ ତମ ସଂସ୍କରଣ, ଯାହା ସୋମବାର ଠାରୁ ହିମାଚଳ ପ୍ରଦେଶର ବକଲୋହ ସ୍ଥିତ ସ୍ପେଶାଲ ଫୋର୍ସ ତାଲିମ୍ ସ୍କୁଲରେ ଆରମ୍ଭ ହେବ। ଏହି ଉଚ୍ଚ ସ୍ତରୀୟ ଦ୍ୱିପାକ୍ଷୀୟ ଅଭ୍ୟାସ ଜଟିଳ ପରିଚାଳନ ପରିବେଶରେ ପରସ୍ପରର କାର୍ଯ୍ୟଦକ୍ଷତା , ସାମରିକ ସମନ୍ୱୟ ଓ ଯୁଦ୍ଧର ତତ୍ପରତାକୁ ବଢାଇବା ଉଦ୍ଦେଶ୍ୟରେ ଆୟୋଜିତ କରାଯାଉଛି ଏବଂ ଏହା ୧୫ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ।

ସେନା ଶନିବାର ଦିନ ଏହି ବିଷୟରେ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରିଛି। ଏଥିରେ କୁହାଯାଇଛି ଯେ, ଏହି ଅଭ୍ୟାସ ପ୍ରତିରକ୍ଷା ସହଯୋଗକୁ ମଜବୁତ କରିବା , ପରସ୍ପର କାର୍ଯ୍ୟକ୍ଷମତା ଓ ମିଳିଛି ପରିଚାଳନା ତତ୍ପରତାକୁ ବୃଦ୍ଧି କରିବା ତଥା ଉନ୍ନତ ବିଶେଷ ଅଭିଯାନର ରଣନୀତି, ଟେକନିକ୍ ଓ ପ୍ରକ୍ରିୟା ଗୁଡ଼ିକର ଆଦାନପ୍ରଦାନ ପାଇଁ ପ୍ରସ୍ତୁତ କରାଯାଇଛି। କଠୋର ଓ ବାସ୍ତବବାଦୀ ପରିସ୍ଥିତିରେ ଟ୍ରେନିଂର ମାଧ୍ୟମରେ ଉଭୟ ଦଳ ପାରସ୍ପରିକ ବିଶ୍ୱାସ ଓ କାର୍ଯ୍ୟକ୍ଷମ ସମନ୍ୱୟକୁ ମଜବୁତ କରିବେ। ପୋଷ୍ଟରେ କୁହାଯାଇଛି ଯେ, ଏହା ଉତ୍କୃଷ୍ଟ ଭାଗୀଦାରୀ ସ୍ଥାପନ କରିବା ଓ ସହଭାଗୀ ସଂକଳ୍ପ କୁ ମଜବୁତ କରିବାର ଲକ୍ଷ୍ୟ ରଖିଛି।

ବଜ୍ର ପ୍ରହାର ଅଭ୍ୟାସର ୧୫ ତମ ସଂସ୍କରଣ ନଭେମ୍ୱର ୨୦୨୪ରେ ଆମେରିକାର ଆଇଡାହୋର ଆର୍ଚାର୍ଡ ଯୁଦ୍ଧ ତାଲିମ କେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା। ପୂର୍ବ ବିବୃତ୍ତିରେ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଥିଲା ଯେ, ଏହି ମିଳିତ ସାମରିକ ଅଭ୍ୟାସର ଲକ୍ଷ୍ୟ ହେଉଛି ସ୍ୱତନ୍ତ୍ର ଅପରେସନ ରଣନୀତି , ମିଳିତତା ଓ ଆନ୍ତଃକାର୍ଯ୍ୟକ୍ଷମର ଆଦାନପ୍ରଦାକୁ ବୃଦ୍ଧି କରି ଭାରତ ଓ ଆମେରିକା ମଧ୍ୟରେ ସାମରିକ ସହଯୋଗକୁ ପ୍ରୋତ୍ସାହିତ କରିବା।