ଇସଲାମାବାଦ,୨୧/୧୧; ଭୟଙ୍କର ବିସ୍ଫୋରଣରେ ପୁଣି ଥରି ଉଠିଲା ପାକିସ୍ତାନ । ପଞ୍ଜାବ ଫୈସଲାବାଦ ଜିଲ୍ଲାରେ ଏକ କେମିକାଲ ଫ୍ୟାକ୍ଟ୍ରିର ବଏଲର ଭୀଷଣ ବିସ୍ଫୋରଣ ହୋଇଛି । ଏଥିରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି । ଆଖପାଖର ଥିବା ଘର କ୍ଷତିଗ୍ରସ୍ତ ହୋଇଛି ।
ଲାହୋରରୁ ପ୍ରାୟ ୧୩୦ କିଲୋମିଟର ଦୂରରେ ଥିବା ଫୈସଲାବାଦରେ ବିସ୍ଫୋରଣ ହୋଇଛି । ପାକିସ୍ତାନର ଶିଳ୍ପ ହବ୍ ଭାବେ ପରିଚିତ ପଞ୍ଜାବର ଫୈସଲାବାଦ । ଫୈସଲାବାଦର ଡେପୁଟି କମିଶନର ରାଜା ଜହାଙ୍ଗୀର ଅନବର କହିଛନ୍ତି, ମଲିକପୁର ଅଞ୍ଚଳରେ ଏକ ଥିବା ରସାୟନିକ କାରଖାନାରେ ଗ୍ୟାସ ଲିକ୍ ହୋଇ ବ୍ଲାଷ୍ଟ ହୋଇଛି । ଯେଉଁଥିରେ ୧୫ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନେକ ଆହତ ହୋଇଛନ୍ତି । ପାକ୍ ମିଡିଆ ଡନ୍ ରିପୋର୍ଟ କରିଛି- ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଅନେକ କୋଠା ଭୁଶୁଡ଼ି ପଡ଼ିଛି । ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି, ଉଦ୍ଧାର କାର୍ଯ୍ୟ ଜାରି ରହିଛି । ମୃତ୍ୟୁସଂଖ୍ୟା ବଢିବା ଆଶଙ୍କା କରାଯାଉଛି । ପଞ୍ଜାବ ମୁଖ୍ୟମନ୍ତ୍ରୀ ମରିୟମ ନବାଜ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ପୀଡିତଙ୍କ ପରିବାରଙ୍କ ପ୍ରତି ସମବେଦନା ଜଣାଇଛନ୍ତି । ଫୈସଲାବାଦ କମିଶନଙ୍କୁ ଘଟଣାର ବିସୃତ ରିପୋର୍ଟ ମାଗିଛନ୍ତି ।
କହି ରଖୁଛୁ କି, ୧୦ ଦିନ ତଳେ ପାକିସ୍ତାନରେ ଏକ ବିସ୍ଫୋରଣ ହୋଇଥିଲା । ନଭେମ୍ବର ୧୧ ତାରିଖରେ ପାକିସ୍ତାନର ଇସଲାମାବାଦରେ ହାଇକୋର୍ଟ ନିକଟରେ ଏକ ବିସ୍ଫୋରଣ ଘଟିଥିଲା । ୯ ଜଣଙ୍କ ମୃତ୍ୟୁ ଘଟିଥିବା ହୋଇଥିଲା । ୧୨ରୁ ଅଧିକ ଲୋକ ଆହତ ହୋଇଥିଲେ ।