ନୀଳଗିରି,୨୨/୧୦ : ବାତ୍ୟା ‘ଦାନା’ ପାଇଁ ଏବେ ସାରା ରାଜ୍ୟବାସୀ ଚିନ୍ତିତ । ରାଜ୍ୟ ସରକାର ସମସ୍ତ ଅଧିକାରୀଙ୍କୁ ଏଥିପ୍ରତି ସଜାଗ ରହିବାକୁ ନିର୍ଦେଶ ଦେଇଛନ୍ତି । ସମ୍ଭାବ୍ୟ ବାତ୍ୟା ନେଇ ଉତ୍ତର ଓଡିଶା ବାଲେଶ୍ଵର ଜିଲ୍ଲା କ୍ଷୟକ୍ଷତି ହେବାର ସମ୍ବାବନା ରହିଛି । ଏ ନେଇ ମଧ୍ୟ ନୀଳଗିରି ଉପଖଣ୍ଡରେ ପ୍ରଶାସନିକ ସ୍ତରରେ ବ୍ୟାପକ ପ୍ରସ୍ତୁତି ରହିଛି । ନୀଳଗିରି ଉପଜିଲ୍ଲାପାଳ ଶୁଭଶ୍ରୀ ରଥଙ୍କ ତତ୍ତ୍ବାବଧାନରେ ତହସିଲଦାର, ବିଡ଼ିଓ, ବନବିଭାଗ, ପୋଲିସ ବିଭାଗ, ଅଗ୍ନିଶମ ବିଭାଗଙ୍କ ସମେତ ଅନ୍ୟ ବିଭାଗର ଅଧିକାରୀଙ୍କୁ ନେଇ ଏକ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇ ସାରିଛି ।
ବାତ୍ୟା ପାଇଁ ପ୍ରବଳ ବର୍ଷା ସାଙ୍ଗକୁ ପବନ ବୋହିବା ନେଇ ଚାଳ ଛପର ଗୁଡିକ ବେଶୀ କ୍ଷୟକ୍ଷତି ହେବାର ସମ୍ବାବନା ଥିବାରୁ ଲୋକମାନେ କିପରି କୋଠା ନିର୍ମିତ ସ୍କୁଲ ଘର, ବାତ୍ୟା ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତର ହେବେ ଏ ନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଥିବା ଜଣାପଡିଛି । ସୋନନଦୀ ଉପକୂଳ ଅଞ୍ଚଳରେ ଥିବା ବାଡ଼ିଆ, କାଠପାଳ, ରାଧାକିଶୋରପୁର, କାଂଶ, ନରସିଂହପୁର, ଅଯୋଧ୍ୟା, ମଛୁଆ, ବେଗୁନିଆ ଅଞ୍ଚଳରେ ଥିବା ବାତ୍ୟା ଆଶ୍ରୟସ୍ଥଳ ଓ ସ୍କୁଲ ଘର ଗୁଡିକ ଆଜି ପ୍ରଶାସନିକ ସ୍ଥରରେ ଯାଞ୍ଚ କରାଯାଇଛି।
ଉପଜିଲ୍ଲାପାଳ ଶୁଭଶ୍ରୀ ରଥ ଓ ତହସିଲଦାର ଦିପ୍ତୀମୟୀ ବେହେରା ନିଜେ ଯାଇ ପରିଦର୍ଶନ କରି କିଭଳି ଲୋକମାନଙ୍କୁ ସଠିକ ସୁବିଧା ଦେଇ ହେବ ଏ ନେଇ ସ୍ଥାନୀୟ ଲୋକ ପ୍ରତିନିଧି ଓ ଅଞ୍ଚଳବାସୀଙ୍କ ସହ ବିଶଦ ଆଲୋଚନା କରିଛନ୍ତି । ପବନରେ ବିଦ୍ୟୁତ ଯୋଗାଯାଗ ବିଛିନ୍ନ ହେଲେ ସେଣ୍ଟର ଗୁଡିକରେ ଜେନରେଟର ବ୍ୟବସ୍ଥା କରାଯିବ ବୋଲି ଜଣାପଡିଛି । ସେହିପରି ପ୍ରଭାବିତ ଅଞ୍ଚଳରେ ଶୁଖିଲା ଖାଦ୍ୟ ଓ ରନ୍ଧା ଖାଦ୍ୟ ନେଇ ବ୍ୟବସ୍ଥା କରାଯାଇଥିବା ବେଳେ ବନ୍ୟା ହେଲେ ନଦୀ ଉପକୂଳ ଅଞ୍ଚଳବାସୀଙ୍କୁ ଓଡ୍ରାଫ ଟିମ ଡଙ୍ଗା ଦ୍ୱାରା ସହଯୋଗ କରାଯିବା ସହ ବିଛିନ୍ନ ଅଞ୍ଚଳରେ ଖାଦ୍ୟ କିପରି ପହଞ୍ଚାଇ ହେବ ଏ ନେଇ ମଧ୍ୟ ବ୍ୟବସ୍ଥା ହୋଇଛି।
ସେହିପରି ଖାଦ୍ୟ ସାମଗ୍ରୀ ଯେଭଳି କଳାବଜାର ନ ହେବ ଏ ନେଇ ଯୋଗାଣ ବିଭାଗ ମଧ୍ୟ ସଜାଗ ଥିବା ଜଣାପଡିଛି। ତେବେ ବାତ୍ୟା ମୁକାବିଲା ପାଇଁ ଅଞ୍ଚଳବାସୀ କୌଣସି ଭୟ ନକରି କିଭଳି ସଠିକ ମୁକାବିଲା ସମସ୍ତେ ମିଶି କରିହେବ ଅଞ୍ଚଳବାସୀ ଓ ସରକାରୀ ଅଧିକାରୀ ,କର୍ମଚାରୀଙ୍କୁ ନୀଳଗିରି ଉପଜିଲ୍ଲାପାଳ ଶୁଭଶ୍ରୀ ରଥ ଆହ୍ୱାନ ଦେଇଛନ୍ତି।