ଇମ୍ରାନ ଯଦି ଏତେ ଭଲ, ଆମକୁ ଆଝାର ଦେଇ ଦିଅନ୍ତୁ: ସୁଷମା ସ୍ବରାଜ

ନୂଆଦିଲ୍ଲୀ,୧୪।୩: ମାସୁଦ ଆଝାର ପ୍ରସଙ୍ଗରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ ପାକିସ୍ତାନକୁ ପୁଣିଥରେ ସ୍ପଷ୍ଟ କରିଛନ୍ତି ଯେ ଆତଙ୍କବାଦ ଏବଂ ଆଲୋଚନା କେବେବି ଏକାଠି ହୋଇପାରିବନି। ଆତଙ୍କମୁକ୍ତ ବାତାବରଣରେ ଆମେ ପାକିସ୍ତାନ ସହ ଆଲୋଚନା କରିବାକୁ ପ୍ରସ୍ତୁତ ଅଛୁ। ବହୁ ଲୋକ କହୁଛନ୍ତି ଇମ୍ରାନ ଖାନ୍ ଖୁବ୍ ଉଦାରବାଦୀ। ଯଦି ସେ ଏତେ ଉଦାର ତେବେ ମାସୁଦ ଆଝାରକୁ ଭାରତକୁ ହାତରେ ହସ୍ତାନ୍ତର କରନ୍ତୁ ବୋଲି ସିଧାସଳଖ ଭାବରେ କହିଛନ୍ତି ସୁଷମା।
ଉଲ୍ଳେଖନୀୟ ଯେ ଜୈସ୍-ଇ-ମହମ୍ମଦ ମୁଖ୍ୟ ତଥା ପୁଲୱାମା ଆତ୍ମଘାତୀ ଆକ୍ରମଣର ମାଷ୍ଟରମାଇଣ୍ଡ ମାସୁଦ ଆଝାରକୁ ବିଶ୍ୱ ଆତଙ୍କୀ ତାଲିକାରେ ସାମିଲ କରିବା ପ୍ରସ୍ତାବ ଉପରେ ଚୀନ୍ ଚତୁର୍ଥଥର ପାଇଁ ବାଧା ଦେଇଛି । ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍ଏସ୍ସି)ର ୧୨୬୭ ବାସନ୍ଦ କମିଟି ବୈଠକରେ ଅଧିକାଂଶ ସଦସ୍ୟ ରାଷ୍ଟ୍ର ମାସୁଦକୁ ତାଲିକାରେ ସାମିଲ କରିବାକୁ ପ୍ରସ୍ତାବ ଦେଇଥିଲା ବେଳେ ଚୀନ୍ ତାହା ଉପରେ ଭିଟୋ ପ୍ରୟୋଗ କରିଛି । ଫଳରେ ଏହି ପ୍ରସ୍ତାବ ରଦ୍ଦ ହୋଇଯାଇଛି ।
ବୈଠକରେ ପକ୍ଷରୁ କୁହାଯାଇଥିଲା ଯେ, ଜୈସ୍ ସହିତ ମାସୁଦର କୌଣସି ଲିଙ୍କ୍ ନାହିଁ । ତା’ଛଡା ମାସୁଦ ବିରୋଧରେ ପୂର୍ବରୁ ମଧ୍ୟ କୌଣସି ପ୍ରମାଣ ନାହିଁ। ଯଦି ଆତଙ୍କବାଦୀ କାର୍ଯ୍ୟକଳାପ ସହ ମାସୁଦର କୌଣସି ସମ୍ପର୍କ ରହିଛି ତେବେ ତାହାର ପ୍ରମାଣ କାହିଁ ବୋଲି ଚୀନ୍ ଦାବି କରିଥିଲା । ଭାରତ ଯେଉଁ ଦାବି କରୁଛି ତାହା କେତେଦୂର ସତ ତାହାର ଅନୁଧ୍ୟାନ ପ୍ରଥମେ କରାଯିବା ଉଚିତ ବୋଲି ଚୀନ କହିଥିଲା । ଭାରତ ପକ୍ଷରୁ ଜୈସ୍ ଏବଂ ମାସୁଦର ସମ୍ପର୍କ ନେଇ ଜାତିସଂଘକୁ ଡୋସିୟର ପ୍ରଦାନ କରାଯାଇଥିଲା । ଭାରତ ବିଶ୍ୱାସ କରିଥିଲା ଯେ ଏହି ପ୍ରମାଣ ମଧ୍ୟ ମାସୁଦ ବିରୋଧରେ ଯଥେଷ୍ଟ ହେବ ଏବଂ ଆମେରିକା ଓ ଫ୍ରାନ୍ସ ଚାପ ପକାଇବେ । କିନ୍ତୁ ଏଥର ପୁଣିଥରେ ଚୀନ ନିଜର ପୁରୁଣା ପ୍ରକୃତିକୁ ଦୋହରାଇଛି। ଚୀନ ଏହି ପ୍ରସ୍ତାବକୁ ୬ ମାସ ପାଇଁ ରୋକ ଲଗାଇ ପାରିବ। ଆଗକୁ ଏହାକୁ ଆଉ ୩ ମାସ ବଢାଇ ହେବ ବୋଲି ଜାତିସଂଘର ଜଣେ ରାଷ୍ଟ୍ରଦୂତ ସୂଚନା ଦେଇଛନ୍ତି।