PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

ପୁଣି ଚର୍ଚ୍ଚାରେ ଫେସ୍‌ବୁକ୍‌ କାରସାଦି, ତଥ୍ୟ ନେବା ପାଇଁ ଭିତିରିଆ ଦେଉଛି ୨୦ ଡଲାର

source:bgr.com

ସାନ୍‌ ଫ୍ରାନ୍‌ସିସ୍କୋ,୩୦ା୧(ଏଜେନ୍ସି): ୟୁଜରଙ୍କ ବ୍ୟକ୍ତିଗତ ତଥ୍ୟକୁ ଚୋରାଇ ଏହାର ଅପବ୍ୟବହାର କରିବା ଅଭିଯୋଗରେ ଫେସ୍‌ବୁକ୍‌ ନିକଟରେ ବିବାଦୀୟ ହୋଇପଡ଼ିଥିଲା । ଏଥିପାଇଁ ବିଭିନ୍ନ ରାଷ୍ଟ୍ରରେ କଡ଼ା ସମାଲୋଚନାର ଶିକାର ହୋଇଥିଲା ଏହି ସୋସିଆଲ୍‌ ନେଟ୍‌ୱର୍କିଂ ସାଇଟ୍‌ । ବର୍ତ୍ତମାନ ପୁଣି କମ୍ପାନି ସମାନ ଘଟଣାକୁ ନେଇ ଚର୍ଚ୍ଚା ପରିସରକୁ ଆସିଛି । ୟୁଜର ଡାଟା ନେବା ପାଇଁ ଏହା ଭିତିରିଆ ଭାବେ ମାସକୁ ବ୍ୟବହାରକାରୀଙ୍କୁ ୨୦ ଡଲାର ଦେଉଥିବା ଏକ ସଦ୍ୟ ରିପୋର୍ଟ ଦର୍ଶାଇଛି ।
‘ଟେକ୍‌କ୍ରଞ୍ଚ୍‌’ ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟ ମୁତାବକ ଫେସ୍‌ବୁକ୍‌ ବଡ଼ ମିଶନ୍‌ ରଖି ଏକ ଗବେଷଣା କାର୍ଯ୍ୟକ୍ରମ ଆରମ୍ଭ କରିଥିଲା । ଏହି କାର୍ଯ୍ୟକ୍ରମ ସ୍ୱରୂପ ଏହା ‘ଫେସ୍‌ବୁକ୍‌ ରିସର୍ଚ୍ଚ’ ନାମକ ଏକ ଭିପିଏନ୍‌ (ଭର୍ଚୁଆଲ୍‌ ପ୍ରାଇଭେଟ୍‌ ନେଟ୍‌ୱର୍କ) ଆପ୍‌ ପ୍ରଚଳନ କରିଛି । ଉକ୍ତ ଆପ୍‌କୁ ଇନ୍‌ଷ୍ଟଲ୍‌ କରିବା ପାଇଁ ଏହା କିଶୋର ଏବଂ ଯୁବପିଢ଼ିଙ୍କୁ ମାସିକ ୨୦ ଡଲାର ପର୍ଯ୍ୟନ୍ତ ପ୍ରଦାନ କରୁଛି । ଏହି ଆପ୍‌କୁ ଇନ୍‌ଷ୍ଟଲ୍‌ କରୁଥିବା ଲୋକଙ୍କ ଫୋନ୍‌ ଏବଂ ୱେବ୍‌ ବ୍ୟବହାର ସଂକ୍ରାନ୍ତ କାର୍ଯ୍ୟକଳାପ ସମ୍ପର୍କରେ ଫେସ୍‌ବୁକ୍‌ ସହଜରେ ଜାଣିପାରୁଛି । ଏକ୍‌ଦମ ଭିତିରିଆ ଭାବେ ଫେସ୍‌ବୁକ୍‌ ସେମାନଙ୍କୁ ୨୦ ଡଲାର ଦେଇ ସେମାନଙ୍କ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ନେଇଯାଉଛି । ଏହି ତଥ୍ୟ ପାଇବା ଦ୍ୱାରା ସ୍ୱଳ୍ପ ଖର୍ଚ୍ଚରେ କମ୍ପାନିର ନିଜ ଭବିଷ୍ୟତ ବ୍ୟବସାୟିକ ରଣନୀତି ପ୍ରସ୍ତୁତ କରିବାରେ ସଫଳ ହେଉଛି ।
ରିପୋର୍ଟ ଦର୍ଶାଇଛି ଯେ ଫେସ୍‌ବୁକ୍‌ ନିଜ ମିଶନ୍‌ ପାଇଁ ପୂର୍ବରୁ ‘ଓନାଭୋ ପ୍ରୋଟେକ୍ଟ’ ନାମକ ଏକ ଆପ୍‌ ସୃଷ୍ଟି କରିଥିଲା । କିନ୍ତୁ ଏହି ଆପ୍‌ର କାରସାଦି ଜାଣିପାରି ଆପଲ୍‌ ଏହାକୁ ଜୁନ୍‌ରେ ନିଷେଧ କରିଥିଲା । ଏହାପରେ ଅଗଷ୍ଟ ମାସରେ ଏହି ଆପ୍ଲିକେସନ୍‌କୁ ଫେସ୍‌ବୁକ୍‌ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିନେଇଥିଲା । ବର୍ତ୍ତମାନ ଓନାଭୋ ପ୍ରୋଟେକ୍ଟ ଭଳି ‘ଫେସ୍‌ବୁକ୍‌ ରିସର୍ଚ୍ଚ’ ଆପ୍‌ କାର୍ଯ୍ୟ କରୁଛି । ଓନାଭୋ ପ୍ରୋଟେକ୍ଟ ଆପ୍‌ରେ ମଧ୍ୟ ଫେସ୍‌ବୁକ୍‌ କିଶୋର ଓ ଯୁବପିଢ଼ିଙ୍କ ପାଇଁ ପୁରସ୍କାର ଓ ଅର୍ଥରାଶି ପ୍ରଦାନର ବ୍ୟବସ୍ଥା କରିଥିଲା । ଏହା ଆଇଫୋନ୍‌ ନିର୍ମାତା ଆପଲ୍‌ର ନୀତି ବିରୋଧରେ ଥିବାରୁ ଏହାକୁ କମ୍ପାନି ନିଷେଧ କରିଥିଲା ।
ଟେକ୍‌କ୍ରଞ୍ଚ୍‌ ରିପୋର୍ଟ ଦର୍ଶାଇଛି ଯେ ଓନାଭୋ ପ୍ରୋଟେକ୍ଟ ନିଷେଧ ହେବା ପରେ ମଧ୍ୟ ଫେସ୍‌ବୁକ୍‌ ଏହାର ମିଶନରୁ ନିବୃତ୍ତ ରହିନଥିଲା । ଫଳସ୍ୱରୂପ ‘ଫେସ୍‌ବୁକ୍‌ ରିସର୍ଚ୍ଚ’ ନାମକ ଭିପିଏନ୍‌ ଆପ୍‌ ଆରମ୍ଭ କରିଥିଲା । ୨୦୧୬ ପରଠାରୁ ଫେସ୍‌ବୁକ୍‌ ଏହି ଆପ୍‌ ଇନ୍‌ଷ୍ଟଲ୍‌ କରୁଥିବା ୧୩ରୁ ୩୫ ବର୍ଷ ବୟସର ବ୍ୟବହାରକାରୀଙ୍କୁ ମାସକୁ ୨୦ ଡଲାର ପର୍ଯ୍ୟନ୍ତ ଦେବା ସହ ସେମାନଙ୍କ ଗୋପନ ତଥ୍ୟ ହାସଲ ବାବଦରେ ଅତିରିକ୍ତ ଦେୟ ପ୍ରଦାନ କରୁଛି । ଉଭୟ ଆଇଓଏସ୍‌ ଓ ଆଣ୍ଡ୍ରଏଡ୍‌ ଫୋନ୍‌ରେ ଏହି ଫେସ୍‌ବୁକ୍‌ ରିସର୍ଚ୍ଚ ଆପ୍‌ କାର୍ଯ୍ୟ କରୁଛି ।
ଫେସ୍‌ବୁକ୍‌ ଏହି ବ୍ୟବହାରକାରୀଙ୍କୁ ସେମାନଙ୍କ ଆମାଜନ୍‌ ଅର୍ଡର ହିଷ୍ଟ୍ରି ପେଜ୍‌ର ସ୍କ୍ରିନ୍‌ସଟ୍‌ ପଠାଇବା ପାଇଁ କହୁଛି ଏବଂ ଏଥିଲାଗି ମଧ୍ୟ ୟୁଜରଙ୍କୁ ଅତିରିକ୍ତ ଅର୍ଥରାଶି ପ୍ରଦାନ କରୁଛି । ଆଉଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଫେସ୍‌ବୁକ୍‌ ନିଜର ଏହି କାର୍ଯ୍ୟକୁ ଆଇନର ଦୃଷ୍ଟି ଆଢୁଆଳରେ ରଖିବା ପାଇଁ ଅଭିନବ ପନ୍ଥା ଅବଲମ୍ବନ କରୁଛି । ଆପ୍ଲାଉଜ୍‌, ବେଟାବାଉଣ୍ଡ୍‌ ଏବଂ ୟୁ-ଟେଷ୍ଟ ଭଳି ବେଟା ଟେଷ୍ଟିଂ ସେବା ବ୍ୟବହାର କରି ଫେସ୍‌ବୁକ୍‌ ନିଜକୁ ସ୍ୱଚ୍ଛ ପ୍ରମାଣିତ କରୁଛି । କିନ୍ତୁ ସ୍ୱଳ୍ପ ରୋଜଗାର ପାଇଁ ଅଧିକାଂଶ ବ୍ୟବହାରକାରୀ ସେମାନଙ୍କ ତଥ୍ୟ ଫେସ୍‌ବୁକ୍‌ ଦେଉଥିବା ରିପୋର୍ଟ କହିଛି ।
ଟେକ୍‌କ୍ରଞ୍ଚ୍‌ର ଏହି ରିପୋର୍ଟ ଫେସ୍‌ବୁକ୍‌ର କାର୍ଯ୍ୟକୁ ପର୍ଦ୍ଦାଫାସ କରିଦେବା ପରେ ସୋସିଆଲ୍‌ ନେଟ୍‌ୱର୍କିଂ କମ୍ପାନି ଏବେ ସଜାଗ ହୋଇଯାଇଛି । ତେଣୁ ଆଇଓଏସ୍‌ରେ ଏବେ ‘ରିସର୍ଚ୍ଚ ଆପ୍‌’କୁ ବନ୍ଦ କରିଦେବ ବୋଲି କହିଛି । କିନ୍ତୁ କମ୍ପାନିର ଏହି ପ୍ରୋଗ୍ରାମ୍‌ ଆଣ୍ଡ୍ରଏଡ୍‌ ଫୋନ୍‌ଗୁଡ଼ିକରେ ଜାରି ରହିବ । ଏ ନେଇ ଟେକ୍‌କ୍ରଞ୍ଚ୍‌ କହିଛି ଯେ ବର୍ତ୍ତମାନ ଆଣ୍ଡ୍ରଏଡ୍‌ ଫୋନ୍‌ଗୁଡ଼ିକୁ ଫେସ୍‌ବୁକ୍‌ ଟାର୍ଗେଟ୍‌ କରୁଥିବାରୁ ଏହି ଫୋନ୍‌ ବ୍ୟବହାର କରୁଥିବା ଲୋକମାନେ ସଚେତନ ହୋଇଯିବା ଆବଶ୍ୟକ । ନଚେତ୍‌ ସେମାନଙ୍କ ତଥ୍ୟ ପ୍ରଘଟ ହେବା ଆଶଙ୍କା ରହିଛି । ଏ ବାବଦରେ ଫେସ୍‌ବୁକ୍‌ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ ।

ସମ୍ବନ୍ଧିତ ଖବର