ଆମେ ସିଏଚଏସ୍ସି ଅଫିସ୍ରୁ କହୁଛୁ… ଟଙ୍କା ଦେଲେ ପିଲାକୁ ପାସ୍ କରିଦେବୁ

ଭୁବନେଶ୍ୱର,୩୧ା୫(ବ୍ୟୁରୋ): ହେଲୋ… ଆମେ ସିଏଚଏସ୍ସି ଅଫିସ୍ରୁ କହୁଛୁ । ଆପଣଙ୍କ ପିଲା ଯୁକ୍ତ ୨ ପରୀକ୍ଷା ଦେଇଥିଲା । ସେ ପାସ୍ କରି ପାରିନି । ଯଦି ପେପର ପିଛା ୫ ହଜାର ଟଙ୍କା ଦେବ ତେବେ ଆମେ ପିଲାକୁ ପାସ୍ କରି ଦେବୁ… । ଯୁକ୍ତ ୨ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କ ନିକଟକୁ ଏମିତି ଫୋନ୍ କଲ୍ ଆସୁଛି । ଏଥିରେ ଅଭିଭାବକ ରାଜି ହେଲେ ଏକ ନିର୍ଦ୍ଦିଷ୍ଟ ଆକାଉଣ୍ଟରେ ଟଙ୍କା ପଠାଇବାକୁ କହୁଛନ୍ତି । ଲୋକଙ୍କୁ ଲୁଟ୍ କରିବାକୁ ଏକ ବଡ଼ ର୍ୟାକେଟ୍ କାମ କରୁଥିବା ଅନୁମାନ କରାଯାଉଛି । ବହୁ ଥାନାରେ ଏଭଳି ଅଭିଯୋଗର ଲମ୍ବା ତାଲିକା ଲାଗି ରହିଥିବା ସୂଚନା ମିଳିଛି ।
ପୂରା ଘଟଣା ଏମିତି
ରାଜ୍ୟରେ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଯୁକ୍ତ୨ ପରୀକ୍ଷା ଦେଇଛନ୍ତି । ପରୀକ୍ଷା ପୂର୍ବରୁ ଫର୍ମ ପୂରଣ କରିଥିଲେ । ଉକ୍ତ ଫର୍ମରେ ଯୋଗାଯୋଗ ପାଇଁ ଫୋନ୍ ନମ୍ବର ଲେଖିବାକୁ ନିର୍ଦ୍ଦେଶ ଥିଲା । ଫର୍ମ ପୂରଣ କରିଥିବା ଛାତ୍ରଛାତ୍ରୀମାନେ ସେମାନଙ୍କ ପରିବାର ସଦସ୍ୟଙ୍କ ଫୋନ୍ ନମ୍ବର ଦେଇଥିଲେ । ହେଲେ ଏବେ ପାସ୍ କରି ଦେବାକୁ କହି ଅନେକ ଦଲାଲ୍ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କୁ ଫୋନ୍ କରୁଛନ୍ତି । ଏ ଭଳି ଫୋନ୍ କଲ୍ ପାଇ ବିବ୍ରତ ହୋଇ ପଡ଼ିଛନ୍ତି ଅଭିଭାବକ । କାରଣ ଫୋନ୍ କରୁଥିବା ଲୋକ ପିଲା ନାମ, ରୋଲ୍ ନମ୍ବର ଠାରୁ ଆରମ୍ଭ କରି ସବୁ କଲେଜର ଠିକଣା ଓ ଅନ୍ୟ ସବୁ ତଥ୍ୟ କହିଦେଉଛି । ଏ ସବୁ ଶୁଣି ଅଭିଭାବକ ତାଙ୍କ କଥା ବିଶ୍ୱାସ କରି ଟଙ୍କା ପଠାଉଥିବା ଘଟଣା ପଦାକୁ ଆସିଛି ।
ଆଜି ଏମିତି ଏକ ଫୋନ୍ କଲ୍ ଆସିଥିଲା ବମିଖାଲ ଅଞ୍ଚଳରେ ରହୁଥିବା ଅପୂର୍ବ ଖଣ୍ଡୁଆଳଙ୍କ ମୋବାଇଲ୍କୁ । ତାଙ୍କ ନିକଟକୁ ୮୫୮୩୦୪୭୭୨୧ ନମ୍ବରରୁ ଫୋନ୍ କଲ ଆସିଥିଲା । ଫୋନ୍ କରିଥିବା ବ୍ୟକ୍ତି ଜଣଙ୍କ ହିନ୍ଦୀରେ ଗୌତମ ବୋଲି ନିଜ ପରିଚୟ ଦେଇଥିଲେ । ଶ୍ରୀ ଖଣ୍ଡୁଆଳଙ୍କୁ ସେ କହିଥିଲେ, ଆମେ ସିଏଚ୍ଏସ୍ସି ଅଫିସରୁ କହୁଛୁ । ଆପଣଙ୍କ ପିଲା ଯୁକ୍ତ ଦୁଇ ପରୀକ୍ଷା ଦେଇଛି । ଏହା ଶୁଣି ଶ୍ରୀ ଖଣ୍ଡୁଆଳ କ’ଣ ହେଲା ବୋଲି ପଚାରିଥିଲେ । ତା’ପରେ ଗୌତମ ତାଙ୍କୁ ତାଙ୍କ ପିଲାର ରୋଲ୍ ନମ୍ବର ଠାରୁ ଆରମ୍ଭ କରି ସବୁ ଠିକଣା ବଖାଣି ଦେଇଥିଲେ । ଏହା ଶୁଣି ତାଜୁବ ହୋଇ ଯାଇଥିଲେ ଶ୍ରୀ ଖଣ୍ଡୁଆଳ । ଗୌତମ ତାଙ୍କୁ କହିଥିଲେ ପିଲାଙ୍କ ଖାତା ଓଡ଼ିଶାରେ ଦେଖା ହୁଏ କିନ୍ତୁ ମାର୍କ ଏଣ୍ଟ୍ରି ହୁଏ କୋଲକାତାରେ । ଆପଣଙ୍କ ପିଲା ୨ ଟି ପେପରରେ ଫେଲ୍ ହୋଇଛି । ଯଦି ପେପର ପିଛା ୫ ହଜାର ଟଙ୍କା ଦେବ ତେବେ ପିଲାକୁ ପାସ୍ କରିଦେବି । ଟଙ୍କା ଦେବାର ୧୫ ମିନିଟ୍ ପରେ ଆମେ ହ୍ୱାଟ୍ସ ଆପ୍ରେ ପିଲାର ସମ୍ପୂର୍ଣ୍ଣ ମାର୍କ ପଠାଇ ଦେବୁ । ଏକଥା ଯେମିତି ଆମ ଭିତରେ ରହିବ । ଜଣାଇଲେ ଆପଣଙ୍କ ସହିତ ଆମେ ବି ଜେଲ ଯିବୁ । କିଛି ସମୟ କଥା ହେଲା ପରେ ଗୌତମ ଏକ ଆକାଉଣ୍ଟ ନମ୍ବର (୩୭୭୬୭୫୬୫୨୬୨, ଆଇଏଫ୍ଏସି- ଏସ୍ବିଆଇଏନ୍ ୦୦୦୦୧୫୮) ସୂଚନା ଦେଇ ସେଥିରେ ତୁରନ୍ତ ଟଙ୍କା ଡିପୋଜିଟ୍ କରିବାକୁ କହିଥିଲେ । ତେଣୁ ଶ୍ରୀ ଖଣ୍ଡୁଆଳ ଏହି ଘଟଣା ଲକ୍ଷ୍ମୀସାଗର ଥାନା ପୁଲିସକୁ ଜଣାଇଥିଲେ । ଉକ୍ତ ଆକାଉଣ୍ଟ ନମ୍ବର ପୁରୀର ଏକ ଏସ୍ବିଆଇ ବ୍ୟାଙ୍କ୍ର ବୋଲି ପୁଲିସ୍ ଜାଣିବାକୁ ପାଇଛି ।
ଏସମ୍ପର୍କରେ ସିଏଚଏସ୍ସି(ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ) ଡେପୁଟି କଣ୍ଟ୍ରୋଲର ପ୍ରଶାନ୍ତ କୁମାର ଦାସ କହିଛନ୍ତି, ଛାତ୍ରଛାତ୍ରୀଙ୍କ ପାଖକୁ ପ୍ରଚୁର ଫେକ୍ କଲ୍ ଆସୁଛି । ଏ ନେଇ ଅନେକ ଅଭିଭାବକ ମୋତେ ଜଣାଇଛନ୍ତି । ବିହାର, ଛତିଶଗଡ଼ ଓ କୋଲକତାରୁ ଏ ସବୁ ଫେକ୍ କଲ୍ ଆସୁଛି । ଏଥି ପ୍ରତି ଲୋକେ ସାବଧାନ ରୁହନ୍ତୁ । ଯଦି କେହି ପରୀକ୍ଷା ଖାତା ସମ୍ପର୍କରେ କିଛି କହୁଛନ୍ତି ତେବେ ତାହା ଶୁଣନ୍ତୁ ନାହିଁ । ଫୋନ୍ କରୁଥିବା ବ୍ୟକ୍ତିଙ୍କ କଲ୍କୁ ରେକର୍ଡ କରନ୍ତୁ । ଏବିଷୟରେ ପରିଷଦକୁ ଖବର ଦିଅନ୍ତୁ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ନାମରେ ଥାନାରେ ଏତଲା ଦିଅନ୍ତୁ ।
ଏଠି ପ୍ରଶ୍ନ ଉଠୁଛି, ପିଲାଙ୍କ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଦଲାଲ୍ମାନେ କେଉଁଠୁ ପାଉଛନ୍ତି । ସେମାନଙ୍କୁ ସିଏଚଏସ୍ସିର କିଛି ଅସାଧୁ କର୍ମଚାରୀ ତଥ୍ୟ ବିକ୍ରି କରୁ ନାହାନ୍ତି ତ? ଅନ୍ୟ ପକ୍ଷରେ ଦଲାଲ୍ ମାନେ କ’ଣ ସିଏଚଏସ୍ସି ୱେବ୍ସାଇଟ୍ ହ୍ୟାକ୍ କରି ଛାତ୍ରଛାତ୍ରୀଙ୍କ ତଥ୍ୟା ଚୋରି କରୁଛନ୍ତି? କେଉଁଠାରୁ ଛାତ୍ରଛାତ୍ରୀଙ୍କ ଫୋନ୍ ନମ୍ବର ଠାରୁ ଆରମ୍ଭ କରି ଆଡମିଟ୍ କାର୍ଡ ରୋଲ୍ ନମ୍ବର ଜାଣୁଛନ୍ତି । ଏଥିରୁ ଜଣାପଡ଼ୁଛି ଏହା ପଛରେ ବଡ଼ ର୍ୟାକେଟ୍ କାମ କରୁଛି । ସିଏଚଏସ୍ସି ଅଧିକାରୀ ଓ ପୁଲିସ୍ ଏହାକୁ ଗୁରୁତ୍ୱ ଦେଇ ତଦନ୍ତ କଲେ ଘଟଣା ଉପରୁ ପରଦା ହଟନ୍ତା ବୋଲି ଅଭିଭାବକମାନେ କହିଛନ୍ତି ।