ଜଗତସିଂହପୁର ୨୪/୦୧: ଜିଲ୍ଲାର ସର୍ବପୁରାତନ, ପ୍ରତିଷ୍ଠିତ ତଥା ଖ୍ୟାତନାମା ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ବଦ୍ନାମ କରିବା ଉଦ୍ଦେଶ୍ୟରେ ଜାରି ହୋଇଥିବା ଏକ ବିଭ୍ରାନ୍ତିକର ନୋଟିସ୍କୁ ନେଇ ହଇଚଇ ସୃଷ୍ଟି ହୋଇଛି । ପ୍ରଥମେ ‘ପ୍ରମେୟ’ରେ ଏହି ଖବର ପ୍ରକାଶ ପରେ ସୋମବାର କଲେଜ କର୍ତ୍ତୃପକ୍ଷ ଏବାବଦରେ ଜଗତସିଂହପୁର ଥାନାରେ ଏତଲା ଦେଇଛନ୍ତି ।
ପ୍ରଥମରୁ ହିଁ ଭାଇରାଲ୍ ହୋଇଥିବା ନୋଟିସ୍ ସଂପୂର୍ଣ୍ଣ ନକଲି ବୋଲି କଲେଜ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା । ତଥାପି କେଉଁ ଉଦ୍ଦେଶ୍ୟ ରଖି କେବଳ ଶିକ୍ଷାନୁଷ୍ଠାନ ନୁହେଁ କଲେଜର ଅଧ୍ୟକ୍ଷଙ୍କ ସମ୍ମାନହାନି କରାଯିବା ଭଳି ଏପ୍ରକାର ନୋଟିସ୍ ଜାରି କରାଯାଇଛି ତାହାର ଖୋଳତାଡ଼ ନେଇ ଜଗତସିଂହପୁର ପୁଲିସର ଦ୍ୱାରସ୍ଥ ହୋଇଛି କଲେଜ ।
ସୂଚନାଥାଉ କି, ଉକ୍ତ ନୋଟିସ୍ରେ କିଛି କିମ୍ଭୁତ କିମ୍ବାକାର ସୂଚନା ଜାରି ହୋଇଛି । ଭାଇରାଲ୍ ନୋଟିସ୍ର ପ୍ରାରମ୍ଭରେ ହିଁ ଆସନ୍ତା ଫେବ୍ରୁଆରୀ ମାସ ୧୪ରୁ କଲେଜର ପ୍ରତ୍ୟେକ ଛାତ୍ରୀ ନିଜ ନିଜର ସୁରକ୍ଷା ନିମନ୍ତେ ଅତି କମ୍ରେ ଜଣେ ପୁରୁଷ ବନ୍ଧୁ ବା ବୟଫ୍ରେଣ୍ଡକୁ ବାଛିବାକୁ ବାଧ୍ୟତାମୂଳକ କରାଯାଇଛି ।ସେହିପରି ବୟଫ୍ରେଣ୍ଡ ନଥିବା ଛାତ୍ରୀଙ୍କୁ କଲେଜ ଭିତରକୁ ପ୍ରବେଶ ଅନୁମତି ମିଳିବ ନାହିଁ । ଏତଦ୍ଭିନ୍ନ ବୟଫ୍ରେଣ୍ଡଙ୍କ ସହ ସଦ୍ୟ ଉଠାଯାଇଥିବା ଫଟୋ ଛାତ୍ରୀମାନେ ପରିଚୟପତ୍ର ଭଳି କଲେଜରେ ପ୍ରବେଶ ସମୟରେ ପ୍ରଦର୍ଶିତ କରିବେ । ଏହା ସମସ୍ତଙ୍କ କ୍ଷେତ୍ରରେ ବାଧ୍ୟତାମୂଳକ ଏବଂ ପ୍ରେମର ବାର୍ତ୍ତା ଖେଳାଇବା ନିମନ୍ତେ ଉଦ୍ଧିଷ୍ଟ ବୋଲି ଆଭାସ କରାଯାଇଛି ।