ନକଲି ପରିବହନ ଇନ୍ସପେକ୍ଟର ଗିରଫ

ଖୋର୍ଦ୍ଧା, ୧୧ା୨(ଆପ୍ର): ନିଜକୁ ପରିବହନ ଇନ୍ସପେକ୍ଟର ବୋଲି ପରିଚୟ ଦେଇ ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥ କଇଥପଲ୍ଲୀ ଛକ ନିକଟରେ ଗାଡ଼ିମୋଟର ଅଟକାଇ ଯାଞ୍ଚ ନାମରେ ଜରିମାନା ଆଦାୟ କରୁଥିବା ବେଳେ ନକଲି ପରିବହନ ଇନ୍ସପେକ୍ଟର ବାଲୁଗାଁ ଥାନା ଅନ୍ତର୍ଗତ ସଲପଡ଼ି ଗ୍ରାମର ରଜତ ବିଶ୍ୱାଳ(୩୨)କୁ ନାଚୁଣୀ ପୁଲିସ କବ୍ଜାକୁ ନେଇଛି । ତା ନିକଟରୁ ବ୍ୟବହୃତ ମହିନ୍ଦ୍ରା ଜିପ୍ ସହ ଜରିମାନା ଆଦାୟ ଅର୍ଥ ନଗଦ ୪ ହଜାର ୬ଶହ ଟଙ୍କା ଜବତ କରାଯାଇଛି ।
ଗତକାଲି ବିଳମ୍ବିତ ରାତ୍ରରେ ନିଜକୁ ପରିବହନ ଇନ୍ସପେକ୍ଟର ପରିଚୟ ଦେଇ ରଜତ କଇଥପଲ୍ଲୀ ଛକରେ ଯାନବାହନ ଯାଞ୍ଚ କରୁଥିଲେ । ମହିନ୍ଦ୍ରା ଜିପ୍ ଜାତୀୟ ରାଜପଥ ପାଶ୍ୱର୍ରେ ରଖି ଯାନବାହନ ଅଟକାଇବା ସମୟରେ କେତକ ଗାଡ଼ି ଚାଳକ ନିଜର କାଗଜପତ୍ର ଦେଖାଉଥିବା ବେଳେ ଆଉ କେତେକ ଭାରିଯାନ ରାସ୍ତାରେ ଅଟକ ରହିଥିଲା । ଏ ଘଟଣା ଜଣାପଡ଼ିବା ପରେ ନାଚୁଣୀ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ । ରଜତର କଥାବାର୍ତ୍ତା, ଭାବ ଢଙ୍ଗ ଉପରେ ସନ୍ଦେହଜାତ ହେବାରୁ ପୁଲିିସ ତାକୁ ଅଟକ ରଖିଥିଲା । ଉକ୍ତ ସମୟରେ ସେ ନକଲି ପରିବହନ ଇନ୍ସପେକ୍ଟର ହୋଇଥିବା ପୁଲିସ ଜାଣିବା ପରେ ଟାଙ୍ଗୀ ପୁଲିସ ଜିମା ଦେଇଥିଲା । ଟାଙ୍ଗୀ ପୁଲିସ ଅଧିକ ତଦନ୍ତ ସମୟରେ ତା’ ନିକଟରୁ ଜରିମାନା ଅର୍ଥ ନଗଦ ୪ ହଜାର ୬୦୦ଟଙ୍କା ଜବତ କରିଛି । ପ୍ରାଥମିକ ତଦନ୍ତରୁ ଅଭିଯୁକ୍ତ ନାମରେ ବାଲୁଗାଁ ସମେତ ସଦର ଥାନାରେ ଡକାୟତି ଭଳି ସଂଘାତିକ ମାମଲା ଥିବା ଟାଙ୍ଗୀ ପୁଲିସ ଜାଣିବାକୁ ପାଇଛି । ପୁଲିସ ମାମଲା ରୁଜୁ କରି ରଜତକୁ ଗିରଫ କରିଛି ।