ନକଲି ଆର୍ଟିଓଙ୍କ ସମେତ ୪ ଗିରଫ: ଗାଡ଼ି ଅଟକାଉଥିଲେ, ଆଦାୟ କରୁଥିଲେ ଟଙ୍କା

କୋଇଡା,୮ା୨(ଆପ୍ର): ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ଅନ୍ତର୍ଗତ ୨୧୫/୫୨୦ ନମ୍ବର ଜାତୀୟ ରାଜପଥର ରେଙ୍ଗାଲବେଡ଼ା ଠାରେ ଗାଡ଼ିଗୁଡ଼ିକୁ ଅଟକାଇ ଟଙ୍କା ଆଦାୟ କରୁଥିବା ନକଲି ଆରଟିଓଙ୍କ ସମେତ ୪ ଜଣଙ୍କୁ ପୁଲିସ୍ ଗିରଫ କରିଛି ।
ତିନି ଦିନ ହେଲା ପରିବହନ ବିଭାଗର କର୍ମଚାରୀଙ୍କ ଭଳି ୪ ଜଣ ଯୁବକ ନିଜକୁ ଆରଟିଓ ଏବଂ ଏମ୍ଭିଆଇର ପରିଚୟ ଦେଇ ବାହାରୁ ଆସୁଥିବା ମାଲବାହୀ ଟ୍ରକ୍ଗୁଡ଼ିକୁ ଅଟକାଉ ଥିଲେ ଓ କାଗଜପତ୍ର ଯାଞ୍ଚ କରୁଥିଲେ । ଚାଳକମାନଙ୍କୁ ଧମକଚମକ ଦେଇ ଟଙ୍କା ଦେବାକୁ କହୁଥିଲେ । ଚାଳକମାନେ ମଧ୍ୟ ଭୟରେ ସେମାନଙ୍କୁ ଟଙ୍କା ଦେଇ ରସିଦ ନେଉଥିଲେ । ବିଳମ୍ବିତ ରାତିରେ ଗାଡ଼ିଗୁଡ଼ିକୁ ଅଟକା ଯାଉଥିବାରୁ କେତେ ଚାଳକଙ୍କୁ ଏ ନେଇ ସନ୍ଦେହ ହୋଇଥିଲା । କିଛି ଚାଳକ ସାହସ କରି ଏହି ଯୁବକମାନଙ୍କୁ ଧରି ନିସ୍ତୁକ ମାଡ଼ ମାରିବା ସହ ସେମାନେ ଆସିଥିବା ସ୍କ୍ରର୍ପିଓର କାଚ ଭାଙ୍ଗି ଦେଇଥିଲେ । ଏ ନେଇ ପୁଲିସ୍କୁ ସୂଚନା ଦିଆଯାଇଥିଲା । ପୁଲିସ ପହଞ୍ଚି ଉକ୍ତ ଯୁବକମାନଙ୍କୁ ଧରି ଥାନାକୁ ଆଣିଥିଲେ । ଧରାପଡ଼ିଥିବା ଯୁବକମାନେ ହେଲେ ନକଲି ଆର୍ଟିଓ ଯାଜପୁରର ଶମ୍ଭୁନାଥ ଦାସ (୩୦), ଏମ୍ଭିଆଇ ରଞ୍ଜନ କୁମାର ଓଝା (୨୪), ଖୋର୍ଦ୍ଧା ନିବାସୀ ବସନ୍ତ କୁମାର ରାଉତରାୟ (୪୮) ଏବଂ କଟକର ଲକ୍ଷ୍ମୀଧର ପଣ୍ଡା (୩୯) । ସେମାନଙ୍କଠାରୁ ପୁଲିସ୍ ନଗଦ ୧୦ ହଜାର ୨୦୦ ଟଙ୍କା, ୪ଟି ମୋବାଇଲ, ଦୁଇଟି ବନ ବିଭାଗ ପୋଷାକ ଜବତ କରିଛି । ପୁଲିସ୍ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ବଣାଇଁ କୋର୍ଟକୁ ଚାଲାଣ କରିଛି ।