ଜୟପୁରରେ ନକଲି ମସଲା କାରଖାନା ଠାବ

ଜୟପୁର,୧୭ା୧(ବ୍ୟୁରୋ): ଜୟପୁର ସହରରେ ନକଲି ଏଭ୍ରେଷ୍ଟ ମସଲା କାରଖାନା ଉପରେ ପୁଲିସ୍ ଚଢ଼ଉ । ଚଢ଼ଉ ବେଳେ ଜବତ ହୋଇଛି ୪ ବସ୍ତା ନକଲି ଏଭ୍ରେଷ୍ଟ ମସଲା । ଏଥିସହ ମସଲା ପ୍ୟାକିଂ ପାଇଁ ରହିଥିବା ବିଭିନ୍ନ ସାଇଜର ଡବା, କାର୍ଟୁନ ଏବଂ ଲେବଲ୍ ମଧ୍ୟ ଜବତ କରାଯାଇଛି । ଏହି କାରବାରରେ ସଂପୃକ୍ତ ଜଣେ ଯୁବକକୁ ଅଟକ ରଖାଯାଇଛି । ତା ନାଁ ହରିହର ପାତ୍ର(୪୦) । ଘର ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନିକଟ ଭୀଷ୍ମଗିରିରେ ବୋଲି ପୁଲିସ୍ କହିଛି । ହରିହରର ସୂଚନା ମୁତାବକ, ମସଲା ପ୍ୟାକିଂ ଯନ୍ତ୍ର ରହିଛି ଜୟନଗର ଅଞ୍ଚଳରେ ।
ପ୍ରସାଦରାଓ ପେଟା ଅଞ୍ଚଳରେ ନକଲି ମସଲା କାରଖାନା ରହିଥିବା ବିଶ୍ୱସ୍ତ ସୂତ୍ରରୁ ଖବରପାଇଥିଲା ଟାଉନ୍ ପୁଲିସ୍ । ରାତି ପ୍ରାୟ ୮ଟାରେ ପୁଲିସ ସେଠାରେ ଚଢଉ କରିଥିଲା । ଚଢ଼ଉ ବେଳେ ଗୋଟିଏ ଘରେ ଏସବୁ ମସଲା ବଡ଼ ବଡ଼ ବସ୍ତାରେ ରହିଥିବା ଦେଖିବାକୁ ମିଳିଥିଲା । କେତେକ ମସଲାରେ ପୋକ ଲାଗିଯାଇଥିବା ଦେଖିବାକୁ ମିଳିଥିଲା । କାରବାରରେ ସଂପୃକ୍ତ ହରିହରକୁ ପୁଲିସ୍ ଅଟକ ରଖିଛି । ପ୍ରସାଦରାଓପେଟା ପରେ ଜୟନଗର ଅଞ୍ଚଳରେ ଥିବା ପ୍ୟାକିଂ ମେସିନ୍ ଉପରେ ଚଢ଼ଉ କରାଯିବ ବୋଲି ପୁଲିସ୍ କହିଛି । ହରିହର କହିଛି, ଏହି ମସଲା ବ୍ରହ୍ମପୁରର କୋଟେଶ୍ୱର ପାତ୍ର ନାମକ ବ୍ୟକ୍ତି ତା’ ପାଖକୁ ପଠାଇଥିଲେ । ମସଲା ସବୁକୁ ଭଲଭାବେ ରଖିବା ଲାଗି କହିଥିଲେ । ତେଣୁ ଏ ବିଷୟରେ ଅଧିକ କିଛି କହିପାରିବ ନାହିଁ ବୋଲି ପୁଲିସ୍ ଆଗରେ ସଫେଇ ଦେଇଛି ହରିହର । ଏହି କାରବାରର ଚେର ଗଞ୍ଜାମ ଜିଲ୍ଲା ପର୍ଯ୍ୟନ୍ତ ବ୍ୟାପିଥିବା ସ୍ପଷ୍ଟ ହୋଇଛି । ବ୍ରହ୍ମପୁରର କୋଟେଶ୍ୱର କିଏ ଏବଂ ଏହି କାରବାରରେ ତାଙ୍କର କିଭଳି ହାତ ରହିଛି, ସେ ସମ୍ପର୍କରେ ତନାଘନା ଚଳାଇଛି ପୁଲିସ୍ ।
ମିଳିଥିବା ସୂଚନା ଅନୁଯାୟୀ, ନକଲି ଲେବଲ ବ୍ୟବହାର କରାଯାଇ ଏଭରେଷ୍ଟ ମସଲାର ରୂପ ଦିଆଯାଉଥିଲା । ଏଠାରେ ପ୍ୟାକିଂ କରାଯାଇ ରାଜ୍ୟର ବିଭିନ୍ନ ସ୍ଥାନକୁ ଚାଲାଣ କରାଯାଉଥିଲା । ଏଥିରେ ଆଉ କେଉଁମାନେ ସଂପୃକ୍ତ, ତାହାର ତଦନ୍ତ ଚଳାଇଛି ପୁଲିସ୍ ।