ନୂଆଦିଲ୍ଲୀ ୧୦/୦୬: ଜଣେ ୧୩ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଭୋଜପୁରୀ ସିଙ୍ଗର୍ ବାବୁଲ ବିହାରୀ ଓରଫ ଅଭିଷେକଙ୍କୁ ପୁଲିସ ଗିରଫ କରିଛି । ସିଙ୍ଗର୍ ବାବୁଲଙ୍କ ଘର ବିହାରରେ । ସୋସିଆଲ୍ ମିଡିଆରେ ତାଙ୍କର ୨୭ ହଜାର ଫଲୋଅର୍ ଅଛନ୍ତି ।
ପୁଲିସ ସୂଚନା ମୁତାବକ ଅଭିଯୁକ୍ତ ଜଣକ ନାବାଳିକାଙ୍କୁ ଏକ ହୋଟେଲ୍ ରୁମ୍କୁ ନେଇ ଦୁଷ୍କର୍ମ କରିଥିଲେ । ଏହାପରେ ତାଙ୍କର କିଛି ଆପତ୍ତିଜନକ ଫଟୋ ଉତ୍ତୋଳନ କରିଥିଲେ । ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି, ଅଭିଯୁକ୍ତ କିଛିଦିନ ତଳେ ପୀଡ଼ିତାଙ୍କ ଆପତ୍ତିଜନକ ଫଟୋଗୁଡ଼ିକୁ ସୋସିଆଲ୍ ମିଡିଆରେ ପୋଷ୍ଟ କରିଥିଲେ । ଏହାକୁ ଦେଖିବା ପରେ ପୀଡ଼ିତାଙ୍କ ପରିବାର ଲୋକେ ତାଙ୍କୁ ପଚରାପଚରି କରିଥିଲେ । ଏହାପରେ ସେମାନେ ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ । ପୋକ୍ସୋ ଆଇନରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।