ଉତ୍କଳ ଦିବସରେ ମିଳିବ ଦ୍ୱିତୀୟ ପର୍ଯ୍ୟାୟ ‘କାଳିଆ’ ଟଙ୍କା

source:www.livemint.com
ଭୁବନେଶ୍ୱର,୨୪ ।୨(ବ୍ୟୁରୋ): ରାଜ୍ୟର ଚାଷୀମାନଙ୍କୁ ଦ୍ୱିତୀୟ ପର୍ଯ୍ୟାୟ ‘କାଳିଆ’ ସହାୟତା ଏପ୍ରିଲ ପହିଲା (ଉତ୍କଳ ଦିବସ)ରେ ମିଳିବ । ଏ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳରେ ଆୟୋଜିତ ବିଶାଳ ଚାଷୀ ସମାବେଶରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିବା ସହ କେନ୍ଦ୍ର ସରକାର ‘କିଷାନ’ ଯୋଜନାରେ ଚାଷୀମାନଙ୍କୁ ୬ ହଜାର ବଦଳରେ ୧୦ ହଜାର ଟଙ୍କା ଦେଉ ବୋଲି ଦାବି ମଧ୍ୟ ଦୋହରାଇଛନ୍ତି । ଏଥି ସହ ମୁଖ୍ୟମନ୍ତ୍ରୀ ଆଜି ଚାଷୀ ପିଲାମାନଙ୍କ ପାଇଁ ‘କାଳିଆ ଛାତ୍ରବୃତ୍ତି’ର ଶୁଭାରମ୍ଭ କରିଛନ୍ତି ।
ଏ ଚାଷୀ ସମାବେଶରେ ଅନୁଗୁଳ ଛେଣ୍ଡିପଦାର ପ୍ରମିଳା ମାଝୀ ଦ୍ୱିତୀୟ ପର୍ଯ୍ୟାୟ ‘କାଳିଆ’ ସହାୟତା ନେଇ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତାଙ୍କ ଅନୁରୋଧ ରକ୍ଷା କରି ଏପ୍ରିଲ ପହିଲାରେ ଦ୍ୱିତୀୟ ପର୍ଯ୍ୟାୟ ସହାୟତା ମିଳିବ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଥିଲେ ।
ଏ ସମାବେଶରେ ମୁଖ୍ୟମନ୍ତ୍ରୀ କହିଲେ, କାଳିଆ ଯୋଜନା ରାଜ୍ୟର କୃଷି ଅର୍ଥନୀତିକୁ ମଜବୁତ କରିବ । ଏହାଦ୍ୱାରା ଚାଷୀ ପରିବାରର ଭବିଷ୍ୟତ ଉଜ୍ଜଳ ହେବ । ଏହି ଯୋଜନାରେ ରାଜ୍ୟର ୯୨% ଚାଷୀ ପରିବାର ସହାୟତା ପାଉଛନ୍ତି । ମାତ୍ର କେନ୍ଦ୍ରର ‘କିଷାନ’ ଯୋଜନାରେ ଭାଗଚାଷୀ, ଭୂମିହୀନ ଚାଷୀ ଓ କୃଷି ଶ୍ରମିକଙ୍କୁ ସାମିଲ୍ କରାଯାଇ ନଥବାରୁ ମୁଖ୍ୟମନ୍ତ୍ରୀ କ୍ଷୋଭ ପ୍ରକାଶ କରିଥିଲେ ।
ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ୩୦ ଲକ୍ଷରୁ ଅଧିକ ଚାଷୀ ‘କାଳିଆ’ ସହାୟତା ପାଇଥିଲା ବେଳେ ‘କାଳିଆ ଛାତ୍ରବୃତ୍ତି’ର ମଧ୍ୟ ଶୁଭାରମ୍ଭ ହୋଇଛି । ଚାଷୀଙ୍କୁ ‘କିଷାନ’ରେ ୧୦ ହଜାର ଟଙ୍କା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଦୁଇଥର ଚିିଠି ଲେଖିଛନ୍ତି । ଏ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଢେଙ୍କାନାଳ ଜିଲ୍ଲାରେ ୯୫୩ କୋଟି ଟଙ୍କାର ୧୦୩ଟି ପ୍ରକଳ୍ପ ଏବଂ ଅନୁଗୁଳ ଜିଲ୍ଲାରେ ୧୧୨୯ କୋଟି ଟଙ୍କାର ୩୬ଟି ପ୍ରକଳ୍ପର ଶିଳାନ୍ୟାସ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।