ନୂଆଦିଲ୍ଲୀ,୦୬/୧୨: ଆଜି ଦିଲ୍ଲୀ ଅଭିମୁଖେ ବାହାରିବେ ଚାଷୀ । ବିଭିନ୍ନ ଦାବି ନେଇ ହରିୟାଣା-ପଞ୍ଜାବ ଶମ୍ଭୁ ବର୍ଡର ଏବଂ ଖନୌରୀ ବର୍ଡରରେ ବିରୋଧ ପ୍ରଦର୍ଶନ କରୁଥିବା ଚାଷୀ ଦିଲ୍ଲୀ ଅଭିମୁଖେ ଆଜି ଯାତ୍ରା କରିବେ । ଦୀର୍ଘ ୯ ମାସ ଧରି ଚାଷୀମାନେ ଶମ୍ଭୁ ବର୍ଡରରେ ଧାରଣାରେ ବସିଥିବା ବେଳେ ଆଜି ଦିନ ୧ ଟାରେ ଯାତ୍ରା ଆରମ୍ଭ କରିବେ ।
ତେବେ ଟ୍ରାକ୍ଟର ନେଇ ଆଗକୁ ବଢ଼ିବାକୁ ଅନୁମତି ନଥିବାରୁ ଚାଷୀ ଏଥର ଚାଲି ଚାଲି ଭିନ୍ନ ଭିନ୍ନ ଗୋଷ୍ଠୀରେ ଦିଲ୍ଲୀ ଅଭିମୁଖେ ଯିବେ। ଆଉ ସେଠାରେ ପହଞ୍ଚି ଆନ୍ଦୋଳନକୁ ଆଗକୁ ବଢ଼ାଇବେ। ତେବେ ଏହାକୁ ଚାଷୀମାନେ ଦିଲ୍ଲୀ ଚଲୋ ଆନ୍ଦୋଳନର ନାମ ଦେଇଛନ୍ତି । ଆଜି ୧୦୧ ଚାଷୀ ପ୍ରଥମେ ଯାତ୍ରା ଆରମ୍ଭ କରିବେ । ସେପଟେ ଚାଷୀଙ୍କ ଆନ୍ଦୋଳନକୁ ନେଇ ହରିୟାଣା ଓ ଦିଲ୍ଲୀ ପୋଲିସ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି । ଏଥିସହ ହରିୟାଣାର ଅମ୍ବାଲାରେ ୧୪୪ ଧାରି ଲାଗୁ କରିଛି ପୋଲିସ । ଚାଷୀ ଆନ୍ଦୋଳନ ୨.୦ ପ୍ରାୟ ୯ ମାସ ଅର୍ଥାତ ଫେବ୍ରୁଆରୀ ୧୩ରୁ ଆରମ୍ଭ ହୋଇଛି। ଚାଷୀମାନେ ପଞ୍ଜାବ-ହରିୟାଣା ସୀମାରେ ଶମ୍ଭୁ ଏବଂ ଖନୌରୀ ବର୍ଡରେ ବିକ୍ଷୋଭ ଜାରି କରିଛନ୍ତି। ହେଲେ ଏବେ ଚାଷୀ ଦିଲ୍ଲୀ କୁଚ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦୀର୍ଘ ଦିନ ଧରି ଆନ୍ଦୋଳନ ଜାରି ରଖିଥିବା ବେଳେ କେନ୍ଦ୍ର ସରକାର ଏପର୍ଯ୍ୟନ୍ତ ତାଙ୍କ ସହ କୌଣସି ଆଲୋଚନା କରିନାହାଁନ୍ତି। ଶେଷ ଥର ଫେବ୍ରୁଆରୀ ୧୮ରେ କେନ୍ଦ୍ର ମନ୍ତ୍ରୀ ଏବଂ ଚାଷୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଏଥିରେ ସରକାରୀ ଏଜେନ୍ସୀ ଏମଏସପିରେ ଡାଲି, ମକା ଏବଂ କପା ଫସଲ ପାଞ୍ଚ ବର୍ଷ ପାଇଁ କିଣିବେ ବୋଲି ପ୍ରସ୍ତାବ ଦେଇଥିଲେ। କିନ୍ତୁ ଚାଷୀ ଏହାକୁ ଖାରଜ କରିଥିଲେ।