ବାସୁଦେବପୁର, ୦୮/୦୬: ଛୁଟି ଦିନରେ କାହିଁକି ହେଉଛି ବିକଶିତ କୃଷି ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ? ପ୍ରଚାର ପ୍ରସାର ନହୋଇ କାହିଁକି ହେଉଛି ବୈଠକ? ଏହିପରି ବିଭିନ୍ନ ପ୍ରଶ୍ନ କରିବା ସହିତ ପାଟିତୁଣ୍ଡ କରିଥିଲେ ଚାଷୀ। ପରେ ଉକ୍ତ କାର୍ଯ୍ୟକ୍ରମକୁ ବନ୍ଦ କରିବାକୁ ବାଧ୍ୟ୍ୟ ହୋଇଥିଲେ ବିଭାଗୀୟ ଅଧିକାରୀ । ବାସୁଦେବପୁର ସୁଦର୍ଶନପୁର ପଞ୍ଚାୟତରୁ ଏଭଳି କିଛି ଖବର ଆସିଛି।
ସୁଦର୍ଶନପୁର ପଞ୍ଚାୟତର ମାଛ ହାଟ ଛକ ନିକଟରେ କୃଷି ବିଭାଗ ପକ୍ଷରୁ ଆୟୋଜିତ ହୋଇଥିଲା ବିକଶିତ କୃଷି ସଂକଳ୍ପ ଅଭିଯାନ। କୃଷି ଅଧିକାରିଣୀ ନିହାରିକା ଦଳେଇଙ୍କ ସଭାପତିତ୍ୱରେ ଅତିଥି ଭାବେ ମତ୍ସ୍ୟ ବିଭାଗର ବୈଜ୍ଞାନିକଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ହେଲେ ସ୍ଥାନୀୟ ଅଞ୍ଚଳରେ କେତେକ ଚାଷୀ ପହଞ୍ଚି ବିଭିନ୍ନ ଅଭିଯୋଗ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମାତ୍ର ୨୦ରୁ ୩୦ ଜଣ ଚାଷୀ ଉପସ୍ଥିତ ଥିଲେ । ହେଲେ ଉକ୍ତ ପଞ୍ଚାୟତରେ ହଜାର ହଜାର ଚାଷୀ ଥିବାବେଳେ ସେମାନଙ୍କୁ ବିଭାଗ ପକ୍ଷରୁ ହେଉ ଅବା ସ୍ଥାନୀୟ ସରପଞ୍ଚଙ୍କ ମାଧ୍ୟ୍ୟମରେ କୌଣସି ସୂଚନା ଦିଆଯାଇନାହିଁ । ତେଣୁ ଚାଷୀ ଉପସ୍ଥିତ ହୋଇନାହାନ୍ତି ବୋଲି ଅଭିଯୋଗ କରି ପାଟିତୁଣ୍ଡ କରିଥିଲେ। ପରିସ୍ଥିତି ଏପରି ହେଲା ଶେଷରେ ଉକ୍ତ କାର୍ଯ୍ୟକ୍ରମ ବନ୍ଦ କରି ଦିଆଗଲା ।