କୃଷି ସମ୍ପର୍କ ମେଳା, ୨୦ ଚାଷୀ ପୁରସ୍କୃତ

ବାଲିପାଟଣା,୨୮ା୧(ଆ.ପ୍ର.): ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଆନୁକୁଲ୍ୟରେ କୁରୁଞ୍ଜିପୁର ଠାରେ ବାଲିପାଟଣା ବ୍ଲକସ୍ତରୀୟ କୃଷି ଓ କୃଷକ ସମ୍ପର୍କ ମେଳାରେ ୨୦ଜଣ ଚାଷୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି । କୃଷି ବିଭାଗର ସହକାରୀ କୃଷି ଅଧିକାରୀ ବିଭୂଦତ୍ତ ସାହୁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କୃଷି ସମ୍ପର୍କ ମେଳାରେ ମୁଖ୍ୟ ଅତିଥି ଭାବେ ଅର୍ଥ, ଅବକାରୀ କୃଷି, ମତ୍ସ୍ୟ ସମ୍ପଦ ମନ୍ତ୍ରୀ ଶଶିଭୁଷଣ ବେହେରା ଯୋଗଦେଇ ରାଜ୍ୟ ସରକାର କୃଷି ଓ କୃଷକର ବିକାଶ ଧାରା ବଜାୟ ରଖିବା ପାଇଁ ବହୁ ବିଧ ଯୋଜନାମାନ ପ୍ରଣୟନ କରିବା ସହ ନୂତନ ଜ୍ଞାନ କୌଶଳ ଜରିଆରେ କୃଷିକୁ ସହଜ ଓ ସରଳୀକରଣ କରିବାରେ ଲାଗିଛନ୍ତି । ଚାଷୀଙ୍କୁ କୃଷୀ ବୀମା, ସ୍ୱାସ୍ଥ୍ୟବୀମା, ନୂତନ ଯନ୍ତ୍ରପାତି, ସାର, ବିହନ, କିଟସ, ଔଷଧ ଆଦି ସରକାର ରିହାତି ଦରରେ ସରକାର ଯୋଗାଇ ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ବେହେରା ମତପ୍ରକାଶ କରିଥିଲେ । ଜିଲ୍ଲା କୃଷି ଅଧିକାରୀ ଦୁର୍ଯ୍ୟୋଧନ ପତଙ୍ଗ, ଜିଲ୍ଲା ଉପ କୃଷି ଅଧିକାରୀ ଭାସ୍କର, ଉଦ୍ୟାନ କୃଷି ଜିଲ୍ଲା ଉପନିର୍ଦ୍ଦେଶକ ପ୍ରଦୋଷ କୁମାର ପଣ୍ଡା, ସହକାରୀ ଅଧିକାରୀ ବିଭୂଦତ୍ତ ସାହୁ, କୃଷି ବୈଜ୍ଞାନିକ ସୁରେନ୍ଦ୍ର ନାଥ ସିଂହଙ୍କ ଉପସ୍ଥିତିରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ଶଶିଭୁଷଣ ପାତ୍ର, ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୁମିତ୍ରା ରାଉତରାୟ, ବିଜୁ ଜନତା ଦଳର ବିଧାୟକ ପ୍ରତିନିଧି ଅଶୋକ କୁମାର ରାଉତରାୟ ପ୍ରମୁଖ ସମ୍ମାନନୀୟ ଅତିଥି ଭାବେ ଯୋଗଦେଇଥିଲେ । କୃଷି ସମ୍ପର୍କ ମେଳା ଅବସରରେ ୧୦ଟି ଉନ୍ନତ କୃଷି ଯନ୍ତ୍ରପାତିର ଷ୍ଟଲ ଖୋଲା ଯାଇଥିଲା । କିଶୋର କୁମାର ଜେନା ଧନ୍ୟବାଦ ଦେଇଥିଲେ ।
୧୬ ପଞ୍ଚାୟତ ଚାଷୀ ଏକାଠି: କୃଷି ଓ କୃଷକ ସଶକ୍ତିକରଣ ସମ୍ପର୍କିତ ସରକାରୀ ଯୋଜନା ସମ୍ପର୍କରେ କୃଷକମାନଙ୍କୁ ଅବଗତ କରାଇବା ପାଇଁ ପ୍ରତାପରୂଦ୍ରପୁର ପଞ୍ଚାୟତରେ କୃଷକ ସମ୍ପର୍କ ମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୬ଟି ପଞ୍ଚାୟତର ଚାଷୀମାନେ ଯୋଗଦେଇଥିଲେ । ଅର୍ଥ, ଅବକାରୀ , କୃଷି ଓ ମତ୍ସ୍ୟ ସମ୍ପଦ ମନ୍ତ୍ରୀ ଶଶିଭୁଷଣ ବେହେରା ଯୋଗଦେଇ ବ୍ଲକର ୧୬ଟି ଗ୍ରାମପଞ୍ଚାୟତରୁ ଆସିଥିବା ଅଗ୍ରଣୀ ଚାଷୀମାନଙ୍କୁ ଉତ୍ତରୀୟ, ମାନପତ୍ର ଓ ଫୁଲତୋଡା ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ମନ୍ତ୍ରୀ ୩୫ଲକ୍ଷ ଟଙ୍କାରେ ପ୍ରତାପରୂଦ୍ରପୁର ଠାରେ ନିର୍ମିତ କଲ୍ୟାଣମଣ୍ଡପର ଶୁଭ ଉଦଘାଟନ କରିଥିଲେ । ଏତଦ୍ଭିନ୍ନ କଣ୍ଟାପଡା-କେନ୍ଦୁବିଲ୍ୱ ରାସ୍ତାର ପ୍ରଶସ୍ତୀକରଣର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । କୃଷକ ସମ୍ପର୍କ ମେଳାରେ ଆତ୍ମାର ମୁଖ୍ୟ ବିରଞ୍ଚିନାରାୟଣ କର, ପ୍ରତାପଶାସନ ସରପଞ୍ଚ ଭାଗ୍ୟଧର ନନ୍ଦୀ, ବେଣ୍ଟପୁର ସରପଞ୍ଚ ମୁରଲିଧର ସାହୁ, ଝିଲ୍ଲି ସ୍ୱାଇଁ, ସମିତି ସଭ୍ୟ ତୈଲୋକ୍ୟ ମଙ୍ଗରାଜ, ବ୍ଲକ ବିଜେଡି ସଭାପତି ଅଚ୍ୟୁତାନନ୍ଦ ପାତ୍ର, ବାଲିଅନ୍ତାର ପୂର୍ବତନ ସରପଞ୍ଚ ପ୍ରଶାନ୍ତ ସାହୁ, ଜୟଦେବ ସରପଞ୍ଚ ପ୍ରଜ୍ଞାପାରମିତା ଜେନାମଣି ପ୍ରମୁଖ ଉପସ୍ଥିତ ଥିଲେ ।