ଶ୍ରୀନଗର,୧୨।୩: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲାଙ୍କ ଉପରେ ବୁଧବାର ବିଳମ୍ବିତ ରାତିରେ ହୋଇଛି ଆକ୍ରମଣ।ଜଣେ ବ୍ୟକ୍ତି ତାଙ୍କ ଉପରେ ଗୁଳିମାଡ କରିଛି। ତେବେ ସୁରକ୍ଷାକର୍ମୀମାନେ ତାଙ୍କୁ ଠିକ୍ ସମୟରେ ବଞ୍ଚାଇବାରେ ସଫଳ ହୋଇଛନ୍ତି। ଏହା ସହ ଅଭିଯୁକ୍ତକୁ ଗିରଫ କରି ନିଆଯାଇଛି। ଅଭିଯୁକ୍ତ କମଲ ସିଂହ ପଚରା ଉଚରା ବେଳେ କହିଛି ବିଗତ ୨୦ ବର୍ଷ ହେବ ସେ ଆକ୍ରମଣ ପାଇଁ ଯୋଜନା କରୁଥିଲା। ଏହି ପୁରା ଘଟଣା ପରେ ଫାରୁକଙ୍କ ବୟାନ ଏବେ ସାମନାକୁ ଆସିଛି। ସେ କହିଛନ୍ତି,ଆକ୍ରମଣ କରିଥିବା ବ୍ୟକ୍ତିଙ୍କୁ ମୁଁ ଜାଣିନି। ମୋତେ  ବି ଜଣାନାହିଁ ଯେ,ତା’ର ଉଦ୍ଦେଶ୍ୟ କ’ଣ ଥିଲା।

ଗଣମାଧ୍ୟମକୁ ସାକ୍ଷାତକାରରେ ଫାରୁକ୍ କହିଛନ୍ତି, ବିବାହ କାର୍ଯ୍ୟକ୍ରମ ଥିଲା। କାର୍ଯ୍ୟକ୍ରମସ୍ଥଳରୁ ବାହାରୁଥିବା ବେଳେ ବାଣ ଭଳି ଶବ୍ଦ ଶୁଣିବାକୁ ମିଳିଲା। ଏହାପରେ ସୁରକ୍ଷାକର୍ମୀ ତୁରନ୍ତ ମୋତେ କାରକୁ ନେଇଯାଇଥିଲେ। ମୋତେ ଲାଗିଲା ବାଣ ଫୁଟିଛି,ଯାହାକି ବାହାଘରରେ ସାଧାରଣ କଥା। ତେବେ ପରେ ସୁରକ୍ଷାକର୍ମୀ ମୋତେ କାରରେ କହିଥିଲେ ତାହା ବାଣ ନୁହେଁ ଗୁଳି ଶବ୍ଦ ଥିଲା। ଆକ୍ରମଣ କରୁଥିବା ବ୍ୟକ୍ତିଙ୍କୁ ମୁଁ ଜାଣିନି। ଏହା ମଧ୍ୟ ଜାଣିନି ତା’ର ଉଦ୍ଦେଶ୍ୟ କ’ଣ ଥିଲା ? କ’ଣ ଥିଲା ତା’ର ପୁରୁଣା ଶତ୍ରୁତା ?

ସୁରକ୍ଷା ବ୍ୟବସ୍ଥା ଉପରେ ଉଠାଇଲେ ପ୍ରଶ୍ନ

ଅବଦୁଲ୍ଲା ତାଙ୍କ ସୁରକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ବାହାଘରରେ ସବୁ ବଡ଼ ଲୋକ ଥିଲେ। ସେଠାରେ ପୋଲିସର ଭଲ ବନ୍ଦୋବସ୍ତ ନଥିଲା। ପୋଲିସକୁ ଏହା ଧ୍ୟାନ ରଖିବାରଥିଲା।ମୋତେ ଗୃହମନ୍ତ୍ରୀ ଅମିତ ଶାହଙ୍କ ଫୋନ୍ ଆସିଥିଲା। ସେ ପଚାରିଥିଲେ, ଆପଣ କିଭଳି ଅଛନ୍ତି ? ଆମେ ଘଟଣାର ତଦନ୍ତ କରିବା। ପ୍ରକୃତରେ କ’ଣ କାରଣ ଥିଲା ? ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି, ଘୃଣାର ଜାଲ ସାରା ଦେଶରେ ବିସ୍ତାର ହୋଇସାରିଛି। ଯେଉଁମାନେ ବନ୍ଧୁତା ଏବଂ ପ୍ରେମ ବିଷୟରେ କଥା କୁହନ୍ତି ସେମାନଙ୍କ ପାଇଁ ଏଠାରେ କୌଣସି ସ୍ଥାନ ନାହିଁ। ପ୍ରତ୍ୟେକ ଧର୍ମ ପ୍ରେମ ଓ ଭଲପାଇବା ଶିଖାଯାଇଥାଏ। ଆମେ ଏପରି ଏକ ଯୁଗରେ ବଞ୍ଚୁଛୁ ଯେଉଁଠାରେ ଆତଙ୍କବାଦ ବହୁତ ବୃଦ୍ଧି ପାଇଛି ଏବଂ ଏହାକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିବା ସହଜ ନୁହେଁ।

‘ଲୋକତନ୍ତ୍ରରେ ବିଚାରର ମତଭେଦ ହେବା ସ୍ୱାଭାବିକ’

ଅବଦୁଲ୍ଲା କହିଛନ୍ତି ଯେ ଗଣତନ୍ତ୍ରରେ ମତଭେଦ ସ୍ୱାଭାବିକ, କିନ୍ତୁ ସମସ୍ତଙ୍କୁ ଏକାଠି କାମ କରିବା ଏବଂ ସେମାନଙ୍କର ମତ ପ୍ରକାଶ କରିବାର ଅଧିକାର ରହିବା ଉଚିତ। ସେ ଏହା ମଧ୍ୟ କହିଛନ୍ତି ଯେ ନିର୍ବାଚିତ ସରକାରଙ୍କ ପାଖରେ ପର୍ଯ୍ୟାପ୍ତ କ୍ଷମତାର ଅଭାବ ଅଛି ଏବଂ ଏପରି ପରିସ୍ଥିତିରେ ବ୍ୟବସ୍ଥା ତିଷ୍ଠିପାରିବ ନାହିଁ। ସେ ଏହା ମଧ୍ୟ ମନେ ପକାଇ ଦେଇଛନ୍ତି ଯେ ଜମ୍ମୁ ଏବଂ କାଶ୍ମୀରକୁ ରାଜ୍ୟ ମାନ୍ୟତା ପ୍ରଦାନ ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା।

ଆହୁରି ପଢନ୍ତୁ : ଭାରତର କୂଟନୈତିକ ବିଜୟ: ହୋର୍ମୁଜରେ ଅଟକିବନି ଭାରତୀୟ ଜାହାଜ, ବାଟ ଛାଡ଼ିବାକୁ ଇରାନର ସହମତି