ନୂଆଦିଲ୍ଲୀ,୧୯।୩: ଦେଶରେ ଟୋଲ୍ ପ୍ଲାଜା ଦେଇ ଯାତ୍ରା କରୁଥିବା ଗାଡ଼ି ଚାଳକଙ୍କ ପାଇଁ କେନ୍ଦ୍ର ସରକାର ଏକ ବଡ଼ ଖବର ଆଣିଛନ୍ତି। ନ୍ୟାସନାଲ ହାଇୱେ ଫି' ନିୟମରେ ସଂଶୋଧନ କରାଯାଇ ଫାସଟ୍ୟାଗ୍ ନିୟମକୁ ଅଧିକ କଡ଼ାକଡ଼ି କରାଯାଇଛି । ଯଦି କୌଣସି ଗାଡ଼ି ଚାଳକ ଟୋଲ୍ ନଦେଇ ବ୍ୟାରିୟର ପାର୍ କରନ୍ତି, ତେବେ ତାଙ୍କୁ ୭୨ ଘଣ୍ଟା ମଧ୍ୟରେ ଟ୍ୟାକ୍ସ ପୈଠ କରିବାକୁ ହେବ, ନଚେତ୍ ଭାରି ଜରିମାନା ସହିତ ଦୁଇଗୁଣା ଟଙ୍କା ଗଣିବାକୁ ପଡ଼ିବ । କେନ୍ଦ୍ର ସରକାରଙ୍କ ନୂଆ ନିୟମ ଅନୁଯାୟୀ, ଯଦି କୌଣସି ବୈଷୟିକ ତ୍ରୁଟି କିମ୍ବା ଅନ୍ୟ କୌଣସି କାରଣରୁ ଫାସଟ୍ୟାଗ୍ରୁ ଟୋଲ୍ ଟ୍ୟାକ୍ସ କଟେ ନାହିଁ ଏବଂ ଗାଡ଼ି ବ୍ୟାରିୟର ଅତିକ୍ରମ କରିଯାଏ, ଚାଳକଙ୍କ ପାଖରେ ଟ୍ୟାକ୍ସ ଭରିବା ପାଇଁ ୭୨ ଘଣ୍ଟା ସମୟ ରହିବ । ଯଦି ୭୨ ଘଣ୍ଟା ମଧ୍ୟରେ ଟଙ୍କା ଜମା କରାଯାଏ ନାହିଁ, ତେବେ ଗାଡ଼ି ମାଲିକଙ୍କୁ ନିର୍ଦ୍ଧାରିତ ଟ୍ୟାକ୍ସର ଦୁଇଗୁଣା ଅର୍ଥ ଜରିମାନା ଆକାରରେ ଦେବାକୁ ହେବ । ଗାଡ଼ି ମାଲିକଙ୍କ ପାଖକୁ SMS, ଇମେଲ୍ କିମ୍ବା ମୋବାଇଲ୍ ଆପ୍ ମାଧ୍ୟମରେ ଏକ ନୋଟିସ୍ ଯିବ, ଯେଉଁଥିରେ ଗାଡ଼ିର ସବିଶେଷ ତଥ୍ୟ, ତାରିଖ ଏବଂ ଦେୟ ରାଶି ଲେଖା ରହିବ ।
ଏହା ବି ପଢ଼ନ୍ତୁ... ୧୧୦ ଡଲାର ପାର୍ କଲା ବ୍ରେଣ୍ଟ କ୍ରୁଡ୍, ବିଶ୍ୱ ସେୟାର ବଜାରରେ ମହାପ୍ରଳୟ; ବଢ଼ିବ କି ପେଟ୍ରୋଲ-ଡିଜେଲ ଦାମ୍ ?
ଟୋଲ୍ ଏଜେନ୍ସିଙ୍କ ପାଇଁ ମଧ୍ୟ ବଢ଼ିଲା ସ୍ତର:
ସରକାର କେବଳ ଗାଡ଼ି ଚାଳକ ନୁହେଁ, ବରଂ ଟୋଲ୍ ପରିଚାଳନା କରୁଥିବା ଏଜେନ୍ସିଙ୍କ ପାଇଁ ମଧ୍ୟ ନୂଆ ନିୟମ ଆଣିଛନ୍ତି । ଯଦି ଜଣେ ଗ୍ରାହକ ଟୋଲ୍ ସମ୍ବନ୍ଧୀୟ କୌଣସି ଅଭିଯୋଗ କରନ୍ତି ଏବଂ ଟୋଲ୍ ଏଜେନ୍ସି ୫ ଦିନ ମଧ୍ୟରେ ତା’ର ସମାଧାନ ନକରେ, ତେବେ ସେହି ଗ୍ରାହକଙ୍କୁ ବକେୟା ଟୋଲ୍ ଟ୍ୟାକ୍ସ ଭରିବାକୁ ପଡ଼ିବ ନାହିଁ ।
'ବାହନ' (VAHAN) ଡାଟାବେସ୍ ସହ ଯୋଡ଼ି ହେବ ସିଷ୍ଟମ:
ବକେୟା ଟୋଲ୍ ଟ୍ୟାକ୍ସ ଥିବା ଗାଡ଼ିଗୁଡ଼ିକୁ ସହଜରେ ଚିହ୍ନଟ କରିବା ପାଇଁ ନେସନାଲ ଇଲେକ୍ଟ୍ରୋନିକ୍ ଟୋଲ୍ କଲେକସନ (NETC) ସିଷ୍ଟମକୁ କେନ୍ଦ୍ର ସରକାରଙ୍କ 'ବାହନ' ଡାଟାବେସ୍ ସହ ଯୋଡ଼ା ଯିବ । ଏହାଦ୍ୱାରା ଡିଜିଟାଲ୍ ଟୋଲ୍ ସିଷ୍ଟମ ଅଧିକ ଶକ୍ତିଶାଳୀ ହେବ ଏବଂ କେହି ବି ଟ୍ୟାକ୍ସ ଫାଙ୍କି ପାରିବେ ନାହିଁ ।