କ୍ୟାପିଟାଲ୍ ହସ୍ପିଟାଲ୍ ‘ନିଦାନ’ରେ ସାଙ୍ଘାତିକ ତ୍ରୁଟି, ପରୀକ୍ଷାଗାରରେ ସମ୍ଭବ ହେଉନି ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା

ଭୁବନେଶ୍ୱର, ୨୪।୫: କ୍ୟାପିଟାଲ୍ ହସ୍ପିଟାଲ୍ ରୋଗ ନିଦାନ ଯୋଜନାରେ ସାଙ୍ଘାତିକ ତ୍ରୁଟି । ୧୨ ଡାକ୍ତର ହାତବାନ୍ଧି ବସିଛନ୍ତି । ପିଜିଆଇ ପରେ, ହସ୍ପିଟାଲ୍ରେ ରୋଗ ପରୀକ୍ଷା ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ଓ ମାନବସମ୍ବଳ ରହିଛି । ତଥାପି ହସ୍ପିଟାଲ୍ ପରୀକ୍ଷାଗାରରେ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସମ୍ଭବ ହେଉନି । ରୋଗୀଙ୍କ ନମୁନା ଘରୋଇ ପରୀକ୍ଷାଗାର ହୋଇ ହସ୍ପିଟାଲ୍କୁ ରିପୋର୍ଟ ଆସୁଛି । କ୍ୟାପିଟାଲ ହସ୍ପିଟାଲ୍ରେ ନିଦାନରେ ୩୮ ପ୍ରକାର ପରୀକ୍ଷା ବ୍ୟବସ୍ଥା ରହିଛି । ସେଥିରୁ ହସ୍ପିଟାଲ୍ରେ ୨୨ ପ୍ରକାର ପରୀକ୍ଷା ହେବା ସମ୍ଭବ । କିନ୍ତୁ ସବୁ ରକମର ନମୁନା ପରୀକ୍ଷା ପାଇଁ ଘରୋଇ ପରୀକ୍ଷାଗାରକୁ ଯାଉଛି । ଡାକ୍ତର ଓ ଲାବୋରେଟୋରୀ ଟେକ୍ନିସିଆନ୍ ଥାଇ ଘରୋଇ ପରୀକ୍ଷାଗାରକୁ ନମୁନା କାହିଁକି ଯାଉଛି ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ନିଦାନରେ ବର୍ତ୍ତମାନ ୧୨ ଡାକ୍ତର ଓ ୩୦ ଲାବୋରେଟୋରୀ ଟେକ୍ନିସିଆନ୍ ଅଛନ୍ତି ।
କିନ୍ତୁ ୨୨ ପ୍ରକାର ପରୀକ୍ଷା ଘରୋଇ ପରୀକ୍ଷାଗାର ଯାଉଥିବାରୁ ଏହି ୧୨ ଡାକ୍ତର ହାତବାନ୍ଧି ବସିଛନ୍ତି । ସେ ବାବଦକୁ ସ୍ୱାସ୍ଥ୍ୟବିଭାଗ ଲକ୍ଷ ଲକ୍ଷ ଟଙ୍କା ଭରଣା କରୁଛି । ନିଦାନରେ ରୋଗୀଙ୍କ ପାଇଁ ପରୀକ୍ଷା ମାଗଣା । ହେଲେ ନିଦାନ ଦାୟିତ୍ୱରେ ଥିବା ଘରୋଇ ସଂସ୍ଥା ପକେଟ୍କୁ ଅର୍ଥ ଯାଉଛି । ଅନ୍ୟପଟରେ ହସ୍ପିଟାଲ୍ରେ ପରୀକ୍ଷା ହେଉନଥିବାରୁ ଡାକ୍ତରଙ୍କ ଅଭିଜ୍ଞତା କମୁଛି । ଡାକ୍ତରୀ ଛାତ୍ରଛାତ୍ରୀ ମଧ୍ୟ ପରୀକ୍ଷା ସମ୍ବନ୍ଧରେ ଜ୍ଞାନ ପାଇବାରୁ ବଞ୍ଚିତ ହେଉଛନ୍ତି । କ୍ୟାପିଟାଲ୍ ହସ୍ପିଟାଲ୍ରେ ୬ ଜଣ ଓ ପିଜିଆଇରେ ୬ ଜଣ ଡାକ୍ତର ଅଛନ୍ତି । ଏହି ୧୨ ଜଣଙ୍କ ଭିତରେ ପାଥୋଲୋଜି ବିଶେଷଜ୍ଞ, ମାଇକ୍ରୋଲୋଜି ବିଶେଷଜ୍ଞ ଓ ବାୟୋକେମିଷ୍ଟ୍ରି ବିଶେଷଜ୍ଞ ଅଛନ୍ତି । ନମୁନା ପରୀକ୍ଷା କ୍ଷେତ୍ରରେ ଏହି ବିଶେଷଜ୍ଞଙ୍କ ପ୍ରତ୍ୟକ୍ଷ ଯୋଗଦାନ ରହିବା କଥା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ହସ୍ପିଟାଲ୍ରେ ଅଭିଜ୍ଞ ପ୍ରଫେସର ଓ ଡାକ୍ତର ଅଛନ୍ତି । ସେମାନେ ଯେଉଁଭଳି ଭାବେ ଦକ୍ଷତାର ସହିତ ପରୀକ୍ଷା ରିପୋର୍ଟ ପ୍ରସ୍ତୁତ କରିବେ, ତାହା ଅନ୍ୟ ଘରୋଇ ପରୀକ୍ଷାଗାର କ୍ଷେତ୍ରରେ ସମ୍ଭବ ନୁହେଁ । ତେଣୁ ରିପୋର୍ଟ ମାନ ନେଇ ପ୍ରଶ୍ନ ମଧ୍ୟ ଉଠିଛି । ବର୍ତ୍ତମାନ କ୍ୟାପିଟାଲ୍ ହସ୍ପିଟାଲ୍ ନିଦାନ ଦାୟିତ୍ୱରେ ଥିବା ଘରୋଇ ସଂସ୍ଥା ‘କ୍ରଷ୍ଣା’ ଏହି ୨୨ ପ୍ରକାର ପରୀକ୍ଷା ଘରୋଇ ପରୀକ୍ଷାଗାରରେ କରାଉଛି । ଏହି ସଂସ୍ଥାକୁ ଏନ୍ଏଚ୍ଏମ୍ ଦାୟିତ୍ୱ ଦେଇଛି । ସଂସ୍ଥା ପରୀକ୍ଷା ପାଇଁ ସ୍ୱାସ୍ଥ୍ୟ ବିଭାଗଠାରୁ ପାଉଣା ନେଉଛି । ଏହି ୨୨ ପ୍ରକାର ପରୀକ୍ଷା ଭିତରେ କିଛି ନିର୍ଦ୍ଦିଷ୍ଟ ପରୀକ୍ଷା ବାବଦକୁ ସ୍ୱାସ୍ଥ୍ୟ ବିଭାଗ ୧ ହଜାର ଟଙ୍କା ଲେଖାଏଁ ଖର୍ଚ୍ଚ କରୁଛି । କ୍ୟାପିଟାଲ୍ ହସ୍ପିଟାଲ୍ରେ ୩୮ ପରୀକ୍ଷା ମଧ୍ୟରୁ ୨୨ ପ୍ରକାର ପରୀକ୍ଷା ଘରୋଇ ପରୀକ୍ଷାଗାରରେ କରାଯାଉଛି ।