ପାରାଦୀପ ଭୁତମୁଣ୍ଡାଇରେ ସଡ଼କ ଦୁର୍ଘଟଣା, ଯୁବକ ମୃତ, ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ

ପାରାଦୀପ,୭/୦୩: ପାରାଦୀପ ଲକ ଥାନା ଅଧୀନ କଟକ ପାରାଦୀପ ରାଜରାସ୍ତାର ଭୁତମୁଣ୍ଡାଇ ମୁଖ୍ୟ ବଜାରରେ ଜଣେ ଯୁବକଙ୍କ ଉପରେ ଟ୍ରକ ମାଡିଯିବାରୁ ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ଭୁତମୁଣ୍ଡାଇ ଗ୍ରାମ ମଳିକ ସାହିର ୨୯ ବର୍ଷୀୟ ରାଜକିଶୋର ମଲ୍ଲିକ। ମଙ୍ଗଳବାର ସନ୍ଧ୍ୟାରେ ରାଜେଶ ବରେଇ ଗ୍ରାମରୁ ନିଜ ବାଇକରେ ଭୁତମୁଣ୍ଡାଇ ଫେରୁଥିବା ବେଳେ ଠିକ ଓଭରବ୍ରିଜ ପୂର୍ବରୁ ଥିବା ହମ୍ପ୍ସ ନିକଟରେ ଟ୍ରକ ରାଜକିଶୋରଙ୍କ ବାଇକକୁ ପଛପଟୁ ଧକା ଦେଇ ତାଙ୍କ ଉପରେ ଚଢି ଯାଇଥିଲା। ଘଟଣାସ୍ଥଳରେ ସାଙ୍ଗେ ସାଙ୍ଗେ ଶତାଧିକ ଲୋକ ରୁଣ୍ଡ ହୋଇ ଟ୍ରକ ଚାଳକକୁ କାବୁ କରିନେଇଥିଲେ।
ତେବେ ଲକ ଥାନା ପୁଲିସ ଖବର ପାଇ ପହଂଚିବା ପରେ ଟ୍ରକ ଚାଳକଙ୍କୁ ଉତ୍ୟକ୍ତ ଲୋକଙ୍କ କବଳରୁ ମୁକୁଳାଇବାକୁ ଚେଷ୍ଟା କରିଥିଲା। ହେଲେ ଲୋକେ ଛାଡ଼ିନଥିଲେ। ଓଲଟା ପୁଲିସ ସହ ଧସ୍ତା ଧସ୍ତି ହେବାରୁ ଲୋକେ ଦୁଇଜଣ ପୁଲିସକୁ ମାଡ଼ ମାରି ଆହତ କରିଦେଇଥିଲେ। ଆହତ ଦୁଇ ପୁଲିସଙ୍କୁ ତୁରନ୍ତ ଅଠରବାଙ୍କି ଡାକ୍ତରଖାନା ନିଆଯାଇଥିଲା। ଉତ୍ୟକ୍ତ ଲୋକେ ରାସ୍ତା ମଝିରେ ମୃତଦେହ ରଖି ଧାରଣା ଦେଇଛନ୍ତି। ଘଟଣାସ୍ଥଳରେ ବ୍ୟାପକ ପୁଲିସ ମୁତୟନ କରିବା ସହ ପାରାଦୀପ ଏ ଏସପି ନିମାଇଁ ସେଠି ଘଟଣାସ୍ଥଳରେ ରହି ପରିସ୍ଥିତିଉପରେ ନଜର ରଖିଛନ୍ତି। କ୍ଷତିପୂରଣ ଦାବିରେ ଲୋକେ ଧାରଣା ଦେଇଥିବାରୁ କଟକ ପାରାଦୀପ ରାସ୍ତାର ଉଭୟ ପଟରୁ ଶହ ଶହ ଗାଡି ୩ ଘାଣ୍ଟ ହେଲା ବନ୍ଦ ରହିଛି। ଉଭୟ ପଟରୁ ଯାତାୟତ ଠପ ହୋଇଯାଇଛି।