ବିଶିପଡ଼ା ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବାଇକ ଧକ୍କାରେ ଜଣେ ମୃତ, ଚାଳକ ଗୁରୁତର

ଫୁଲବାଣୀ,୧୯/୦୩: ସଦର ଥାନା ନିକଟ ବିଶିପଡ଼ା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ ଧକ୍କାରେ ଜଣେ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ବାଇକ ଚାଳକ ଗୁରୁତର ଆହତ ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ ରବିବାର ଅପରାହ୍ନରେ ସଦର ଥାନା ଅନ୍ତର୍ଗତ କେଣ୍ଡ୍ରିଗୁଡ଼ା ଗ୍ରାମର ୭୦ ବର୍ଷୀୟ ଚନ୍ଦ୍ରମଣି ଦିଗାଲ ବିଶିପଡ଼ା ଛକକୁ ମାଂସ କିଣିବାକୁ ଆସିଥିବା ବେଳେ ଫୁଲବାଣୀ ପଟୁ ଆସୁଥିବା ଏକ ବାଇକ(ଓଡ଼ି ୧୨- ଏ -୫୧୫୯) ତାଙ୍କୁ ଧକ୍କା ଦେଇଥିଲା। ଫଳରେ ସେ ସେଠାରେ ପଡ଼ି ଯାଇଥିଲେ ।
ସଦର ପୁଲିସ ତାଙ୍କୁ ତୁରନ୍ତ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଥିଲା। ତେବେ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ଅପରପକ୍ଷରେ ବାଇକ ଚାଳକ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ତେବେ ସେ ଅଚେତ ଅବସ୍ଥାରେ ଥିବାରୁ ପରିଚୟ ମିଳି ପାରିନାହିଁ। ଏ ନେଇ ମୃତ ବ୍ୟକ୍ତିଙ୍କ ବୋହୂ ସୁଚିସ୍ମିତା ଦିଗାଲ ସଦର ଥାନାରେ ଏତଲା ଦେଇଛନ୍ତି।ସଦର ପୋଲିସ ୩୧/୨୩ରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିବା ସହିତ ବାଇକକୁ ଜବତ କରାଯାଇଛି ବୋଲି ସୂଚନା ଦେଇଛନ୍ତି ସଦର ଥାନା ଅଧିକାରୀ ସମୀର କୁମାର ରାଉତ କହିଛନ୍ତି।