ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ଫତେହପୁର ଗସ୍ତରେ ଯାଇଥିଲେ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ । ଖାନା ତହସିଲ ଦେଇ ଯାଉଥିବାବେଳେ ଚୋରାହରେ ଥିବା ଶେଷମାନ ଚା’ ଦୋକାନରେ ରହି ଚା’ ପିଇଥିଲେ ଅଖିଳେଶ । ଅଖିଳେଶଙ୍କୁ ଶେଷମାନଙ୍କ ପୁଅ ଆର୍ଯ୍ୟନ ଚା’ ପିଆଇଥିଲେ । ଯାହାର ଫଟୋକୁ ଅଖିଳେଶ ସୋସିଆଲ ମିଡିଆରେ ପୋଷ୍ଟ କରିଥିବାବେଳେ ତାଙ୍କୁ ପ୍ରଂଶସା କରିଥିଲେ । ଏହି ପୋଷ୍ଟ ପରେ ଏବେ ନୂଆ ମୋଡ ନେଇଛି । ଅସୁବିଧାର ସମ୍ମୁଖୀନ ହେଉଛନ୍ତି ପ୍ରସିଦ୍ଧ ଚା’ ବ୍ୟବସାୟୀ । ପ୍ରଶାସନ ପକ୍ଷରୁ ବାରମ୍ବାର ଧମକ ମିଳୁଥିବା ଭଳି ଭିଡିଓ ଜରିଆରେ ଅଭିଯୋଗ କରିଛନ୍ତି ।

ଭିଡିଓରେ ସେ କହିଛନ୍ତି କି, ଯେବେଠାରୁ ଅଖିଳେଶ ତାଙ୍କ ଦୋକାନରେ ଚା’ ପିଇ ଗଲେ ତାପର ଦିନଠାରୁ ଖାଦ୍ୟ ସୁରକ୍ଷା ବିଭାଗର କର୍ମଚାରୀମାନେ ଆସି ତାଙ୍କୁ ହଇରାଣ କରୁଛନ୍ତି । ସେମାନେ ନମୁନା ନେବା ନାଁରେ ଧମକ ଦେଉଛନ୍ତି । ଏହାସହ କିଛି ସ୍ଥାନୀୟ ଗୁଣ୍ଡା ଆସି ଆକ୍ରମଣ ମଧ୍ୟ କରୁଛନ୍ତି । ଯେଉଁ କାରଣରୁ ଦୋକାନ ବନ୍ଦ କରିବା ସହ ଗାଁ ଛାଡ଼ି ପଳାଇବେ ବୋଲି କୋହଭରା କଣ୍ଠରେ ପ୍ରକାଶ କରିଛନ୍ତି ।

ନିଜର ଫେସକୁବ ପେଜରେ ସେ ଭିଡିଓକୁ ପୋଷ୍ଟ କରିବା ସହ କହିଛନ୍ତି କି, ଅଖିଳେଶ ଚା’ ପିଇବା ପରେ ମୁଁ ଅସୁବିଧାର ସମ୍ମୁଖୀନ ହେଉଛି । ଆମକୁ ଏଭଳି ଧମକ ଏବଂ ଆକ୍ରମଣ କରାଯାଉଛି । ଆମେ କୌଣସି ଖଳ ପ୍ରକୃତିର ଲୋକ ନୁହେଁ । ଆମେ କାହା ସହ ଝଗଡ଼ା କରି ପାରୁବୁ ନାହିଁ । ମୋର ଏହି ଭିଡିଓ ଜରିଆରେ ଜିଲ୍ଲାପାଳ, ପୁଲିସ ଏବଂ ସାମ୍ବାଦିକ ବନ୍ଧୁମାନଙ୍କୁ ନିଜର ଦୁଃଖ ଜଣାଉଛି । ଆଉ ଆମେ ଏହି ଅଚ୍ୟାଚାର ସହିପାରିବୁ ନାହିଁ । ଶେଷରେ ଦୋକାନ ବନ୍ଦ କରିବା ସହ ଗାଁ ଛାଡ଼ିବା ପାଇଁ ନିଷ୍ପତ୍ତି ନେଇଛୁ । ସମସ୍ତଙ୍କୁ ଧନ୍ୟବାଦ ।

ସେପଟେ ଏହି ଘଟଣାରେ ପୁଲିସ ନିଜର ପ୍ରତିକ୍ରିୟା ପ୍ରକାଶ କରିଛି । ପୁଲିସ ସୂତ୍ରରୁ କୁହାଯାଇଛି କି, କିଛିଦିନ ପୂର୍ବରୁ ଆର୍ଯ୍ୟନଙ୍କ ସହ ମୁସଲିମ ଯୁବକଙ୍କ ବିବାଦ ହୋଇଥିଲା । ଦୋକାନରେ ବାକିଥିବା ଘଟଣାକୁ ନେଇ ବିବାଦ ହୋଇଥିବାବେଳେ ସେମାନେ ଆକ୍ରମଣ କରିଥିଲେ। ଏମିତିକି ସେମାନେ ଆର୍ଯ୍ୟନଙ୍କ ପରିବାର ଲୋକଙ୍କୁ ମଧ୍ୟ ମାଡ଼ ମାରିଥିଲେ । ପୁଲିସ ଆସିବା ପୂର୍ବରୁ ସେମାନେ ଫେରାର ହୋଇଯାଇଥିଲେ । ଆଉ ଆକ୍ରମଣକାରୀ ଯୁବକମାନେ ଅଖିଳେଶଙ୍କ ନାଁରେ ଖରାପ ଭାଷା କହିବା ସହ ଗାଳି କରିଥିଲେ ।

ଏହାସହ ପଢ଼ନ୍ତୁ : ଏଣିକି ଯୋଜନା ବୋର୍ଡ ବଦଳରେ SITI ଓଡ଼ିଶା, ମୁଖ୍ୟମନ୍ତ୍ରୀ ରହିବେ ଗଭର୍ଣ୍ଣିଂ କାଉନସିଲ୍ ଅଧ୍ୟକ୍ଷ