ସୋର,୧/୯(ସ୍ୱପ୍ର): ସୋର ଥାନା ବାଗୁଡ଼ି ବଜାର ନିକଟରେ ସୋମବାର ଅପରାହ୍ନରେ ଡମ୍ଫର ଧକାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ଯୁବକ ଜଣଙ୍କ ସୋର ଥାନା ଅଧିନ ଗୋପୀନାଥପୁର ପଞ୍ଚାୟତ ଗଡ଼ସାହି ଗ୍ରାମର ଉମାକାନ୍ତ ପାଢ଼ୀ(୩୫)।
ଖବର ମୁତାବକ, ସୋମବାର ଉମାକାନ୍ତଙ୍କ ଝିଅର ଜନ୍ମଦିନ ଥିବାବେଳେ ସେ ଅପରାହ୍ନରେ କେକ୍ ଆଣିବା ପାଇଁ ବାଇକ ଯୋଗେ ସୋର ଅଭିମୁଖେ ଆସୁଥିଲେ। ଏହି ସମୟରେ ବାଗୁଡି ବଜାର ନିକଟ ଭଗବତୀ ଟ୍ରେଡ଼ର୍ସ ସମ୍ମୁଖରେ ପଛରୁ ଆସୁଥିବା ଏକ ପଥର ବୋଝେଇ ଡ଼ମ୍ଫର ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଉମାକାନ୍ତଙ୍କ ମୃତ୍ୟୁ ହୋଇଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସୋର ଡ଼ାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଦୁର୍ଘଟଣା ପରେ କ୍ଷତିପୂରଣ ଦାବୀରେ ସ୍ଥାନୀୟ ଲୋକେ ଏବଂ ପରିବାର ଲୋକେ ଘଟଣାସ୍ଥଳରେ ସୋର ଗୋପୀନାଥପୁର ରାସ୍ତାକୁ ଅବରୋଧ କରି ଧାରଣାରେ ବସି ରହିଛନ୍ତି। ଖବର ପାଇ ସୋର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିବା ଦେଖିବାକୁ ମିଳିଛି। ଦୁର୍ଘଟଣା ଘଟାଇବା ପରେ ଡମ୍ପର ଚାଳକ ଏବଂ ଖଲାସୀ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଅନ୍ୟପଟେ ପୁଲିସ ସୋର ମେଡ଼ିକାଲରେ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଥିବା ଜଣାପଡିଛି।