କୋଣାର୍କ, ୧୧/୦୫: ଝିଅ ବିବାହ ଦିନ ଚାଲିଗଲା ବାପାଙ୍କ ଜୀବନ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି କୋଣାର୍କ ଥାନା ଅନ୍ତର୍ଗତ ବନାଖଣ୍ଡି ପଞ୍ଚାୟତ ବନାଖଣ୍ଡି ଗ୍ରାମରେ । ମୃତ ବ୍ୟକ୍ତିଙ୍କ ନାମ ବାସୁଦେବ ବାରିକ(୭୦) । ହୃଦ୍ଘାତରେ ତାଙ୍କ ଦେହାନ୍ତ ହୋଇଥିବା ଜଣାପଡ଼ିଛି । ଏହି ଖବର ପ୍ରଚାର ପରେ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି ।
ବାସୁଦେବ ଝିଅଙ୍କ ବିବାହ କୋଣାର୍କ ଥାନା ଅନ୍ତର୍ଗତ ବାଲିଦୋକାନ ନିକଟ କୋତାଙ୍ଗ ଗ୍ରାମରେ ସ୍ଥିର ହୋଇଥିଲା । ରବିବାର ରାତିରେ ବାହାଘର ହୋଇଥାନ୍ତା । ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଥିଲା । ଦୁଆରେ ଟେଣ୍ଟ ବନ୍ଧା ସରିଥିଲା । ବନ୍ଧୁ ପରିଜନ ପହଞ୍ଚି ସାରିଥିଲେ । ଝିଅ ବାହାଘର ଲାଗି ବାସୁଦେବ ବେଶ୍ ଖୁସି ଥିଲେ । ସକାଳୁ ଶୀଘ୍ର ଉଠି କାମରେ ଲାଗି ପଡ଼ିଥିଲେ । ହେଲେ ବିଧିର ବିଧାନ ଥିଲା କିଛି ଅଲଗା । ସକାଳ ପ୍ରାୟ ସାଢ଼େ ୬ଟାରେ ସେ ଘରେ ବସିଥିବା ବେଳେ ଅସୁସ୍ଥ ଅନୁଭବ କରିଥିଲେ । ପରିବାର ଲୋକେ ତୁରନ୍ତ ଆମ୍ବୁଲାନ୍ସରେ ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା । ଏହି ଦୁଃଖଦ ଘଟଣା ପରେ ପରିବାର ଲୋକେ ଭାଙ୍ଗି ପଡ଼ିଛନ୍ତି । ବିବାହ କାର୍ଯ୍ୟ ଆଜି ଅଟକିଛି । ଆଜି ବିବାହ କାର୍ଯ୍ୟ ସମ୍ପନ୍ନ ହେବ ବୋଲି ଜଣାପଡ଼ିଛି ।
ଅଧିକ ପଢ଼ନ୍ତୁ :- Ratna Bhandar Inventory: ଆଜିଠୁ ପୁଣି ଖୋଲିବ ରତ୍ନ ଭଣ୍ଡାର, ଆଗେଇବ ଭିତର ଭଣ୍ଡାର ଅଳଙ୍କାର ଗଣତିମଣତି