ନିଜ ୩ ବର୍ଷର ପୁଅକୁ ଏସିଡ୍ ମାଡ, ଆକ୍ରମଣକାରୀ ବାପାକୁ ୧୬ ବର୍ଷ ଜେଲ

ଲଣ୍ଡନ,୭।୩: ଶିଶୁଟିଏ ଜନ୍ମନେବା ମାତ୍ରେ ନିଜ ବାପା-ମାଙ୍କ କୋଳକୁ ଦୁନିଆର ସବୁଠାରୁ ସୁରକ୍ଷିତ ସ୍ଥାନ ମନେ କରିଥାଏ। କିନ୍ତୁ ରକ୍ଷକ ଯଦି ଭକ୍ଷକ ସାଜେ! ସନ୍ତାନକୁ ମାରିବା ପାଇଁ ଯଦି ନିଜ ବାପା ଷଡଯନ୍ତ୍ର କରେ, ତାକୁ କ’ଣ କହିବା? ହଁ, ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବ୍ରିଟେନରେ। ଜଣେ ବ୍ୟକ୍ତି ତା’ର ୩ ବର୍ଷର ପୁଅ ଉପରକୁ ଏସିଡ୍ ପକାଇ ଆକ୍ରମଣ କରିଛି। ଷଡଯନ୍ତ୍ରକାରୀ ବାପାକୁ ବ୍ରିଟେନର ଏକ କୋର୍ଟ ଗତ ବୁଧବାର ୧୬ ବର୍ଷର ଜେଲଦଣ୍ଡାଦେଶ ଦେଇଛନ୍ତି। ଏହି ମାମଲାରେ ଅନ୍ୟ ୫ ଜଣଙ୍କୁ ମଧ୍ୟ ଦୋଷୀ ସାବ୍ୟସ୍ତ କରାଯାଇଛି।
ବ୍ୟକ୍ତିଜଣକ ଏହା ପ୍ରମାଣିତ କରିବାକୁ ଚାହୁଁଥିଲେ ଯେ, ତାଙ୍କ ସ୍ତ୍ରୀ ନିଜ ପୁଅକୁ ଠିକ୍ ଭାବରେ ଦେଖାଶୁଣା କରିପାରୁନାହାନ୍ତି। କାରଣ ତାଙ୍କ ସ୍ତ୍ରୀକୁ ସେ ୨୦୧୬ରେ ଛାଡପତ୍ର ଦେଇଥିଲେ। ଏହାପରେ ସେ ନିଜ ପୁଅ ଉପରେ ଆକ୍ରମଣ କରିବା ପାଇଁ ଅନ୍ୟ ଲୋକଙ୍କୁ ଟଙ୍କା ଦେଇଥିଲେ। ଗତ ବର୍ଷ ଜୁଲାଇରେ ଆକ୍ରମଣ ହୋଇଥିଲା। ଏହି ମାମଲାରେ ବିଚାରପତି ରବର୍ଟ ଜ୍ୟାକ୍ସ କହିଛନ୍ତି ୪୦ ବର୍ଷୀୟ ଏହି ବ୍ୟକ୍ତିଜଣକ ଅଫଗାନିସ୍ତାର ମୂଳବାସିନ୍ଦା। ସେ ତା’ର ସହଯୋଗୀଙ୍କୁ ଏସିଡ୍ ଦେଇ ନିଜ ପୁଅକୁ ହତ୍ୟା କରିବାର ଷଡଯନ୍ତ୍ର କରିଥିଲା।