ରାୟଗଡ଼ା,୨୪/୪ : ଆନ୍ଧ୍ରପ୍ରଦେଶ ରାଜ୍ୟ ବିଶାଖାପାଟଣାଠାରେ ଚିକିତ୍ସା ସାରି ଘରକୁ ଫେରୁଥିବାବେଳେ ଟ୍ରେନରୁ ଖସି ଶ୍ୱଶୁର ଓ ଜ୍ୱାଇଁ ମୃତ୍ୟୁ ହୋଇଛି । ରାୟଗଡା ରେଳ ଷ୍ଟେସନ ୫ ନମ୍ବର ପ୍ଲାଟଫର୍ମରେ ଶ୍ୱଶୁର ଲିଙ୍ଗରାଜ ସାହା(୮୦) ଓ ଦହିଖାଲ ନିକଟରେ ଜ୍ୱାଇଁ ସୁଦାମ ନାୟକ(୬୨)ଙ୍କ ମୃତଦେହ ମିଳିଛି । ଗତକାଲି ରାତିରେ ଏହି ଅଭାବନୀୟ ଘଟଣା ଘଟିଥିବାବେଳେ ମୃତକ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ କିକିଆ ଗ୍ରାମର ବୋଲି ଜଣାପଡ଼ିଛି । ଉଭୟଙ୍କ ମୃତ୍ୟୁ କିଭଳି ଓ କେଉଁ ପରିସ୍ଥିରେ ହେଲା ସ୍ପଷ୍ଟ ହୋଇନଥିବାବେଳେ ରାୟଗଡ଼ା ଓ ମୁନିଗୁଡା ଜିଆରପି ପୁଲିସ ତଦନ୍ତ ଜାରି ରଖିଛି ।
ସୂଚନା ଅନୁସାରେ, ଗତକାଲି ରାତିରେ ବିଶାଖାପାଟଣା -ଦୁର୍ଗ ଟ୍ରେନରେ ଶ୍ବଶୁର ଓ ଜ୍ବାଇଁ କେସିଙ୍ଗା ଫେରୁଥିଲେ । ପ୍ରବଳ ଭିଡ଼ ଯୋଗୁଁ ଅଲଗା ବଗିର ଗେଟ୍ ପାଖରେ ଦୁଇ ଜଣ ଭିନ୍ନ ଭାବରେ ବସି ରହିଥିଲେ। ତେବେ ରାତି ପ୍ରାୟ ୧୧.୩୦ସମୟରେ ରାୟଗଡ଼ା ରେଳ ଷ୍ଟେସନ ସିଗ୍ନାଲ ବକ୍ସ ନିକଟରେ ପ୍ରଥମେ ଲିଙ୍ଗରାଜ ପଡି ଯାଇଥିଲେ। କିନ୍ତୁ ଏହା ସୁଦାମ ଜାଣିପାରିନଥିଲେ। ତେବେ ଦୁର୍ଭାଗ୍ୟବଶତଃ ସେ ମଧ୍ୟ ଦହିଖାଲ ଷ୍ଟେସନ ନିକଟରେ ଖସି ପଡ଼ିଥିଲେ। ଏହା ଜଣାପଡ଼ିବା ପରେ ରେଳବାଇ ପୁଲିସ ପହଞ୍ଚି ଉଭୟ ଶ୍ବଶୁର ଓ ଜ୍ୱାଇଁଙ୍କ ମୃତଦେହକୁ ଉଦ୍ଧାର କରିଥିଲା। ଶ୍ୱଶୁର ଲିଙ୍ଗରାଜଙ୍କ ଶବ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଓ ଜ୍ବାଇଁ ସୁଦାମଙ୍କ ଶବ ମୁନିଗୁଡା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ଆଣି ବ୍ୟବଛେଦ ପରେ ପରିବାର ଲୋକଙ୍କୁ ଆଜି ହସ୍ତାନ୍ତର କରିଛି।