ସ୍ଥାୟୀ ଜମା ସୁଧହାର ବଢ଼ିବ

ନୂଆଦିଲ୍ଲୀ,୬ା୨(ଏଜେନ୍ସି): ବର୍ଦ୍ଧିତ ଋଣ ଚାହିଦା ପୂରଣ ନିମନ୍ତେ ବ୍ୟାଙ୍କଗୁଡ଼ିକ ଆହୁରି ୨୦ ଲକ୍ଷ କୋଟି ଟଙ୍କାର ଜମା ଆବଶ୍ୟକ କରୁଛନ୍ତି । ଋଣ ଚାହିଦା ମେଣ୍ଟାଇବା ପାଇଁ ୨୦୨୦ ମାର୍ଚ୍ଚ ସୁଦ୍ଧା ଏହି ଜମା ଦରକାର ପଡ଼ିବ । ଏଥିଲାଗି ବ୍ୟାଙ୍କଗୁଡ଼ିକ ଜମାକାରୀଙ୍କୁ ଆକୃଷ୍ଟ କରିବା ପାଇଁ ସ୍ଥାୟୀ ଜମା ସୁଧହାର ବଢ଼ାଇବେ ବୋଲି ଆଶା କରାଯାଉଛି ।
୨୦୧୯ ଜାନୁଆରୀ ୪ ତାରିଖ ସୁଦ୍ଧା ମୋଟ ବ୍ୟାଙ୍କ ଜମା ୯.୯% ବଢ଼ିଥିବା ବେଳେ ଋଣ ୧୪.୫% ବୃଦ୍ଧି ପାଇଛି । ଜମା ଓ ଋଣ ଅଭିବୃଦ୍ଧି କ୍ଷେତ୍ରରେ ଏହି ଧାରା ଯଦି ଜାରି ରୁହେ, ତେବେ ବ୍ୟାଙ୍କଗୁଡ଼ିକ ଲିକ୍ୱିଡିଟି ସମସ୍ୟା ଦେଇ ଗତି କରିବେ ଏବଂ ଏହାଦ୍ୱାରା ଋଣ ଚାହିଦା ପୂରଣ ହୋଇପାରିବ ନାହିଁ । ତେଣୁ ଅଧିକ ଜମା ହାସଲ କରିବାକୁ ହେଲେ ବ୍ୟାଙ୍କଗୁଡ଼ିକୁ ବିକଳ୍ପ ରାସ୍ତା ଆପଣାଇବାକୁ ପଡ଼ିବ । ସ୍ଥାୟୀ ଜମା ସୁଧହାର ବଢ଼ାଇବା ଏହାର ଏକ ଅନ୍ୟତମ ବିକଳ୍ପ ବୋଲି କ୍ରିସିଲ୍ ଦର୍ଶାଇଛି ।
ରେଟିଂ ଏଜେନ୍ସି ଆହୁରି ସୂଚାଇଛି ଯେ ୨୦୧୯ରୁ ୨୦୨୦ ମଧ୍ୟରେ ଭାରତରେ ବ୍ୟାଙ୍କ ଋଣ ୧୩-୧୪% ହାରରେ ବୃଦ୍ଧି ପାଇବ । ୨୦୧୮ରେ ଏହି ହାର ୮% ରହିଥିଲା । ଋଣ ଚାହିଦା ପୂରଣ ନିମନ୍ତେ ବ୍ୟାଙ୍କଗୁଡ଼ିକୁ ଜମା ହାସଲ ବାବଦରେ ନିଜ ରଣନୀତି ବଦଳାଇବାକୁ ପଡ଼ିବ ।
ପାରମ୍ପରିକ ଭାବେ ଦେଖିଲେ, ଋଣ ଚାହିଦା ପୂରଣ ନିମନ୍ତେ ବ୍ୟାଙ୍କଗୁଡ଼ିକ ସେମାନଙ୍କ ଅତ୍ୟଧିକ ଏସ୍ଏଲ୍ଆର୍କୁ ବ୍ୟବହାର କରିଥାନ୍ତି । କିନ୍ତୁ ଦୀର୍ଘମିଆଦୀ ଭାବେ ଏହାକୁ ବ୍ୟବହାର କରାଯାଇ ପାରିବ ନାହିଁ । ବଡ଼ ଆକାରର ଋଣ ଚାହିଦା ପୂରଣ କରିବାକୁ ହେଲେ ଜମା ଅଭିବୃଦ୍ଧି ସେହି ଅନୁସାରେ ବଢ଼ିବା ନିହାତି ଆବଶ୍ୟକ ।
ଏହାବ୍ୟତୀତ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିସାନ୍ ସମ୍ମାନ ନିଧି ପାଇଁ ୭୫,୦୦୦ କୋଟି ଟଙ୍କାର ବାର୍ଷିକ ବ୍ୟୟବରାଦ ଘୋଷଣା କରିଛନ୍ତି । ଚାଷୀମାନଙ୍କ ଜନ ଧନ ଆକାଉଣ୍ଟକୁ ଏହି ଟଙ୍କା ଯୋଗାଇ ଦିଆଯିବ । ବ୍ୟାଙ୍କଗୁଡ଼ିକ ପାଇଁ ଏହା ବିଶେଷ ଭାବେ ସହାୟକ ହେବ ଏବଂ ସେମାନଙ୍କ ଚାପ କିଛି ପରିମାଣରେ କମିବ ବୋଲି କୁହାଯାଉଛି ।