ଫେଡେରର, ସାରାପୋଭା, କର୍ବର ହାରିଲେ

ମେଲ୍ବୋର୍ଣ୍ଣ, ୨୦ା୧(ଏଜେନ୍ସି): ଚଳିତ ଅଷ୍ଟ୍ରେଲିଆନ୍ ଓପନ୍ ଗ୍ରାଣ୍ଡସ୍ଲାମର ସପ୍ତମ ଦିବସରେ ବଡ଼ ବିପର୍ଯ୍ୟୟ ଘଟିଛି । ଡିଫେଣ୍ଡିଂ ଚାମ୍ପିଅନ୍ ରୋଜର ଫେଡେରରଙ୍କ ସମେତ, ମାରିନ ସିଲିକ୍, ଗିଗୋର ଦିମିତ୍ରୋଭ, ମାରିଆ ସାରାପୋଭା ଓ ଆଞ୍ଜେଲିକ୍ କର୍ବର ପରାଜିତ ହୋଇ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛନ୍ତି । ୨୦ବର୍ଷିୟ ଗ୍ରୀସ ଖେଳାଳି ଷ୍ଟିଫାନୋସ ସିସିପାସ୍ ୨୦ଟି ଗ୍ରାଣ୍ଡସ୍ଲାମ୍ ଜିତି ସାରିଥିବା କିମ୍ବଦନ୍ତୀ ଖେଳାଳି ଫେଡେରରଙ୍କୁ ହରାଇ ରାତା ରାତି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଦ୍ୱିତୀୟ ସିଡ୍ ରାଫେଲ ନାଦାଲ, ରୋବେର୍ଟୋ ବୈତିସ୍ତା ଅଗୁଟ୍, ଫ୍ରାନ୍ସିସ୍ ଟିଆଫଏ, ପେଟ୍ରା ଭିଟୋଭା, ଆସଲି ବାର୍ଟି, ଡାନିଏଲା କଲିନ୍ସ ଚିତ୍ତାକର୍ଷକ ବିଜୟ ସହ କ୍ୱାର୍ଟର ଫାଇନାଲ୍ରେ ପ୍ରବେଶ କରିଛନ୍ତି ।ପୁରୁଷ ସିଙ୍ଗଲ୍ସ ଚତୁର୍ଥ ରାଉଣ୍ଡ୍ରେ ସିସିପାସ୍ ୬-୭(୧୧-୧୩), ୭-୬(୭-୩), ୭-୫, ୭-୬(୭-୫) ସେଟ୍ରେ ଫେଡେରରଙ୍କୁ ହରାଇ ବିପର୍ଯ୍ୟୟ ସୃଷ୍ଟି କରିଥିଲେ । ସପ୍ତମ ଦିବସରେ ଏହା ସବୁଠୁ ବଡ଼ ବିପର୍ଯ୍ୟୟ ରହିଥିଲା । ଗତ ବର୍ଷ ନୋଭାକ ଜୋକୋଭିକ୍, ଡୋମିନିକ ଥିମ, ଆଲେକଜାଣ୍ଡାର ଭେରେଭଙ୍କୁ ହରାଇ ସାରିଥିବା ସିସିପାସ୍ ଆଜିର ବିଜୟ ସହ ‘ଜାଏଣ୍ଟ କିଲର’ ମାନ୍ୟତା ପାଇଥିଲେ ।
ମ୍ୟାଚ୍ର ପ୍ରତି ସେଟ୍ ସଂଘର୍ଷପୂର୍ଣ୍ଣ ରହିଥିଲା । ପ୍ରଥମ ସେଟ୍ ୬-୬ରେ ବରାବର ହେବା ପରେ ଟାଇବ୍ରେକରରେ ଫେଡେରର ବିଜୟ ହାସଲ କରିଥିଲେ । ଦ୍ୱିତୀୟ ସେଟ୍ ମଧ୍ୟ ୬-୬ରେ ପହଞ୍ଚିଥିଲା । ଏଥର ସିସିପାସ୍ ତ୍ରୁଟି କରି ନଥିଲେ । ଟାଇବ୍ରେକର ଜିତି ସେ ଦ୍ୱିତୀୟ ସେଟ୍ ହାତେଇଥିଲେ । ତୃତୀୟ ସେଟ୍ରେ ସିସିପାସ୍ ଗୋଟିଏ ବ୍ରେକ୍ ପଏଣ୍ଟ ହାସଲ କରିଥିଲେ । ଯାହା ତାଙ୍କୁ ଅଗ୍ରଣୀରେ ସହାୟତା କରିଥିଲା । ଚତୁର୍ଥ ସେଟ୍ ଅନୁରୂପ ସଂଘର୍ଷପୂର୍ଣ୍ଣ ରହିଥିଲା । ଟାଇବ୍ରେକର ଜିତି ସିସିପାସ୍ ଇତିହାସ ରଚିଥିଲେ । ଏହି ମ୍ୟାଚ୍ ଜିତିବା ପାଇଁ ସିସିପାସ୍ଙ୍କୁ ୩ଘଣ୍ଟା ୪୫ ମିନିଟ୍ ଲାଗିଥିଲା । ୬ଥର ଅଷ୍ଟ୍ରେଲିଆନ୍ ଓପନ ଜିତି ସାରିଥିବା ଫେଡେରର ଏଥର ସପ୍ତମ ଟାଇଟଲ ଜିତି ରେକର୍ଡ ସ୍ଥାପନ କରିବାକୁ ଲକ୍ଷ୍ୟ ରଖିଥିଲେ । ହେଲେ ୨୦ବର୍ଷି ସିସିପାସ୍ଙ୍କ ଆକର୍ଷଣୀୟ ପ୍ରଦର୍ଶନ ଆଗରେ ଫେଲ ମାରିଥିଲେ । ୪ବର୍ଷ ପରେ ଫେଡେରର କୌଣସି ଗ୍ରାଣ୍ଡସ୍ଲାମ୍ର ଚତୁର୍ଥ ରାଉଣ୍ଡରୁ ବିଦାୟ ନେଇଛନ୍ତି ।
ପୁରୁଷ ବର୍ଗର ଅନ୍ୟ ଚତୁର୍ଥ ରାଉଣ୍ଡ ମୁକାବିଲାରେ ଦ୍ୱିତୀୟ ସିଡ୍ ନାଦାଲ ସିଧା ସଳଖ ୬-୦, ୬-୧, ୭-୬(୭-୪) ସେଟ୍ରେ ଟମାସ ବର୍ଦିଚ୍ଙ୍କୁ ହରାଇଥିଲେ । ୨ଘଣ୍ଟା ୫ ମିନିଟ୍ର ଏହି ମ୍ୟାଚ୍ରେ ନାଦାଲ ୫ଟି ବ୍ରେକ୍ ପଏଣ୍ଟ ହାସଲ କରିଥିଲେ । ସେହିପରି ୨୦ତମ ସିଡ୍ ଦିମିତ୍ରୋଭଙ୍କୁ ୭-୫, ୭-୬(୮-୬), ୬-୭୧-୭), ୭-୫ ସେଟ୍ରେ ହରାଇ ଆମେରିକାର ଅଣ ସିଡେଡ ଖେଳାଳି ଫ୍ରାନ୍ସିସ ଟିଆଫଏ ବିପର୍ଯ୍ୟୟ ସୃଷ୍ଟି କରିଥିଲେ । ଏହି ମ୍ୟାଚ୍ ଜିତିବା ପାଇଁ ଟିଆଫଏଙ୍କୁ ୩ଘଣ୍ଟା ୩୯ମିନିଟ୍ ଲାଗିଥିଲା । ୨୨ତମ ସିଡ୍ ଅଗୁଟ୍ ୩ଘଣ୍ଟା ୫୮ମିନିଟ୍ରତୀବ୍ର ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଷଷ୍ଠ ସିଡ୍ ସିଲିକଙ୍କୁ ୬-୭(୬-୮), ୬-୩, ୬-୨, ୪-୬, ୬-୪ ସେଟ୍ରେ ହରାଇ କ୍ୱାର୍ଟର ଫାଇନାଲ୍ରେ ପ୍ରବେଶ କରିଥିଲେ । ଅଗୁଟ୍ ଏହି ମ୍ୟାଚ୍ରେ ୫ଟି ବ୍ରେକ ପଏଣ୍ଟ ହାସଲ କରିଥିଲେ ।
ପୁରୁଷ ସିଙ୍ଗଲ୍ସ ଭଳି ମହିଳା ବର୍ଗରେ ମଧ୍ୟ ବିପର୍ଯ୍ୟୟ ଦେଖିବାକୁ ମିଳିଥିଲା । ଦ୍ୱିତୀୟ ସିଡ୍ ଆଞ୍ଜେଲିକ୍ କର୍ବରଙ୍କୁ ସିଧା ସଳଖ ୦-୬, ୨-୬ ସେଟ୍ରେ ହରାଇ ଆମେରିକାର ଡାନିଏଲା କଲିନ୍ସ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିଲେ । ସେ ମାତ୍ର ୫୬ମିନିଟ୍ ମଧ୍ୟରେ ଏହି ମ୍ୟାଚ୍ ଜିତି କ୍ୱାର୍ଟର ଫାଇନାଲ୍ରେ ପ୍ରବେଶ କରିଥିଲେ ।
୩୦ତମ ସିଡ୍ ସାରାପୋଭାଙ୍କୁ ଅଷ୍ଟ୍ରେଲିଆର ଅଣସିଡେଡ୍ ଖେଳାଳି ଆସଲି ବାର୍ଟି ପରାସ୍ତ କରିଥିଲେ । ସେ ଏହି ମ୍ୟାଚ୍କୁ ୪-୬, ୬-୧, ୬-୪ ସେଟ୍ରେ ଜିତିଥିଲେ । ୨ଘଣ୍ଟା ୨୨ମିନିଟ୍ର ଲଢେଇରେ ବାର୍ଟି ୪ଟି ବ୍ରେକ୍ ପଏଣ୍ଟ ହାସଲ କରିଥିଲେ ।
ପଞ୍ଚମ ସିଡ୍ ଆମେରିକାର ସ୍ଲୋଆନେ ଷ୍ଟିଫେନ୍ସଙ୍କ ଅଭିଯାନ ଚତୁର୍ଥ ରାଉଣ୍ଡ୍ରୁ ଶେଷ ହୋଇଯାଇଥିଲା । ରୁଷିଆର ଆନାସ୍ତାସିଜା ପାଲ୍ୟୁଚେନ୍କୋଭାଙ୍କ ଠାରୁ ୬-୭(୩-୭), ୬-୩, ୬-୩ ସେଟ୍ରେ ହାରି ଷ୍ଟିଫେନ୍ସ ବିଦାୟ ନେଇଥିଲେ । ଏହି ମ୍ୟାଚ୍ ଜିତିବା ପାଇଁ ପାଲ୍ୟୁଚେନ୍କୋଭାଙ୍କୁ ୨ଘଣ୍ଟା ୩୨ମିନିଟ୍ ଲାଗିଥିଲା ।
ସିଡେଡ୍ ଖେଳାଳିମାନଙ୍କ ମଧ୍ୟରେ ପେଟ୍ରା ଭିଟୋଭା ସହଜ ବିଜୟ ହାସଲ କରିଥିଲେ । ଅଷ୍ଟମ ସିଡ୍ ଭିଟୋଭା ସିଧା ସଳଖ ୬-୨, ୬-୧ ସେଟ୍ରେ ଆମେରିକାର ଆମଣ୍ଡା ଆମିନିସୋଭାଙ୍କୁ ପରାସ୍ତ କରିଥିଲେ । ଏହି ମ୍ୟାଚ୍ ଜିତିବା ପାଇଁ ଭିଟୋଭାଙ୍କୁ ୫୯ମିନିଟ୍ ଲାଗିଥିଲା । ସେ ଏହି ମ୍ୟାଚ୍ରେ ୫ଟି ବ୍ରେକ୍ ପଏଣ୍ଟ ହାସଲ କରିଥିଲେ ।