ନ୍ୟୁୟର୍କ, ୧୨/୦୬: ମେକ୍ସିକୋର ଐତିହାସିକ ଆଜଟେକା ଷ୍ଟାଡ଼ିୟମରେ ଆରମ୍ଭ ହୋଇଛି ୨୩ତମ ଫିଫା ବିଶ୍ୱକପ୍‌ । ୧୬ ବର୍ଷ ପରେ ମେକ୍ସିକୋ ଓ ଦକ୍ଷିଣ  ଆଫ୍ରିକା ଉଦ୍‌ଘାଟନୀ ମୁକାବିଲାରେ ପୁଣି  ଥରେ ସାମ୍ନା ସାମ୍ନି ହୋଇଥିଲେ । ମେକ୍ସିକୋ ବିଜୟ ସହ ଅଭିଯାନ ଆରମ୍ଭ କରିଛି । ଗୁରୁବାର ଅନୁଷ୍ଠିତ ପ୍ରଥମ ମୁକାବିଲାରେ ଦଳ ୨-୦ ଗୋଲ୍‌ରେ ବିଜୟ ହାସଲ କରିଥିଲା । ଏହି  ମ୍ୟାଚରେ ୩ଜଣ  ଖେଳାଳିଙ୍କୁ ରେଡ  କାର୍ଡ ପ୍ରଦର୍ଶିତ  କରାଯାଇଥିଲା ।

ଅଧିକ ପଢ଼ନ୍ତୁ :-  IND A VS AFG A: ବର୍ଷା, DLS, ୩୪୯ ରନ୍‌...ତଥାପି ହାରିଲା ଭାରତ, ଏବେ କେମିତି ଖେଳିବ ଟ୍ରାଇ ସିରିଜ୍ ଫାଇନାଲ ?

ମ୍ୟାଚ୍‌ ଆରମ୍ଭରୁ ମେକ୍ସିକୋ ପ୍ରଭାବ ବିସ୍ତାର କରି ଖେଳିଥିଲା । ପଞ୍ଚମ ମିନିଟ୍‌ରେ ରାଉଲ ଜିମିନେଜ ପ୍ରଥମ ଗୋଲ୍‌ ପାଇଁ ଏକ ସୁଯୋଗ ସୃଷ୍ଟି କରିଥିଲେ । ମାତ୍ର ଦକ୍ଷିଣ ଆଫ୍ରିକା ଗୋଲ୍‌ କିପର ଏହାକୁ  ଅଟକାଇ ଦେଇଥିଲେ । ଏହାର ୪ ମିନିଟ୍‌  ମଧ୍ୟରେ ମେକ୍ସିକୋ ଆଉ ଥରେ ଆକ୍ରମଣ କରି ଗୋଲ୍‌ ଖାତା ଖୋଲିଥିଲା । ନବମ ମିନିଟ୍‌ରେ ଜୁଲିଆନ କ୍ୱିନୋନ୍ସ ସାଥୀ ଖେଳାଳି ଏରିକ ଲିରାଙ୍କ ଠାରୁ ଏକ ପାସ୍‌ ପାଇ ଗୋଲ୍‌ କରିଥିଲେ । ଅଗ୍ରଣୀ ପରେ ମେକ୍ସିକୋ ଘନ ଘନ ଆକ୍ରମଣ କରିଥିଲା । ମାତ୍ର ଦକ୍ଷିଣ ଆଫ୍ରିକା ଆଉ ତ୍ରୁଟି କରି ନଥିଲା । ପ୍ରଥମାର୍ଦ୍ଧ ଶେଷ ହେବା ପର୍ଯ୍ୟନ୍ତ  ଆଉ ଗୋଲ୍‌ ହୋଇ ନଥିଲା । ୪୫ ମିନିଟ୍‌  ମଧ୍ୟରେ ମେକ୍ସିକୋ ୧୦ଟି ସୁଯୋଗ ସୃଷ୍ଟି  କରିଥିଲା । ଜବାବରେ ଦକ୍ଷିଣ ଆଫ୍ରିକା ୨ଟି ସୁଯୋଗ ସୃଷ୍ଟି କରିଥିଲେ ହେଁ ଗୋଲ୍‌  କରିବାରେ ବିଫଳ ହୋଇଥିଲା ।  

ଦ୍ୱିତୀୟାର୍ଦ୍ଧ ଆଗେଇବା ସହ  ଦକ୍ଷିଣ ଆଫ୍ରିକା ମ୍ୟାଚ୍‌କୁ ଫେରିବା  ପାଇଁ ଜୋରଦାର ପ୍ରୟାସ କରିଥିଲା ।  ମେକ୍ସିକୋ ଚତୁର ରଣନୀତି ପ୍ରୟୋଗ  କରି ମ୍ୟାଚକୁ ନିୟନ୍ତ୍ରଣରେ ରଖିଥିଲା ଓ  ସୁଯୋଗ ଦେଖି ଗୋଲ୍‌ ପାଇଁ ଆକ୍ରମଣ  କରୁଥିଲା । ୪୯ତମ ମିନିଟ୍‌ରେ ଦକ୍ଷିଣ  ଆଫ୍ରିକା ଖେଳାଳି ସଫେଫେଲୋ ସିଠୋଲ  ଫାଉଲ ମାରି ରେଡ୍‌ କାର୍ଡ ପାଇଥିଲେ ।  ବାକି ସମୟ ଦକ୍ଷିଣ ଆଫ୍ରିକା ୧୦  ଜଣରେ ଖେଳିବାକୁ ବାଧ୍ୟ ହୋଇଥିଲା ।  ମେକ୍ସିକୋ ଏହାର ସୁଯୋଗ ନେଇ ଦ୍ୱିତୀୟ  ଗୋଲ୍‌ କରିଥିଲା । ୬୭ତମ ମିନିଟ୍‌ରେ  ରୋବେର୍ଟୋ ଆଲଭାରାଡୋଙ୍କ ଠାରୁ  ପାସ୍‌ ପାଇ ରାଉଲ ଜିମିନେଜ ଗୋଲ୍‌  କରିଥିଲେ ।  

ଦକ୍ଷିଣ ଆଫ୍ରିକା ଆଉ କୌଣସି  ଉପାୟ ନପାଇ ଫାଉଲ ଉପରେ  ଗୁରୁତ୍ୱ ଦେଇଥିଲା । ଫଳ ସ୍ୱରୂପ  ୮୪ତମ ମିନିଟ୍‌ରେ ଆଉ ଏକ ରେଡ  କାର୍ଡ ପାଇ ବିଦା ହୋଇଥିଲେ ଥେମ୍ବା  ଜ୍ୱାନେ । ସେ ମେକ୍ସିକୋର ରୋବର୍ଟୋ  ଆଲଭାରାଡୋଙ୍କୁ ଫାଉଲ ମାରିଥିଲେ ।  ୯ଜଣରେ ବାକି ସମୟ ଖେଳି ମ୍ୟାଚକୁ  ଫେରିବା ସମ୍ଭବ ହୋଇ ନଥିଲା । ତଥାପି  ଦକ୍ଷିଣ ଆଫ୍ରିକା ଲଢ଼େଇ ଜାରି ରଖିଥିଲା ।  ୯୦୍ମ୨ତମ ମିନିଟ୍‌ରେ ଦକ୍ଷିଣ ଆଫ୍ରିକା  ଖେଳାଳି ଖୁଲିସୋ ମୁଡାଉଙ୍କୁ ଫାଉଲ  ମାରି ମେକ୍ସିକୋ ଖେଳାଳି ସିଜାର ମଣ୍ଟେସ  ରେଡ୍‌ କାର୍ଡ ପାଇ ବିଦା ହୋଇଥିଲେ ।  ମେକ୍ସିକୋ ପୋଷ୍ଟ ନିକଟରେ ଫ୍ରି-କିକ  ମିଳିଥିଲେ ହେଁ ଦକ୍ଷିଣ ଆଫ୍ରିକା ସୁଯୋଗ  ହାତଛଡ଼ା କରିଥିଲା । ମେକ୍ସିକୋର ବିଜୟ  ପକ୍କା ହୋଇ ଯାଇଥିଲା ।