ଭୁବନେଶ୍ୱର, ୨୭।୭: କଟକ ମଧୁପାଟଣା ଛକରେ ଅଜଣା ଟ୍ରକ ଧକ୍କାରେ ରାକେଶ ସାହୁ ନାମକ ଯୁବକଙ୍କୁ ଜୀବନ ଚାଲିଗଲା । ଏହି ମର୍ମନ୍ତୁଦ ଦୁର୍ଘଟଣାକୁ ଅଢ଼େଇ ବର୍ଷ ବିତିଗଲାଣି । ଆର୍ଟିଓରୁ ଉପଜିଲ୍ଲାପାଳ ଅଫିସକୁ ଧାଇଁ ଧାଇଁ ମୃତକଙ୍କ ପରିବାର ଲୋକ ନୟାନ୍ତ ହେଲେଣି । ହେଲେ, ଏଯାଏ ଟଙ୍କାଟିଏ ବି କ୍ଷତିପୂରଣ ମିଳିଲାନି । ୨୦୨୩ ମସିହା ଜୁଲାଇ ୬ ତାରିଖ । ଖଣ୍ଡଗିରି ଜାଗମରା ଅଫିସରୁ ଘରକୁ ଫେରିବା ବେଳେ ନୂଆପଲ୍ଲୀରେ ଦୁର୍ଘଟଣାର ଶିକାର ହେଲେ ନ୍ୟୁଜ ସେଭେନ ଚିଫ୍ ପ୍ରଡ୍ୟୁସର୍ ଅମର ପଟ୍ଟନାୟକ । ଘରୋଇ ହସ୍ପିଟାଲରେ ଚିକିତ୍ସା ବାବଦକୁ ଲକ୍ଷ ଲକ୍ଷ ଟଙ୍କା ଗଣିଲେ । ଏଯାଏ ନୂଆପଲ୍ଲୀ ଥାନା ପୁଲିସ ଅଜଣା କାରକୁ ଖୋଜି ପାରିଲାନି । ସେବେଠୁ ଥାନାରୁ କଚେରିର ଚକ୍କର କାଟୁଛନ୍ତି ଅମର । ହେଲେ, ତାଙ୍କ ପାଇଁ ସାତସପନ ପାଲଟିଛି ସୋଲାସିୟମ ଫଣ୍ଡ ।
ରାଷ୍ଟ୍ରୀୟ ରାଜମାର୍ଗ ଓ ସଡ଼କ ପରିବହନ ମନ୍ତ୍ରଣାଳୟ ରିପୋର୍ଟ ଅନୁସାରେ, ସାରା ଦେଶରେ ବର୍ଷକୁ ୪ ଲକ୍ଷ ୬୧ ହଜାର ସଡ଼କ ଦୁର୍ଘଟଣା ଘଟୁଛି । ପ୍ରାୟ ୧ ଲକ୍ଷ ୬୮ ହଜାର ଲୋକ ମରୁଛନ୍ତି । ଓଡି଼ଶାରେ ବର୍ଷକରେ ଘଟୁଥିବା ୧୨ ହଜାର ଦୁର୍ଘଟଣା ପ୍ରାୟ ୬ ହଜାର ଲୋକଙ୍କ ଜୀବନ ଯାଉଛି । ଅର୍ଥାତ୍ ଦୈନିକ ପ୍ରାୟ ୧୮ ଜଣ ଲୋକଙ୍କ ମୁଣ୍ଡ ଗଡୁଛି । ବଡ଼ କଥା ହେଉଛି, ମୋଟ ଦୁର୍ଘଟଣାର ୨୦ ପ୍ରତିଶତ ହେଉଛି ‘ହିଟ୍ ଆଣ୍ଡ ରନ୍’ ମାମଲା । ଅର୍ଥାତ୍ ଦୁର୍ଘଟଣା ଘଟାଇଥିବା ଗାଡି଼ ଘଟଣାସ୍ଥଳରୁ ଉଭାନ୍ ହୋଇଯାଉଛି । ଏକ ପରିସଂଖ୍ୟାନ ଅନୁଯାୟୀ ଆମ ରାଜ୍ୟରେ ବର୍ଷକୁ ହିଟ୍ ଆଣ୍ଡ ରନ୍ ମାମଲାରେ ୧୨ ଶହରୁ ଅଧିକ ଲୋକ ପ୍ରାଣ ହରାଇଥାନ୍ତି । ଗୁରୁତର ଆହତ ଲୋକଙ୍କ ସଂଖ୍ୟା ୨ ହଜାର ଟପିଯିବ । କିନ୍ତୁ ଅଜଣା ଗାଡି଼ ଧକ୍କାରେ ମୃତାହତ ବ୍ୟକ୍ତିଙ୍କୁ ସରକାରଙ୍କ ପକ୍ଷରୁ କ୍ଷତିପୂରଣ ମିଳିପାରୁନି । ୨୦୧୮ ମସିହା ମେ’ରୁ ସୋଲାସିୟମ ଫଣ୍ଡ ସ୍କିମ୍ ରାଜ୍ୟରେ ଲାଗୁ ହେଲାଣି । ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଓ ଗୁରୁତର ଆହତଙ୍କ ପାଇଁ ୫୦ ହଜାର ଟଙ୍କାର କ୍ଷତିପୂରଣ ରାଶି ମିଳୁଛି । କେନ୍ଦ୍ର ସରକାରଙ୍କ ‘ହିଟ୍ ଆଣ୍ଡ ରନ୍ ସହାୟତା ସ୍କିମ୍’ରେ ମଧ୍ୟ ସମାନ କ୍ଷତିପୂରଣ ରାଶି ଦିଆଯାଉଛି ।
ଏହା ବି ପଢ଼ନ୍ତୁ... Loot: ଭୋଜିକୁ ଯାଇଥିଲେ ପରିବାର, ଘର ତାଲା ଭାଙ୍ଗି ୭୦ ଭରି ସୁନା ଓ ୨ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
ସଡ଼କ ସୁରକ୍ଷା ବିଶେଷଜ୍ଞ ତଥା ଆଇନଜୀବୀ ସୁବ୍ରତ ନନ୍ଦ କହିଛନ୍ତି, କ୍ଷତିପୂରଣ ମିଳିବାରେ କଣ୍ଟା ସାଜିଛି ଖୋଦ୍ ସରକାରଙ୍କ ନିଷ୍ପତ୍ତି । ପୂର୍ବରୁ ଆଞ୍ଚଳିକ ପରିବହନ ଅଧିକାରୀ (ଆର୍ଟିଓ) ହିଁ ଦୁର୍ଘଟଣାର ତଦନ୍ତ କରିବା ସହ କ୍ଷତିପୂରଣ ପ୍ରକ୍ରିୟାର ଫଇସଲା କରୁଥିଲେ । ୨୦୨୩ ଜୁଲାଇ ୧୮ ତାରିଖରେ ନିଷ୍ପତ୍ତି ନିଆଗଲା ଯେ କେବଳ ଉପଜିଲ୍ଲାପାଳ ହିଁ ହିଟ୍ ଆଣ୍ଡ ରନ୍ ମାମଲାର ତଦାରଖ କରିବେ । ତା’ ପରଠୁ କ୍ଷତିପୂରଣ ପ୍ରକ୍ରିୟା ପୁରା ଓଲଟ ପାଲଟ ହୋଇଗଲା । ଯେହେତୁ, ଉପଜିଲ୍ଲାପାଳ ଅନ୍ୟାନ୍ୟ ପ୍ରଶାସନିକ କାର୍ଯ୍ୟରେ ବ୍ୟସ୍ତ ରହୁଛନ୍ତି । ତାଙ୍କ ଚାମ୍ବରରେ ସୋଲାସିୟମ ପାଇଁ ଆବେଦନପତ୍ର ଖତ ଖାଉଛି । ମୃତାହତଙ୍କ ପରିବାର ଥାନାରୁ ଆର୍ଟିଓର ଚକ୍କର କାଟି ହତାଶ ହେଉଛନ୍ତି । କିଛି ହାତ ଗଣତି ଘଟଣାକୁ ଛାଡି଼ଦେଲେ, ଅଧିକାଂଶ ପୀଡ଼ିତ ପରିବାର ପାଇଁ ସୋଲାସିୟମ ପାଣ୍ଠି ସ୍ୱପ୍ନ ପାଲଟିଛି ।
ଶ୍ରୀ ନନ୍ଦ ଆହୁରି କହିଛନ୍ତି, ରାଜ୍ୟସ୍ତରୀୟ କ୍ଷତିପୂରଣ ପ୍ରକ୍ରିୟା ପାଇଁ ପ୍ରତି ଜିଲ୍ଲାରେ ବୀମା ପରିଚାଳନା କମିଟିର ବ୍ୟବସ୍ଥା ରହିଛି । ଏହି କମିଟି ଦୁର୍ଘଟଣା ବାବଦକୁ କ୍ଷତିପୂରଣର ହିସାବନିକାଶ, ଆବେଦନ ଓ ଅନ୍ୟାନ୍ୟ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବା କଥା । କିନ୍ତୁ ଏଯାବତ୍ ୨୫ଟି ଜିଲ୍ଲାରେ କମିଟି ଗଢ଼ା ହୋଇପାରିଲାନି । କ୍ଷତିପୂରଣ ନ ମିଳିବାରେ ପୁଲିସ ବି ବେଶ୍ ଦାୟୀ । ହିଟ୍ ଆଣ୍ଡ ରନ୍ ମାମଲାର ତଦନ୍ତ ଠିକଣା ଢ଼ଙ୍ଗରେ ହେଉନି । ମାସକର ସମୟସୀମା ବଢ଼ିକି ବର୍ଷେ ଛୁଉଁଛୁ । ହେଲେ, ସଠିକ ତଥ୍ୟ ପ୍ରମାଣ ଅଭାବରୁ ଉଭୟ ମୃତ ଓ ଆହତ ବ୍ୟକ୍ତିଙ୍କ ପରିବାର କ୍ଷତିପୂରଣ ମିଳୁନି ।